• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚିକିତ୍ସା ଇତିହାସରେ ଏକ ବଡ଼ ଭୁଲ । ଗଲବ୍ଲାଡର ବା ପିତ୍ତକୋଷ କାଢ଼ିବା ବଦଳରେ ମହିଳାଙ୍କ ୟୁଟ୍ରସ ବା ଗର୍ଭାଶୟ କାଢ଼ିନେଲେ ଡାକ୍ତର । ଏଭଳି ଏକ ସାଂଘାତିକ ଘଟଣା ଘଟିଛି ଉତ୍ତରପ୍ରଦେଶରେ । ମହିଳା ଜଣକ ଅପରେସନ୍‌ ସରିବା ପରେ ଯେତେବେଳେ ଏଭଳି ଭୁଲ ବିଷୟରେ ଜାଣିବାକୁ ପାଇଥିଲେ, ସେତେବେଳେ ସେ ପୋଲିସ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରିଥିଲେ । ହେଲେ କେହି ତାଙ୍କ କଥା ଶୁଣିଲେ ନାହିଁ ।

ତେବେ ଏହି ଘଟଣାର ତିନି ବର୍ଷ ପରେ ଏବେ ଅଦାଲତଙ୍କ ନିର୍ଦେଶ ଯୋଗୁଁ ଅଭିଯୁକ୍ତ ଡାକ୍ତର ଓ ଜଣେ ଆଶା କର୍ମୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଡାକ୍ତର ଜଣକ ହେଲେ ପ୍ରବୀଣ ତିୱାରୀ । ଆଉ ଆଶା କର୍ମୀ ଜଣକ ହେଲେ ଆଶା ଯାଦବ । ଯିଏକି ମହିଳାଙ୍କୁ ଉକ୍ତ ଡାକ୍ତରଙ୍କ ପାଖକୁ ଅପରେସନ୍‌ ପାଇଁ ପଠାଇଥିଲେ ।

ଚୋଲାପୁର ଅଞ୍ଚଳର ବାସିନ୍ଦା ଗୋବିନ୍ଦ ମୌର୍ଯ୍ୟ କହିଛନ୍ତି ଯେ, ମାର୍ଚ୍ଚ ୨୦୨୦ ରେ ତାଙ୍କ ପତ୍ନୀ ଉଷା ମୌର୍ଯ୍ୟଙ୍କ ପେଟରେ ଖୁବ୍‌ ଜୋରରେ ଯନ୍ତ୍ରଣା ହୋଇଥିଲା। ତେଣୁ ସେ ଆଶା କର୍ମୀ ଆଶା ଯାଦବଙ୍କ ସହ ଯୋଗାଯୋଗ କରିଥିଲେ । ଆଶାଙ୍କ କହିବାନୁସାରେ ଗୋବିନ୍ଦ ନିଜ ପତ୍ନୀଙ୍କୁ ମୋହାଂବସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ତାପରେ ୨୧ ମେ ୨୦୨୦ ରେ, ଉକ୍ତ ହସ୍ପିଟାଲରେ ଥିବା ଡାକ୍ତର ପ୍ରବୀଣ ତିୱାରୀ, ମହିଳାଙ୍କ ଗଲ୍‌ବ୍ଲାଡରରେ ଥିବା ଷ୍ଟୋନ୍‌ ଅପରେସନ୍‌ କରିଥିଲେ । ପ୍ରାୟ ଦୁଇ ବର୍ଷ ପରେ ଉଷା ପୁଣି ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କଲେ । ଫଳରେ ଚୋଲାପୁରସ୍ଥିତ ସିଦ୍ଧ ବିନାୟକ ଡାଇଗ୍ନୋଷ୍ଟିକ୍ ସେଣ୍ଟରରେ ଉଷାଙ୍କ ଅଲଟ୍ରାସାଉଣ୍ଡ କରିଥିଲେ । ଆଉ ସେଠାରେ ରିପୋର୍ଟ ଆସିବା ପରେ ଗୋବିନ୍ଦ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଉଷାଙ୍କ ଗଲ୍‌ବ୍ଲାଡରରେ ଥିବା ଷ୍ଟୋନ୍‌ର ଆକାର ଖୁବ୍‌ ବଢ଼ିଯାଇଥିଲା ଏବଂ ଗର୍ଭାଶୟ ନଥିଲା ।

ଗୋବିନ୍ଦଙ୍କ ଅନୁଯାୟୀ ପତ୍ନୀଙ୍କ ବୟସ ଖୁବ୍‌ କମ୍ । ତେଣୁ ଡାକ୍ତରଙ୍କ ଏଭଳି ଅବହେଳା ତାଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି ।