• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କ୍ରିକେଟ ଖେଳ ହେଲା କାଳ । କ୍ରିକେଟ ମ୍ୟାଚ୍‌ ପାଇଁ ଚାଲିଗଲା ଜୀବନ । ଘଟଣା ହେଉଛି ୨୯ ଅକ୍ଟୋବର ୨୦୨୩ରେ ଆନ୍ଧ୍ରପ୍ରଦେଶରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା । ଏଥିରେ ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା କେମିତି ହେଲା ଏତେ ବଡ଼ ଦୁର୍ଘଟଣା ? କଣ କରୁଥିଲେ ଲୋକୋ ପାଇଲଟ୍‌ ? ଦୁର୍ଘଟଣା ପଛର କାରଣ କଣ ହୋଇପାରେ ? ଏସବୁ ପ୍ରଶ୍ନ ଉପରୁ ପରଦା ହଟାଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଯେଉଁ ଦୁଇଟି ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେଥିମଧ୍ୟରୁ ଗୋଟିଏ ଟ୍ରେନର ଲୋକୋ ପାଇଲଟ ଓ ସହକାରୀ ଲୋକୋ ପାଇଲଟ ନିଜ ଫୋନରେ କ୍ରିକେଟ ମ୍ୟାଚ ଦେଖୁଥିଲେ । ଦୁହିଁଙ୍କର ଏଭଳି ଚରମ ଅବହେଳା ପାଇଁ ସେଦିନ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଘଟିଥିଲା  । 

ଭାରତୀୟ ରେଲୱେ ଯାତ୍ରୀଙ୍କ ପାଇଁ ଗ୍ରହଣ କରିଥିବା ନୂଆ ସୁରକ୍ଷା ପଦକ୍ଷେପ ସମ୍ପର୍କରେ ସୂଚନା ଦେଉଥିବା ବେଳେ ଆନ୍ଧ୍ର ଟ୍ରେନ ଦୁର୍ଘଟଣା କଥା କହିଥିଲେ । ରେଳମନ୍ତ୍ରୀ କହିଥିଲେ, ''ନିକଟରେ ଆନ୍ଧ୍ରପ୍ରଦେଶରେ ଯେଉଁ ଟ୍ରେନ ଦୁର୍ଘଟଣା ଘଟିଥିଲା ଏହାର କାରଣ ହେଲା, ଦୁର୍ଘଟଣା ସମୟରେ ଲୋକୋ ପାଇଲଟ ଓ ସହକାରୀ ଲୋକୋ ପାଇଲଟ ନିଜ ମୋବାଇଲରେ କ୍ରିକେଟ ମ୍ୟାଚ ଦେଖିବାରେ ବ୍ୟସ୍ତ ଥିଲେ । ଏବେ ଆମେ ଏକ ନୂଆ ସିଷ୍ଟମ ଇନଷ୍ଟଲ କରୁଛୁ, ଯାହାକି ଟ୍ରେନ ଚାଲିବା ବେଳେ  ଲୋକୋ  ପାଇଲଟ୍‌ କିମ୍ବା ସହକାରୀ  ଲୋକୋ ପାଇଲଟ୍‌ ଅନ୍ୟମନସ୍କ ହେଲେ ସଙ୍ଗେ ସଙ୍ଗେ ଜଣାଇଦେବ । ଯାହାଫଳରେ  ଲୋକୋ ପାଇଲଟ୍‌ଙ୍କର ପୂରା ଧ୍ୟାନ ଟ୍ରେନ୍‌ ଉପରେ ରହିବ । ”

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆହୁରି କହିଛନ୍ତି ଯେ, “ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଆମେ ସର୍ବଦା ଗୁରୁତ୍ବ ଦେଇଛୁ । ପ୍ରତି ଘଟଣାର ମୂଳ କାରଣ ଖୋଜିବା ପାଇଁ ଚେଷ୍ଟା କରୁଛୁ ଓ ସମାଧାନ ବାହାର କରୁଛୁ, ଯାହା ଦ୍ୱାରା ଭବିଷ୍ୟତରେ ଯେମିତି ସେହି ଘଟଣାର ପୁନରାବୃତ୍ତି ନ ହେବ । ”  

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ୨୯ ତାରିଖ ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା ଅନ୍ତର୍ଗତ କଣ୍ଟକପଲ୍ଲୀ ନିକଟରେ ବିଶାଖାପାଟନମ-ରାୟଗଡା ପାସେଞ୍ଜର ଟ୍ରେନ ଓ ପଲାସା ବିଶାଖାପାଟନମ ପାସେଞ୍ଜର ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା । ଗୋଟିଏ ଟ୍ରେନ ଅନ୍ୟ ଏକ ଟ୍ରେନକୁ ପଛରୁ ଧକ୍କା ଦେଇଥିଲା । ଏହି ଘଟଣାରେ ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଯାତ୍ରୀ ଆହତ ହୋଇଥିଲେ । ବାଲେଶ୍ୱର ବାହାନଗା ଟ୍ରାଜେଡି ପରେ ଦେଶରେ ଏହା ବଡ଼ ଟ୍ରେନ ଦୁର୍ଘଟଣା ଥିଲା ।