• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭୋଟ୍ ଦେଲା ଦିଲ୍ଲୀ । ଦିଲ୍ଲୀ ମହାନଗର ନିଗମ ବା MCD ନିର୍ବାଚନ ଉପରେ ଆଜି ସାରା ଦେଶର ନଜର ଅଟକିଥିବା ବେଳେ, ସେଠି ତ୍ରିମୁଖୀ ଲଢ଼େଇ ହେଉଛି । ଲଗାତାର ୩ ଥର ନିର୍ବାଚନ ଜିତି ୧୫ ବର୍ଷ ହେଲା କ୍ଷମତାସୀନ ବିଜେପିକୁ ଟକ୍କର ଦେଉଛନ୍ତି ଆପ୍ ଓ କଂଗ୍ରେସ । ସକାଳ ୮ଟାରୁ ସଂଧ୍ୟା ସାଢ଼େ ୫ଟା ଯାଏଁ ଭୋଟ୍ ଗ୍ରହଣ ହୋଇଥିବା ବେଳେ ଅପରାହ୍ଣ ୪ଟା ସୁଦ୍ଧା ପ୍ରାୟ ୪୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ତେଣେ ଆସନ୍ତାକାଲିର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ଗୁଜରାଟ ବି ପ୍ରସ୍ତୁତ ରହିଛି ।

୨୫୦ ୱାର୍ଡ, ୩ ହଜାର ୬୩୮ ପୋଲିଂ ବୁଥ୍ । ଦିଲ୍ଲୀ ମହାନଗର ନିଗମ ବା MCD ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ସଂଧ୍ୟା ସାଢ଼େ ୫ଟା ଯାଏଁ ଚାଲିଥିଲା ଭୋଟ୍ ଗ୍ରହଣ । ବିଭିନ୍ନ ବୁଥ୍‌ରେ ସଚେତନ ଭୋଟର୍ ଆସି ନିଜ ମତାଧିକାର ସାବ୍ୟସ୍ତ କରିଥିଲେ ବି, ପୂର୍ବାହ୍ଣରେ ସାମଗ୍ରିକ ଭାବେ ଭୋଟ୍ ଦେବା ପାଇଁ ସେତେଟା ଉତ୍ସାହ ଦେଖିବାକୁ ମିଳିନଥିଲା । ମଧ୍ୟାହ୍ନ ସୁଦ୍ଧା ମାତ୍ର ୧୮ ପ୍ରତିଶତ ଭୋଟିଂ ହୋଇଥିବା ବେଳେ, ଅପରାହ୍ଣ ୨ଟା ସୁଦ୍ଧା ଏହା ୩୦ ପ୍ରତିଶତ ଓ ୪ଟା ସୁଦ୍ଧା ୪୫ ପ୍ରତିଶତରେ ପହଞ୍ଚିଥିଲା ।

ଦିଲ୍ଲୀର ମୋଟ୍ ଭୋଟର୍ ସଂଖ୍ୟା ପ୍ରାୟ ୧ କୋଟି ୪୫ ଲକ୍ଷ । ତେଣେ କିଛି ଆଦର୍ଶ ମତଦାନ କେନ୍ଦ୍ରରେ ଲାଉଞ୍ଜ୍, ସେଲ୍‌ଫି ପଏଣ୍ଟ ଭଳି ଆଧୁନିକ ବ୍ୟବସ୍ଥା ଭୋଟର୍‌ଙ୍କୁ ଉତ୍ସାହିତ କରିଥିଲା । ଶୃଙ୍ଖଳିତ ମତଦାନ ଓ ସୁରକ୍ଷା ଦୃଷ୍ଟିରୁ ମୁତୟନ ହୋଇଥିଲେ ପ୍ରାୟ ୪୦ ହଜାର ପୋଲିସ୍ କର୍ମଚାରୀ, ୧୦୮ କମ୍ପାନୀ ପାରାମିଲିଟାରୀ ଫୋର୍ସ ଏବଂ ରାଜ୍ୟ ସଶସ୍ତ୍ର ପୋଲିସ୍ ଫୋର୍ସ ଇତ୍ୟାଦି । ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିଥିଲା ୬୦ଟି ଡ୍ରୋନ୍ ।

ଦିଲ୍ଲୀର ବିଭିନ୍ନ ବୁଥ୍‌କୁ ଯାଇ ଭୋଟ୍ ଦେଇଛନ୍ତି ବହୁ ହେଭିୱେଟ୍ ନେତା । ହିଲ୍ ରୋଡ୍ ବୁଥ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ନିଜ ପତ୍ନୀ ଓ ବାପା ମାଆଙ୍କ ସହ ଆସି ଭୋଟ୍ ଦେଇଥିବା ବେଳେ, ଆନନ୍ଦ ନିକେତନ ମାଉଣ୍ଟ କାର୍ମେଲ୍ ସ୍କୁଲରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ କ୍ରିଷନ୍ ନଗର ବୁଥ୍‌ରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମତଦାନ କରିଛନ୍ତି ।

ବିଜେପି ସାଂସଦ ମନୋଜ ତିୱାରୀ ଓ ଗୌତମ ଗମ୍ଭୀର ମଧ୍ୟ ଭିନ୍ନ ଭିନ୍ନ ସ୍ଥାନରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ଗୌତମ ଗମ୍ଭୀରଙ୍କ ସହ ନଜର ଆସିଥିଲେ ତାଙ୍କ ପତ୍ନୀ ନତାଶା ଜୈନ । ତେଣେ ରଜୌରୀ ଗାର୍ଡେନ୍ ବୁଥ୍‌ରେ ନିଜ ମାଆଙ୍କ ସହ ଭୋଟ୍ ଦେବାକୁ ପହଞ୍ଚିଥିଲେ କଂଗ୍ରେସ ନେତା ଅଜୟ ମାକନ୍ ।

ଅନ୍ୟ ପକ୍ଷରେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅନୀଲ ଚୌଧୁରୀଙ୍କ ନାଁ ଭୋଟର୍ ଲିଷ୍ଟ୍‌ରେ ନଥିବାରୁ ସେ ଭୋଟ୍ ଦେଇନପାରି କ୍ଷୋଭ ପ୍ରକାଶ କରିଛନ୍ତି । ଦିଲ୍ଲୀ ମହାନଗର ନିଗମ ନିର୍ବାଚନକୁ ଗତ ୧୫ ବର୍ଷ ଧରି ଜିତି ଆସୁଛି ବିଜେପି । ଦଳ ଏଥର ବି ବାଜିମାତ୍ କରିବା ଲକ୍ଷ୍ୟରେ । ହେଲେ ପ୍ରଦୂଷଣ ଓ ପରିମଳ ଆଦିକୁ ପ୍ରସଙ୍ଗ କରି ନିଜ ସପକ୍ଷରେ ଭୋଟ୍ ହାତେଇବାକୁ ଚେଷ୍ଟା କରିଛନ୍ତି ଆପ୍ ଓ କଂଗ୍ରେସ । ଫଳାଫଳ ଆସନ୍ତା ୭ ତାରିଖରେ ଜଣାପଡ଼ିବ ।

ତେଣେ ରାତି ପାହିଲେ ଗୁଜରାଟରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ମୋଟ ୧୮୨ ବିଧାନସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ୮୯ ସିଟ୍ ପାଇଁ ଭୋଟିଂ ହୋଇସାରିଥିବା ବେଳେ, ଆସନ୍ତାକାଲି ୯୩ଟି ସିଟ୍‌ରେ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ର୍ନିର୍ଦ୍ଧାରଣ କରିବେ ଭୋଟର୍ । ଏଥିପାଇଁ ପ୍ରସ୍ତୁତ ପୋଲିଂ ବୁଥ୍‌କୁ ପଠାସରିଛି ଇଭିଏମ୍ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୋଲିସ । ଡିସେମ୍ବର ୮ରେ ଭୋଟ୍ ଗଣତି ହେବ ।

(ରିପୋର୍ଟର- ଦିଲ୍ଲୀରୁ ଶିବାନନ୍ଦ ରାଉତ)