• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଚିନ୍ତାଜନକ

  • ଚାରିଆଡ଼େ କୁହୁଡ଼ି ଓ ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ : ପୁଣି ସ୍ମଗ୍ ସମସ୍ୟା ଘେରରେ ଦିଲ୍ଲୀ । ଦୀପାବଳି ପରେ ପ୍ରଦୂଷଣ ରାକ୍ଷସର ଆଁରେ ଦେଶର ରାଜଧାନୀ । ଚାରିଆଡ଼େ କୁହୁଡ଼ି ଓ ଧୂଆଁର ଘନ ଆସ୍ତରଣ ଦେଖିବାକୁ ମିଳିଛି । ବାୟୁରେ ମାତ୍ରାଧିକ ବିଷାକ୍ତ କଣିକା ରହିଛି, ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ। ଦିଲ୍ଲୀ ୟୁନିଭର୍ସିଟି, ପୁଷା,ଆଇଆଇଟ୍ ଓ ମଥୁରା ରୋଡ଼୍ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଅଧିକ ରହିଛି । ଫଳରେ ଆକାଶରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ସେହିପରି ନୋଏଡ଼ା, ମୟୁରବିହାର, ଅକ୍ଷରଧାମ ଓ ଓଖଲା ଅଞ୍ଚଳରେ ଧୂଆଁମୟ ପରିବେଶ ଦେଖିବାକୁ ମିଳିଛି ।

ଦିଲ୍ଲୀ ଜନପଥରେ ଏୟାର କ୍ୱାଲିଟି ‘ଭୟଙ୍କର’ ସ୍ଥିତିରେ ପହଞ୍ଚିଛି। କେତେକ ସ୍ଥାନରେ ଦୃଶ୍ୟମାନ ଦୂରତା କମି ଆସିଛି । ଫଳରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଛନ୍ତି ଦିଲ୍ଲୀବାସୀ । ଘନ କୁହୁଡ଼ି ଯୋଗୁ ଆଖିରୁ ପାଣି ବାହାରିବା ସହ କାଶ ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି। ପଞ୍ଜାବ ଓ ହରିଆଣାରେ ଚାଷ ଜମିରେ ନଡ଼ା ଜଳାଯିବା ଓ ଦିଲ୍ଲୀ ଏନସିଅଆରରେ ଦୀପାବଳି ପାଳନ ଦିଲ୍ଲୀ ପାଇଁ ବିପଦ ଆଣିଦେଇଛି ।

ସେପଟେ ଦୁଇଦିନର ସାଂଘାତିକ ପ୍ରଦୂଷଣ ପରେ ଆଜି ଦିଲ୍ଲୀ ଓ ଏନସିଆରରେ ସ୍ଥିତି ସାମାନ୍ୟ ସୁଧୁରିଛି । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ସାଂଘାତିକ ସ୍ତରରେ ରହିଥିଲେ ବି ସାମାନ୍ୟ ଉନ୍ନତି ଆସିଛି ବାୟୁମଣ୍ଡଳରେ ପ୍ରଦୂଷଣ ସୃଷ୍ଟି କରୁଥିବା କଣିକା ଅଳ୍ପ କମିଛି ଅଧିକାଂଶ ସ୍ଥାନରେ ସାମଗ୍ରିକ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୩୬କୁ ହ୍ରାସ ପାଇଛି । ଗତକାଲି ଏୟାର କ୍ୱାଲିଟି ଇଣ୍ଡେକ୍ସ ୫୩୩ ରହିଥିଲା ବେଳେ ଆଜି ସକାଳେ ପିଏମ୍-୧୦, ପିଏମ୍ ୨.୫ ମାତ୍ରା ଯଥାକ୍ରମେ ୪୧୨ ଓ ୨୮୬କୁ ହ୍ରାସ ପାଇଛି ।

ସୂଚନାଯୋଗ୍ୟ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇ ଥିଲେ । ହେଲେ ଦୀପାବଳି ଦିନ ଦିଲ୍ଲୀର ଅନେକ ଅଞ୍ଚଳରେ ବାଣ ଫୁଟା ଯାଇଥିଲା, ଲୋକେ କଟକଣା ମାନିନଥିଲେ । ଆଉ ଏବେ ଏହାର ଫଳ ଭୋଗୁଛନ୍ତି । ପ୍ରଦୂଷଣ ରୋକିବା ପାଇଁ ସରକାରଙ୍କ ସମସ୍ତ ପ୍ରୟାସ ଫସର ଫାଟି ଯାଇଥିବା କୁହାଯାଉଛି।