• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୁଦ୍ଧ ଭିତରେ ପ୍ରେମର ବାର୍ତ୍ତା । ଧ୍ୱଂସସ୍ତପରେ ପରିଣତ ହୋଇଥିବା ନିଜ ସହରକୁ, ପରିବାର ଓ ପରିଜନକୁ ଛାଡ଼ି ଭାରତ ଉଡ଼ିଆସିଛନ୍ତି ୟୁକ୍ରେନୀୟ ଯୁବତୀ । ଅନେକ ଝଡ଼ଝଞ୍ଜା ଓ ଅପେକ୍ଷା ପରେ ଦୁଇ ହୃଦୟର ମିଳନ ହେବ । ଶଙ୍ଖ, ମହୁରୀ ବାଜିବ ଆଉ ଏକାଠି ହେବେ ଅନୁଭବ ଓ ଆନ୍ନା । ବିବାହ ବନ୍ଧନରେ ବାନ୍ଧିହେବେ ୟୁକ୍ରେନ୍‌ର ଯୁବତୀ ଓ ଭାରତୀୟ ଯୁବକ । ଦିଲ୍ଲୀର ଅନୁଭବ ଭାସିନ ଏବଂ ୟୁକ୍ରେନର ଆନ୍ନା ହୋରୋଡେଟସ୍କାଙ୍କ ପ୍ରେମ କାହାଣୀ ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରେମର ବାର୍ତ୍ତା ଦେଉଛି ।

ଦିଲ୍ଲୀର ଅନୁଭବ ଭସିନ୍ ଏବଂ ୟୁକ୍ରେନର ଆନ୍ନା ହୋରୋଡେଟସ୍କା । ୩୩ ବର୍ଷିୟ ଅନୁଭବ ହାଇକୋର୍ଟରେ ଓକିଲ ଅଛନ୍ତି । ଆନ୍ନା ଏକ ଆଇଟି କମ୍ପାନୀରେ ଚାକିରି କରନ୍ତି । ଆସନ୍ତା ମାସରେ ପ୍ରେମୀଯୁଗଳ ହାତକୁ ଦୁଇହାତ ହେବାକୁ ଯାଉଛନ୍ତି । ହେଲେ ସହଜ ନଥିଲା ଉଭୟଙ୍କ ପ୍ରେମକାହାଣୀ । ଯୁଦ୍ଧ ଘନଘନଟା ଭିତରେ ନୂଆ ଜୀବନ ପାଇଛନ୍ତି ଆନ୍ନା । ବଙ୍କର ଭିତରେ ରାତି ବିତାଇବା ପରେ ସେ ଭାରତରେ ପହଞ୍ଚିଛନ୍ତି ।

ଆଜିକୁ ଦୁଇ ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ବିବାହ ପାଇଁ ଉଭୟଙ୍କ ପରିବାର ମଧ୍ୟ ରାଜି ହୋଇଥିଲେ । ମାର୍ଚ୍ଚ ମାସରେ ହାତଗଣ୍ଠି ପଡ଼ିଥାଆନ୍ତା । ହେଲେ ତିଥି ଦେଖୁ ଦେଖୁ ୟୁକ୍ରେନ୍‌ରେ ଯୁଦ୍ଧ ଆରମ୍ଭ ହୋଇଗଲା । ଆନ୍ନା ନିଜ ମା’ଙ୍କ ସହ ସେଠାରେ ଏକ ବଙ୍କରେ ଫସିଯାଇଥିଲେ । ଚାହିଁଲେ ବି ଭାରତକୁ ଆସିପାରୁନଥିଲେ । ବୋମାମାଡ଼ ଆଉ ଯୁଦ୍ଧ ଭିତରେ ଅନେକ କଷ୍ଟ କରିବା ପରେ ସେ ଭାରତ ଚାଲି ଆସିଛନ୍ତି । ତେବେଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନ ଛାଡି ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ଆନ୍ନାଙ୍କୁ ଦେଖି ଭାବବିହ୍ୱଳ ହୋଇଯାଇଥିଲେ ଅନୁଭବ । କାଳବିଳମ୍ବ ନକରି ଫିଲ୍ମି ଅନ୍ଦାଜରେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଏବଂ ଆନ୍ନା ଖୁସି ଖୁସି ଏହାକୁ ଗ୍ରହଣ କରିଥିଲେ ।

ଲକଡାଉନ୍ ସମୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ

ଲକଡାଉନ୍‌ ପୂର୍ବରୁ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲେ ପ୍ରେମସମ୍ପର୍କ । ଆନ୍ନା ଭାରତ ଭ୍ରମଣ ପାଇଁ ଆସିଥିବା ବେଳେ ଅନୁଭବଙ୍କୁ ଭେଟିଥିଲେ । ଉଭୟ ଏକାଠି ଭାରତ ଭ୍ରମଣ କରିଥିଲେ । ହେଲେ ହଠାତ୍ କରୋନା ମହାମାରୀ ବଢ଼ିବା ଯୋଗୁଁ ୨୦୨୦ରେ ଲକଡାଉନ୍ ଲାଗିଥିଲା । ଫଳରେ ବିମାନ ଉଡ଼ାଣ ବାତିଲ ହୋଇଯାଇଥିଲା ଅଆଉ ଆନ୍ନା ଭାରତରେ ଅଟକି ଯାଇଥିଲେ । ତେଣୁ ଲକଡାଉନ୍ ଖୋଲିବା ପର୍ଯ୍ୟନ୍ତ ସେ ଅନୁଭବଙ୍କ ଘରେ ରହିଥିଲେ । ସେହି ସମୟରେ ଉଭୟେ ପାଖାପାଖି ହୋଇଥିଲେ ଓ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।