• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘର ଭାଙ୍ଗିଦେଉଛି ମଦ ନିଶା । ପ୍ରତିଦିନ ଘରେ ମଦକୁ ନେଇ ଗଣ୍ଡଗୋଳ ହେଉଛି । ନିଶାଡ଼ି ତଥା ମଦୁଆଙ୍କୁ ବାହା ହୋଇ ଶହ ଶହ ହଜାର ହଜାର ମହିଳା ବିଧବା ହୋଇଯାଉଛନ୍ତି । ମଦ ପାଇଁ ନାରୀ ନିର୍ଯାତନା,ଅପରାଧ ବଢ଼ୁଛି । ନିଶା କରୁଥିବା ବ୍ୟକ୍ତି କେବେ ବି ଜଣେ ଭଲ ସ୍ୱାମୀ ହୋଇପାରିବ ନାହିଁ କି ପରିବାରର ଯତ୍ନ ନେବନାହିଁ । ଏଭଳି ବ୍ୟକ୍ତିଙ୍କ ସହ ନିଜ ଝିଅ କିମ୍ବା ଭଉଣୀଙ୍କ ବିବାହ କରନ୍ତୁ ନାହିଁ ବୋଲି ଏକ କାର୍ଯ୍ୟକ୍ରମରେ କୋହଭରା କଣ୍ଠରେ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ନିଶା ଖାଉଥିବା ବ୍ୟକ୍ତିଙ୍କ ଜୀବନ କାଳ ବହୁତ କମ୍ । ଉତ୍ତର ପ୍ରଦେଶର ଲମ୍ଭୁଆରେ ନିଶା ନିବାରଣକୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏପରି କହିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ।  ଏହି କାର୍ଯ୍ୟକ୍ରମରେ ସେ ନିଜ ପୁଅଙ୍କ ଉଦାହରଣ ଦେଇଛନ୍ତି । ନିଜେ ଜଣେ ସାସଂଦ ଓ ପତ୍ନୀ ବିଧାୟକ ହୋଇ ମଧ୍ୟ ନିଜ ପୁଅକୁ ନିଶାରୁ ବଞ୍ଚାଇ ପାରିନଥିଲେ । ଏଭଳି ସ୍ଥିତିରେ ଜଣେ ସାଧାରଣ ଲୋକ କିଭଳି କରିପାରିବ ।

ପୁଅ ଆକାଶ ସାଙ୍ଗ ମାନଙ୍କ ସହ ସବୁବେଳେ ମଦ ପିଇ ନିଶାରେ ଚୁର ରହୁଥିଲା । କୁଅଭ୍ୟାସରୁ ରକ୍ଷା କରିବା ପାଇଁ ତାକୁ ଏକ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମଦପିଆ ଛାଡ଼ି ଦେବ ଚିନ୍ତା କରି ୬ ମାସ ପରେ ତା’ର ବିବାହ କରାଇ ଦିଆଯାଇଥିଲା । ହେଲେ ବିବାହ ପରେ ମଧ୍ୟ ସେ ମଦ ପୁଣି ପିଇବା ଆରମ୍ଭ କରିଥିଲା, ଶେଷରେ ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଗଲା । ଦୁଇ ବର୍ଷ ପୂର୍ବେ ଯେତେବେଳେ ଅକ୍ଟୋବର ୧୯ ରେ ଆକାଶଙ୍କର ମୃତ୍ୟୁ ହୋଇଥିଲା । ସେତେବେଳେ ଆକାଶଙ୍କ ପୁଅକୁ ମାତ୍ର ଦୁଇ ବର୍ଷ ହୋଇଥିଲା । ପୁଅର ମୃତ୍ୟୁ ପରେ ବୋହୂ ବିଧବା ହୋଇଗଲା । ଗୋଟିଏ ଝିଅର ଦୁଃଖ ଆମେ ମର୍ମେ ମର୍ମେ ଅନୁଭବ କରୁଛି । ଏଥିପାଇଁ ନିଜ ଝିଅ ଓ ଭଉଣୀମାନଙ୍କୁ ଏଥିରୁ ରକ୍ଷା କର ବୋଲି ସେ କହିଛନ୍ତି ।

ନିଶା ଯୋଗୁଁ ପ୍ରତିବର୍ଷ ପାଖାପାଖି ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଏପରିକି କ୍ୟାନସରରେ ପୀଡିତ ହୋଇ ମୃତ୍ୟୁ ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକଙ୍କ ମୃତ୍ୟୁର କାରଣ ତମାଖୁ, ବିଡି, ସିଗାରେଟ । ନିଶାମୁକ୍ତି କାର୍ଯ୍ୟକ୍ରମରେ ଭାଗ ନେଇ ସାଧାରଣ ଲୋକଙ୍କୁ ନିଶାରୁ ଦୂରେଇ ରହିବା ପାଇଁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ କୌଶଳ କିଶୋର ।