କଥାରେ ଅଛି ଅଣ୍ଡାଳି ପାଉନି ଆପଣା କଚ୍ଛା... ବାପା କଉପୁନି ଖୋଲିବା ଇଚ୍ଛା । ଅତୀତରେ ଏହି ଢଗଟି ନିଶ୍ଚୟ ଶୁଣିଥିବେ । ଆଉ ଆଜି ବାସ୍ତବରେ ଏହାର ସତ୍ୟତା ଦେଖିବାକୁ ମିଳିଛି । ଝିଅର ଜୋତା ଟ୍ରେନ୍ରୁ ଚୋରି ହୋଇଛି । ଆଉ କ୍ଷମତାରେ ଥିବା ବାପା କହୁଛନ୍ତି ମୁଁ ଖୋଜି ଆଣିବି ।
ସୂଚନା ଅନୁସାରେ ଟ୍ରେନ୍ ଯାତ୍ରା ସମୟରେ ସମ୍ବଲପୁର DRMଙ୍କ ଝିଅର ଜୋତା ଚୋରି ହୋଇଥିଲା। ବରେଲି-ମୋରଦାବାଦ ଡିଭିଜନର ରେଳ ମୁଖ୍ୟାଳୟ ନିକଟରେ ଏହି ଜୋତା ଚୋରି ହୋଇଥିବା ବେଳେ ଉତ୍ତେଜନା ଦେଖାଦେଇଥିଲା ।
Also Read
ରେଳ ଅଧିକାରୀ ଏବଂ କର୍ମଚାରୀ ଘଟଣାକୁ ଦେଖି ଭୟଭୀତ ମଧ୍ୟ ହୋଇଥିଲେ । ପରେ ଜୋତା ଚୋରି ହେବାକୁ ନେଇ ଥାନାରେ ଏକ ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା । ମାମଲା ହେବା ପରେ ଦୁଇଟି ବିଭାଗର ରେଳ ପୋଲିସ ଜୋତା ଖୋଜିବା କାର୍ଯ୍ୟରେ ନିୟୋଜିତ ରହିଥିଲେ । ପ୍ରାୟ ଏକ ମାସ ଧରି ଏହି କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି।
ଦୁଇଟି ବିଭାଗର ରେଳ ପୋଲିସକୁ ଜୋତା ଖୋଜିବା ଦାୟିତ୍ୱ ଦିଆଯିବା ପରେ ରେଳ ପୋଲିସକୁ ମଧ୍ୟ ଆକ୍ସନ୍ ମୋଡ୍ରେ ଦେଖିବାକୁ ମିଳିଥିଲା । ନିଖୋଜ ଜୋତାର ଜୋରଦାର ତଦନ୍ତ କରିଥିଲା ପୋଲିସ ।
ବିଭାଗୀୟ ସୂତ୍ର ଅନୁଯାୟୀ, ଗତ ଜାନୁଆରୀ ୪ ତାରିଖରେ ଲକ୍ଷ୍ନୌ ମେଲରେ ଓଡିଶାର ଡିଆରଏମଙ୍କ ଝିଅର ଜୋତା ଚୋରି ହୋଇଥିଲା । ଚୋରି ହୋଇଥିବା ଜୋତାର ମୂଲ୍ୟ ପ୍ରାୟ ୧୦ହଜାର ଟଙ୍କା ବୋଲି କୁହାଯାଉଛି । ଏଥିସହ ପାଖ ସିଟରେ ବସିଥିବା ମହିଳା ଯାତ୍ରୀ ତାଙ୍କ ଜୋତା ଛାଡ଼ି ଭୁଲ୍ ବଶତଃ ଏହି ଜୋତା ନେଇଯାଇଥିବା ଅଭିଯୋଗ ହୋଇଛି ।
ଏହି ମହିଳା ଯାତ୍ରୀ ଜଣକ ବରେଲି ଜଙ୍କସନରେ ଓହ୍ଲାଇଥିଲେ । ଏହି ମାମଲା DRM ସହ ଜଡିତ ଥିବାରୁ ରେଳବାଇ ଅଧିକାରୀମାନେ ତୁରନ୍ତ ମାମଲା ରୁଜୁ କରିଥିଲେ । ଦୁଇଟି ବିଭାଗର ରେଳ ପୋଲିସ ଚୋରି ହୋଇଥିବା ଜୋତା ଖୋଜିବାରେ ନିୟୋଜିତ ରହିଥିଲେ ।
ତେବେ ଏହି ଘଟଣା ଭଳି ଅନ୍ୟ ସବୁ ଘଟଣାରେ ଯଦି ବିଭାଗୀୟ ଅଧିକାରୀମାନେ ଏଭଳି ତତ୍ପରତା ଦେଖାନ୍ତେ, ସାଧାରଣ ଯାତ୍ରୀମାନେ ମଧ୍ୟ ଉପକୃତ ହୋଇପାରନ୍ତେ ବୋଲି କୁହାଯାଉଛି।