• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାକ୍ ଅଧିକୃତ କାଶ୍ମୀର ବା ପିଓକେକୁ ଅକ୍ତିଆର କରିବ ଭାରତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଏହି ମନ୍ତବ୍ୟ ପରେ ପାକିସ୍ତାନକୁ ସାହସ ଦେଇଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ । ପାକିସ୍ତାନର ସର୍ବଭୌମତ୍ୱ ରକ୍ଷା ଲାଗି ଚୀନ୍ ସବୁ ପ୍ରକାର ସହାୟତା କରିବ ବୋଲି ବେଜିଂ ଗସ୍ତରେ ଥିବାବେଳେ ପ୍ରଧାନମନ୍ତ୍ରୀ ଶାହାବାଜ୍ ସରିଫଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଜିନପିଙ୍ଗ୍ । ପରୋକ୍ଷରେ ଏହା ଭାରତକୁ ଚୀନର ଚେତାବନୀ ବୋଲି କୁହାଯାଉଛି । ତେବେ ଏନେଇ ନୂଆଦିଲ୍ଲୀ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆାଯାଇନଥିଲେ ମଧ୍ୟ, ପାକ୍ ଅଧିକୃତ କାଶ୍ମୀରରେ ସିପେକ୍ ପ୍ରକଳ୍ପକୁ ଭାରତ ବିରୋଧ କରିଆସୁଛି । ଦେଶର ସର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା କୌଣସି କାର୍ଯ୍ୟକଳାପକୁ ଭାରତ ବରଦାସ୍ତ କରିବ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ।

ବେଜିଂ ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ୍ ସରିଫ୍ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଗତକାଲି ବୈଠକ ହୋଇଥିଲା । ପାକିସ୍ତାନର ସ୍ଥିରତା, ବିକାଶ ଏବଂ ସମ୍ମାନ ରକ୍ଷା ଲାଗି ଚୀନ୍ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ଜିନପିଙ୍ଗ ସରିଫଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଥିବା ଚୀନ୍ ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି ।

ପାକିସ୍ତାନ ଅଧିକୃତ କାଶ୍ମୀରକୁ ନିଜ ନିୟନ୍ତ୍ରଣକୁ ନେବା ଲାଗି ୧୯୯୪ ଫେବ୍ରୁଆରୀ ୨୨ରେ ଭାରତୀୟ ପାର୍ଲାମେଣ୍ଟରେ ପ୍ରସ୍ତାବ ପାରିତ ହୋଇଥିଲା । ଜାମ୍ମୁ, ସମଗ୍ର କାଶ୍ମୀର ଏବଂ ଲଦାଖ୍ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସବୁଦିନ ପାଇଁ ଭାରତର ହୋଇ ରହିବ ବୋଲି ପ୍ରସ୍ତାବରେ କୁହାଯାଇଥିଲା । ଗତ ୨୭ ତାରିକରେ କାଶ୍ମୀରର ବଡ଼ଗାମରେ ଆୟୋଜିତ ଏକ ସେନା ଉତ୍ସବରେ ରାଜନାଥ ଏହି ପ୍ରସଙ୍ଗ ଦୋହରାଇଥିଲେ । ଭାରତ ଉତ୍ତର ଦିଗରେ ଏହାର ଯାତ୍ରା ଆରମ୍ଭ କରିଛି ଗିଲଗିଟ୍ ଓ ବଲ୍ଟିସ୍ତାନ ଉପରେ ନିୟନ୍ତ୍ରଣ ନପାଇବା ଯାଏଁ ଏହି ଯାତ୍ରା ଶେଷ ହେବ ନାହିଁ ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ସି. ଜିନ୍ପିଙ୍ଗଙ୍କ ପ୍ରତିଶ୍ରୁତି ଉପରେ କୌଣସି ସିଧା ପ୍ରତିକ୍ରିୟା ଦେଇନାହିଁ ଭାରତ । ମାତ୍ର ପାକିସ୍ତାନ ଅଧିକୃତ ଭାରତର ଏବଂ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲା ଭଳି କୌଣସି ପଦକ୍ଷେପକୁ ନୂଆଦିଲ୍ଲୀ ବରଦାସ୍ତ କରିବ ନାହିଁ କହିଛନ୍ତି ବୈଦେଶିକ ବ୍ୟାପାରମନ୍ତ୍ରୀ ଏସ୍. ଜୟଶଙ୍କର ।

ଗିଲଗିଟ୍ ଓ ବଲ୍ଟିସ୍ତାନ ଉପରେ ପାକିସ୍ତାନର ବେଆଇନ୍ କବଜା ଥିବା ଚୀନ୍ ଅବଗତ ଥିଲେ ମଧ୍ୟ ନିଜର ବେଲ୍ଟ ଆଣ୍ଡ୍ ରୋଡ୍ ପ୍ରକଳ୍ପ ଅନ୍ତର୍ଗତ ଏଠାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରୁଛି । ମାତ୍ର ଭାରତ ଏହାକୁ ଜୋରଦାର ବିରୋଧ କରିବା ସହ ବେଜିଂ ନିକଟରେ ନିଜ ଆପତ୍ତି ଉଠାଇ ଆସୁଛି । ମାତ୍ର ଚୀନ୍ ଏହାକୁ ଭ୍ରୁକ୍ଷେପ ନକରି ପାକିସ୍ତାନର ପକ୍ଷ ନେଉଛି । ସେହିପରି ଭାରତ ସରକାର କାଶ୍ମୀରରୁ ଧାରା ୩୭୦ ହଟାଇବା ପରେ ଚୀନ୍ , ପାକିସ୍ତାନ ସହ ମିଶି ଅନ୍ତର୍ଜାତୀୟ ସ୍ତରରେ ଭାରତ ବିରୋଧୀ ଅଭିଯାନ ଚଳାଇଥିଲା । ମାତ୍ର ଭାରତ ଏହାକୁ କର୍ଣ୍ଣପାତ ନକରିବାରୁ ଚୀନ୍ ଜାଣିଶୁଣି ପୂର୍ବସୀମା ଲଦାଖରେ ଉତ୍ତେଜନା ସୃଷ୍ଟି କରିଥିବା କୁହାଯାଉଛି ।

ଚୀନ୍ ପାକିସ୍ତାନ ଇକୋନୋମିକ୍ କରିଡର୍ ବା ସିପେକ୍, ଏହି ପ୍ରକଳ୍ପ ଅଧୀନରେ ପିଓକେ ଏବଂ ବେଲୋଚିସ୍ତାନରେ ରାସ୍ତା, ବନ୍ଦର, ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରୁଛି ଚୀନ୍ । ତେବେ ଭାରତ ଓ ବେଲୋଚିସ୍ତାନ ଲିବରେସନ୍ ଆର୍ମି ଏହାକୁ ଜୋରଦାର କରି ଆସୁଛନ୍ତି । ଏପରିକି ବିଏଲ୍ଏ ଚୀନି ଇଂଜିନିୟର ଓ ଅଧିକାରୀଙ୍କୁ ଟାର୍ଗେଟ କରି ବାରମ୍ବାର ଆକ୍ରମଣ କରୁଛି । ଏଥିରେ ଅନେକ ଚୀନି ଅଧିକାରୀଙ୍କ ପ୍ରାଣ ବି ଗଲାଣି ନିଜର ସୀମା ବୃଦ୍ଧି ଲାଗି ଚୀନର ଏହା କାରସାଦି ବୋଲି ଅନ୍ତର୍ଜାତୀୟ ସମୁଦାୟ ମଧ୍ୟ ହୃଦୟଙ୍ଗମ କରିସାରିଛନ୍ତି ।

ସେହିପରି ପ୍ରକଳ୍ପରେ ବିନିଯୋଗ ଅର୍ଥ ଚୀନ୍ ପାକିସ୍ତାନକୁ ଚଢ଼ା ସୁଧରେ ଋଣ ଆକାରରେ ଦେବାକୁ ନେଇ ପାକିସ୍ତାନରେ ବି ଜୋରଦାର ବିରୋଧ ହେଉଛି । ଏହାସତ୍ତ୍ୱେ ଚୀନ କୌଶଳ କ୍ରମେ ଯୋଜନାକୁ ଆଗକୁ ବଢ଼ାଉଛି । ଏମିତିକି ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ଥିବା ବେଳେ ପ୍ରକଳ୍ପ କାମ ଧିମେଇ ଯାଇଥିଲା । ମାତ୍ର ଶାହାବାଜ୍ ସରିଫ୍ କ୍ଷମତାକୁ ଆସିବା ପରେ ଚୀନ୍ ପୁଣି ସକ୍ରିୟ ହୋଇଛି ସିପେକ୍ କାର୍ଯ୍ୟ ଶେଷ କରିବା ଲାଗି ସରିଫ୍ ଓ ଜିପଙ୍ଗଙ୍କ ମଧ୍ୟରେ ସହମତି ହୋଇଛି ।

ଏପଟେ ନିଜ ସ୍ୱାର୍ଥ ସାଧାନ ଲାଗି ଚୀନ୍ ବିଭିନ୍ନ ଫୋରମରେ ବାରମ୍ବାର କାଶ୍ମୀର ପ୍ରସଙ୍ଗ ଉଠାଇ ଆସୁଛି । ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜାମ୍ମୁ ଓ କାଶ୍ମୀରକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଉଥିବା ସମ୍ବିଧାନର ଧାରା ୩୭୦ ଓ ୩୫-କ କୁ ଉଠାଇ ଦେଇଥିଲେ । ସେତେବଳେ ଚୀନ୍ ପାକିସ୍ତାନ ସହ ମିଶି ଅନ୍ତର୍ଜାତୀୟ ଫୋରମରେ ଭାରତ ବିରୋଧୀ ଅଭିଯାନ ଚଳାଇଥିଲା । ମାତ୍ର ଏଥିରେ ବିଫଳ ହେବାରୁ ଚୀନ୍ ପୂର୍ବସୀମା ଲଦାଖରେ ଉତ୍ତେଜନା ସୃଷ୍ଟି କରିଥିବା କୁହାଯାଉଛି ।

ମାତ୍ର ଭାରତ ଚୀନର ପ୍ରତିଟି ଆକ୍ରୋଶମୂଳକ ପଦକ୍ଷେପର ମୁହଁତୋଡ୍ ଜବାବ ଦେବା ସହ ମୁଣ୍ଡ ନଇଁବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି । ଅନ୍ୟପକ୍ଷରେ ସରିଫଙ୍କୁ ଜିନପିଙ୍ଗଙ୍କ ପ୍ରତିଶ୍ରୁତି, ଭାରତର ଆଭିମୁଖ୍ୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ, ବରଂ ନିଜର ସବୁଦିନିଆ ସାଙ୍ଗ ଇସ୍ଲାମାବାଦକୁ କେବଳ ମିଛ ଆଶ୍ୱାସନା ଦେବା ଲାଗି ଉଦ୍ଦିଷ୍ଟ ବୋଲି ଚର୍ଚ୍ଚା ହେଉଛି ।