• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସର୍ବୋଚ୍ଚ ପଦ ପାଇଁ ମତଦାନ । ରାଷ୍ଟ୍ରମୁଖ୍ୟ ତଥା ଦେଶର ପ୍ରଥମ ନାଗରିକଙ୍କୁ ଚୟନ କରିବାର ଇଏ ହେଉଛି ଗୌରବର ମୁହୂର୍ତ୍ତ । ସକାଳ ପ୍ରାୟ ୧୦ଟା ପାର୍ଲାମେଂଟର ୬୩ ନମ୍ବର ରୁମ୍‌ରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସଂସଦ ଭବନରେ ପହଁଚି ମତଦାନ କରିଥିଲେ ।

ମୋଦି ପରେ ପରେ ବିଭିନ୍ନ ମନ୍ତ୍ରୀ, ସାଂସଦ ଏବଂ କିଛି ବିଧାୟକ ଦେଇଥିଲେ ଭୋଟ୍ । ଦେଶର ପଂଚଦଶ ରାଷ୍ଟ୍ରପତି ଚୟନରେ ନିଜକୁ ସାମିଲ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ମନମୋହନ ସିଂହ ଅସୁସ୍ଥ ଥିବାରୁ ହ୍ୱିଲ ଚେୟାରରେ ପହଁଚିଥିଲେ । ମୁଲାୟମ ସିଂହ ମଧ୍ୟ ହ୍ୱିଲଚେୟାରରେ ଆସି ମତଦାନ କରିଥିଲେ ।

ସେହିପରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଶଶୀ ଥରୁର, ଦିଗବିଜୟ ସିଂ ପ୍ରମୁଖ କଂଗ୍ରେସ ନେତା ଭୋଟ୍ ଦେଇଥିଲେ । ସେପଟେ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକ ନିଜ ନିଜ ରାଜ୍ୟ ବିଧାନସଭାରେ ମତଦାନ କରିଛନ୍ତି । ଯୋଗୀ ଆଦିତ୍ୟନାଥ, ମମତା ବନାର୍ଜୀ , ଜଗନମୋହନ ରେଡ୍ଡି ,ଏକନାଥ ସିନ୍ଦେ, ଶିବରାଜ ସିଂହ ଚୌହାନ, ହେମନ୍ତ ସୋରେନଙ୍କ ସମେତ ଅନ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ରାଜ୍ୟର ବିଧାନସଭାରେ ମତଦାନ କରିଛନ୍ତି ।

ଏପଟେ ରାଷ୍ଟ୍ରପତି ନିର୍ବାଚନର ମତଦାନ ପାଇଁ ବିଧାନସଭାରେ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ଆଜି ପ୍ରଥମେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଭୋଟ୍ ଦେଇଥିଲେ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ପହଁଚି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିର ପ୍ରଥମ ଭୋଟର ଭାବେ ମତଦାନ କରିଥିଲେ । ପରେ ପରେ ବିଜେଡିର ଅନ୍ୟ ବିଧାୟକ ଓ ମନ୍ତ୍ରୀମାନେ ଭୋଟ୍ ଦେଇଥିଲେ । ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଧାନସଭା ଆସି ମତଦାନ କରିଥିଲେ ।

ତେବେ ଜେଲରେ ଥିବା ବିଧାୟକ ପ୍ରଶାନ୍ତ ଜଗଦେବ ଭୋଟ୍ ଦେବାକୁ ଆସିନଥିଲେ । ମୋଟ ୧୪୫ ବିଧାୟକ, ରାଜ୍ୟ ବିଧାନସଭାରେ ଭୋଟ୍ ଦେଇଥିବା ବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସଂସଦରେ ଭୋଟ୍ ଦେଇଛନ୍ତି ।

ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପଲ୍ଲା ଭାରି ରହିଛି । ଦ୍ରୌପଦୀଙ୍କୁ ୬୦ପ୍ରତିଶତରୁ ଅଧିକ ଭୋଟ ମିଳିବା ସମ୍ଭାବନା ରହିଛି । କାରଣ ସମର୍ଥନ ଦୃଷ୍ଟିରୁ ବିପକ୍ଷ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ଠାରୁ ଦ୍ରୌପଦୀ ଆଗରେ ରହିଛନ୍ତି । ତାଙ୍କୁ ଏନଡିଏ ସମେତ ଅନ୍ୟ ଦଳର ମଧ୍ୟ ସମର୍ଥନ ରହିଛି । ବିଜେଡି, ଓ୍ୱାଇଏସ୍ଆର୍ କଂଗ୍ରେସ, ବିଏସ୍‌ପି, ଶିବସେନା, ଜେଡିଏସ୍, ଅକାଳୀ ଦଳ, ଜେଏମ୍ଏମ୍ ଏବଂ ଟିଡିପି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଛନ୍ତି । ସେହିପରି ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ଟିଏମ୍‌ସି, ଡିଏମ୍‌କେ, ଏସ୍‌ପି, ଟିଆର୍ଏସ୍, ଆପ୍, ଆର୍‌ଜେଡି ଏବଂ ବାମଦଳ ସମର୍ଥନ କରୁଛନ୍ତି ।

ତେବେ ବାଲାଟ୍ ବକ୍ସ ସିଲ୍ ହୋଇଯାଇଛି । ଜୁଲାଇ ୨୧ରେ ଖୋଲିବ । ଦେଶର ପରବର୍ତ୍ତୀ ରାଷ୍ଟ୍ରମୁଖ୍ୟ କିଏ ହେବେ ତାହା ସେଦିନ ଭୋଟ୍ ଗଣତି ପରେ ସ୍ପଷ୍ଟ ହେବ । ଏହାପରେ ଜୁଲାଇ ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଶପଥ ନେବେ ।