• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାରକୁ ନେଇ ବିବାଦ ମଧ୍ୟରେ ଆଉ ଜଣେ ଭକ୍ତ ଏକ ବଡ଼ ଦାବି କରିଛନ୍ତି । ତେଲେଙ୍ଗାନାର ଖମ୍ମାମ ଜିଲ୍ଲାର ଜଣେ ଭକ୍ତ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରର ପ୍ରସାଦକୁ ନେଇ ଉଦବେଗ୍‌ ପ୍ରକାଶ କରିଛନ୍ତି ।

ତେଲେଙ୍ଗାନାର ଖମ୍ମାମ ଜିଲ୍ଲାର ଜଣେ ମହିଳା ଦାବି କରିଛନ୍ତି ଯେ ତିରୁପତି ମନ୍ଦିରର ପବିତ୍ର ଲଡୁରୁ ତମାଖୁ ମିଳିଛି । ମହିଳାଙ୍କ କହିବାନୁସାରେ, ଯେତେବେଳେ ସେ ତିରୁପତି ମନ୍ଦିରର ପ୍ରସାଦ ତାଙ୍କ ଘରକୁ ଆଣିଥିଲେ, ସେତେବେଳେ ସେ ପ୍ରସାଦରେ ଏକ କାଗଜରେ ତମାଖୁ ଗୁଡ଼ା ହୋଇଥିବାର ଦେଖିବାକୁ ପାଇଥିଲେ । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ଭକ୍ତ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ଖମ୍ମାମ ଜିଲ୍ଲାର କାର୍ତ୍ତିକେୟ ଅଞ୍ଚଳର ରହୁଥିବା ଦେନ୍ତୁ ପଦ୍ମାବତୀ ନାମକ ଜଣେ ମହିଳା ଦାବି କରିଥିଲେ ଯେ ତାଙ୍କ ପ୍ରସାଦରେ ତମାଖୁ ରହିଥିଲା । ସେ ୧୯ ସେପ୍ଟେମ୍ବରରେ ତିରୁମାଲା ମନ୍ଦିରକୁ ଯାଇଥିଲେ । ପ୍ରତ୍ୟେକ ଭକ୍ତଙ୍କ ପରି ପଦ୍ମାବତୀ ମଧ୍ୟ ମନ୍ଦିରରୁ ପ୍ରସାଦ ଆଣି ତାଙ୍କ ନିକଟତମ ଲୋକଙ୍କ ମଧ୍ୟରେ ବାଣ୍ଟିଥିଲେ ।

ପଦ୍ମାବତୀଙ୍କ କହିବା ଅନୁଯାୟୀ, ଯେତେବେଳେ ଆମେ ଲଡୁ ଖୋଲି ଲୋକମାନଙ୍କ ମଧ୍ୟରେ ବାଣ୍ଟିବା ଆରମ୍ଭ କରିଥିଲୁ, ପ୍ରସାଦ ଭିତରେ ଏକ କାଗଜରେ ତମାଖୁ ଗୁଡ଼ାଯାଇଥିବା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ସେ ଭାବିଥିଲେ ଯେ ଏହି ପ୍ରସାଦ ପବିତ୍ର, କିନ୍ତୁ ପ୍ରସାଦରେ ତମାଖୁ ଦେଖିବା ପରେ ତାଙ୍କ ହୃଦୟ ଭାଙ୍ଗି ଯାଇଥିଲା । ତେବେ ପଦ୍ମାବତୀଙ୍କ ଏହି ବୟାନ ପରେ ଲକ୍ଷ ଲକ୍ଷ ତିରୁପତି ଭକ୍ତଙ୍କ ଆବେଗକୁ ପୁଣି ଶକ୍ତ ଆଘାତ ଲାଗିଛି ।

ସେପଟେ ମହିଳାଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଛି ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ତିପୁରତି ତିରୁମାଳା ଦେବସ୍ଥାନମ୍ ବା ଟିଟିଡି । ଏହି ଲଡୁକୁ ବୈଷ୍ଣବ ବ୍ରାହ୍ମଣମାନେ ଅତି ପବିତ୍ରତାର ସହ କରିଥାନ୍ତି ଏବଂ ଏହି ପୂରା ପ୍ରକ୍ରିୟା ସିସିଟିଭି ନଜରରେ ହୋଇଥାଏ ବୋଲି ଟିଟିଡି କହିଛି ।

ସୂଚନା ଅନୁସାରେ ଏହା ପୂର୍ବରୁ ତିରୁପତି ତିରୁମାଲା ପ୍ରସାଦରେ ପଶୁ ଚର୍ବି ମିଶୁଥିବା ଅଭିଯୋଗକୁ ନେଇ ଆନ୍ଧ୍ରପ୍ରଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଲଡ଼ୁ ପାଇଁ ବ୍ୟବହୃତ ଘିଅରେ ବିଫ୍ ଚର୍ବି ଓ ମାଛ ତେଲ ମିଶା ଯାଉଥିବା ନେଇ ଶାସକ ଟିଡିପି ଅଭିଯୋଗ କରିଥିଲା । ଘିଅର ଲ୍ୟାବ୍ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆଣି ପୂର୍ବ ସରକାରକୁ ନିଶାନା କରିଥିଲେ । ଗୁଜରାଟର ସେଣ୍ଟର୍ ଅଫ୍ ଆନାଲିସିସ୍ ଆଣ୍ଡ୍ ଲର୍ଣ୍ଣିଂ ଇନ୍ ଲାଇଭଷ୍ଟକ ଆଣ୍ଡ୍ ଫୁଡ୍ ବା କାଫ୍ ନାମକ ଏକ ଲାବ୍ରୋଟରିର ଜୁଲାଇ ୧୭ର ଏହି ଟେଷ୍ଟ ରିପୋର୍ଟ ସାମ୍ନାକୁ ଆଣିଥିଲା ଟିଡିପି ।

ଏହି ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଏଥିରେ ଗୋଦୁଗ୍ଧ ବ୍ୟତୀତ ଅନ୍ୟ ଚର୍ବି ମଧ୍ୟ ମିଶିଥାଇପାରେ ବୋଲି ସନ୍ଦେହ ପ୍ରକାଶ କରାଯାଇଥିଲା । ଏଥିରେ ମାଛତେଲ, ବିଫ୍ ଚର୍ବି ଓ ଲାର୍ଡ ମିଶିଥାଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ ଥିଲା । ଲାର୍ଡ ହେଉଛି ଘୁଷୁରୀ ମାଂସରୁ ସଂଗୃହିତ ଏକ ପ୍ରକାର ଚର୍ବି ।

OTV is now on Whatsapp

Join and get latest news update delivered to you via whatsapp

Join Now