• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ମାମଲାରେ ୫ ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ବଳରେ ମାମଲା ରୁଜୁ । ଏହି କଠୋର ଆତଙ୍କବାଦୀ ବିରୋଧୀ ଆଇନ୍ ବଳରେ କୌଣସି ଅଭିଯୋଗ ବିନା ଅଭିଯୁକ୍ତମାନଙ୍କୁ ମାସ ମାସ ଧରି ଅଟକ ରଖାଯାଇପାରିବ । ଏହି ଅଭିଯୁକ୍ତମାନେ ହେଲେ ଅନସାର, ସଲିମ, ଇମାମ୍, ଦିଲସାଦ ଓ ଅହିର ।

ଗତ ଶନିବାର ହିଂସାକାଣ୍ଡ ପରଠାରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବଢାଯିବା ସହ ଅଧିକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ନିୟମିତ ଭାବେ କରାଯାଉଛି । ହିଂସା ଘଟଣାର ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତନାଘନା କରିଛି । ଦିଲ୍ଲୀ ପୋଲିସ ପକ୍ଷରୁ ଡ୍ରୋନ୍ ସହାୟତାରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି । ଜାମା ମସ୍‌ଜିଦ ଅଞ୍ଚଳରେ ପୋଲିସ ଡ୍ରୋନ୍ ଉଡ଼ାଇ ସ୍ଥିତି ଉପରେ ନଜର ରଖିଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ପୋଲିସ କମିଶନରଙ୍କୁ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ପରେ ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଏହି ପଦକ୍ଷେପ ନେଇଛି ।

ସେପଟେ ଦିଲ୍ଲୀ ଜାହାଙ୍ଗିରପୁରୀ ଅଞ୍ଚଳରେ କୌଣସି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିନଥିବାବେଳେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷେ, ଜାହାଙ୍ଗିରପୁରୀ ଅଞ୍ଚଳରେ ଆଜିଠୁ ଦୁଇ ଦିନ ଧରି ସରକାରୀ ଜମିରେ ଥିବା ବେଆଇନ ନିର୍ମାଣ ହଟାଯିବାକୁ ଯୋଜନା ରହିଛି । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ନର୍ଥ ଦିଲ୍ଲୀ ମେୟର ଦାବି କରିଛନ୍ତି ।