• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଯଦି ଆପଣଙ୍କୁ କୁହାଯାଏ, ପିମ୍ପୁଡ଼ିଙ୍କ ପାଇଁ ଘର ଛାଡ଼ିବାକୁ ପଡ଼ିଲା.. ତେବେ ଆପଣ ବିଶ୍ୱାସ କରିବେ କି । ନୁହେଁ ନା । ମଧ୍ୟପ୍ରଦେଶର ଏ ଘଟଣା ଆପଣଙ୍କୁ ବିଶ୍ୱାସ ହେବ ନାହିଁ । ପିମ୍ପୁଡ଼ିମାନଙ୍କର ଉତ୍ପାତ ପାଇଁ ଗୋଟେ ପରିବାରକୁ ଘର ଛାଡ଼ିବାକୁ ପଡ଼ିଛି । ପିମ୍ପୁଡ଼ିମାନଙ୍କର ନିରନ୍ତର ଆକ୍ରମଣ ସେମାନଙ୍କର ଜୀବନକୁ ଦୁର୍ବିସହ କରି ଦେଇଥିଲା । ଫଳରେ ସେମାନେ ବିକଳ୍ପ ଆଶ୍ରୟ ଖୋଜିବାକୁ ବାଧ୍ୟ ହୋଇଥିଲେ ।

ସାଧାରଣ ଦେଖାଯାଉଥିବା ପିମ୍ପୁଡ଼ିମାନେ ଯେ ଏତେ ହଇରାଣ କରିପାରନ୍ତି ତାହା ବିଶ୍ୱାସର ବାହାରେ । ଏପରି ଏକ ନିହାତି ଅମୂଳକ ମନେ ହେଉଥିବା କାରଣ ପାଇଁ ପୂରା ପରିବାରକୁ ଘର ଛାଡ଼ିବାକୁ ପଡ଼ିଛି । କିଏ ବା ବିଶ୍ୱାସ କରିପାରିବ ଯେ, ଏଡେ ବକଟେ ଜୀବ ବିଶ୍ୱର ସର୍ବ ଶକ୍ତିମାନ ମନୁଷ୍ୟକୁ ହିଁ ନାକରେ ପାଣି ପିଆଇ ଦେବାର କ୍ଷମତା ରଖିପାରେ । ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି ଏହି ଘଟଣା । ଦୁଇ ବର୍ଷ ମଧ୍ୟରେ, ପିମ୍ପୁଡ଼ିଙ୍କର ଉତ୍ପାତ ଏତେ ବଢ଼ିଗଲା ଯେ ପୂରା ପରିବାର ଘର ଛାଡ଼ିବାକୁ ବାଧ୍ୟ ହେଲେ ।

ଏହି ଘଟଣା ସମଗ୍ର ଗାଁକୁ ବିସ୍ମିତ କରିଛି । ଶାହପୁରାର ଖୈରୀ ଗାଁରେ ରୁହନ୍ତି ସୁଖଚେନ୍ । ନିଜ ପତ୍ନୀ ରାମବତୀଙ୍କ ସହ ଦୁଇ ପିଲାଙ୍କୁ ନେଇ ତାଙ୍କର ସଂସାର । ତେବେ କଳା ପିମ୍ପୁଡ଼ିମାନଙ୍କ କ୍ରମାଗତ ଉପସ୍ଥିତି ତାଙ୍କୁ ମାନସିକ ଭାବେ ଦୁର୍ବଳ କରି ଦେଇଥିଲା । ଏହି କଳା ପିମ୍ପୁଡ଼ିଗୁଡ଼ିକ ଗତ ଦୁଇ ବର୍ଷ ଧରି ପରିବାର ପାଇଁ ଅସୁବିଧାର କାରଣ ହୋଇଆସୁଥିଲେ ।

ତେବେ ଗ୍ରୀଷ୍ମ କିମ୍ବା ବର୍ଷା ନିର୍ବିଶେଷରେ, ପିମ୍ପୁଡ଼ିମାନେ ବର୍ଷସାରା ଉକ୍ତ ପରିବାରକୁ ହଇରାଣ କରିଥିଲେ । ପିମ୍ପୁଡ଼ିମାନଙ୍କ କବଳରୁ ମୁକ୍ତି ପାଇଁ ସୁଖଚେନ୍ ଅନେକ ପଦ୍ଧତି ଅବଲମ୍ବନ କରିଥିଲେ ସୁଦ୍ଧା କୌଣସିଟି ମଧ୍ୟ କାର୍ଯ୍ୟକାରୀ ହୋଇପାରିନାହିଁ । ଫଳରେ ସେ ବାଧ୍ୟ ହୋଇ ନିଜ ଗାଁ ଛାଡ଼ିଛନ୍ତି ।

ନିଜ ଘରଟି ସେ ମାଟିରେ ତିଆରି କରିଥିଲେ । ଯାହାକୁ ସେ ବହୁ ବର୍ଷ ଧରି କଠିନ ପରିଶ୍ରମ କରି ନିର୍ମାଣ କରିଥିଲେ । ପ୍ରାୟ ଦୁଇ ବର୍ଷ ପୂର୍ବେ, ସେ ପ୍ରଥମେ କଳା ପିମ୍ପୁଡ଼ିମାନଙ୍କୁ ଦେଖିଲେ । ପ୍ରଥମେ ପ୍ରଥମେ ସେ ଏହାର ମୁକାବିଲା କରି ପାରିଥିଲେ । କିନ୍ତୁ ପରେ ପରେ ପିମ୍ପୁଡ଼ିମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଲା ।

କିନ୍ତୁ ଦିନକୁ ଦିନ ପିମ୍ପୁଡ଼ିର ମାତ୍ରା ଏତେ ବଢ଼ିଗଲା ଯେ, ସେ ଏପରି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ । ଅନ୍ୟପଟେ ଗାଁ ସରପଞ୍ଚ କହିଛନ୍ତି ଯେ, ସୁଖଚେନ ଓ ତାଙ୍କ ପରିବାର ପାଇଁ ଉପଯୁକ୍ତ ଆବାସ ଖୋଜା ଚାଲିଛି ।