• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭାରତର ବଡ କୂଟନୈତିକ ବିଜୟ । ମୃତ୍ୟୁଦଣ୍ଡରୁ ବର୍ତ୍ତିଲେ ୮ ଭାରତୀୟ । ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କ ମୃତ୍ୟୁଦଣ୍ଡ କୋହଳ କଲେ କତାର କୋର୍ଟ । ସମସ୍ତଙ୍କୁ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଥିବା ସୂଚନା ମିଳିଛି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଶୁଣାଣି ବେଳେ କୋର୍ଟରେ ଭାରତୀୟ ଦୂତାବାସ ଅଧିକାରୀ ଏବଂ ପରିବାର ଲୋକେ ଉପସ୍ଥିତ ଥିଲେ ।

ଗୁପ୍ତଚରଗିରୀ ପାଇଁ ଗତ ଅକ୍ଟୋବର ମାସରେ ଏହି ୮ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହା ପରେ ଭାରତ ପକ୍ଷରୁ ଦଣ୍ଡ କୋହଳ ପାଇଁ ଆବେଦନ କରାଯାଇଥିଲା । ତେବେ ଏହାକୁ ବିରୋଧ କରି ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ଭାରତ ସରକାର ଅପିଲ କରିଥିଲେ । ଏହା ଉପରେ ଆଜି ଶୁଣାଣି ହୋଇଛି । କୋର୍ଟ ଏବେ ଏମାନଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇ ଦେଇଛନ୍ତି ।

ସେପଟେ ପୂର୍ବତନ ନୌସେନା ଅଧିକାରୀମାନଙ୍କ ପରିବାରବର୍ଗ ଆଶା କରୁଛନ୍ତି ଯେ ସେମାନେ ନିଶ୍ଚିତ ଭାବରେ ମୁକ୍ତ ହେବେ । କାତାରରେ ବନ୍ଦୀ ହୋଇଥିବା ୮ ଜଣ ଭାରତୀୟଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ ଅଧିକାଂଶ କତାରର ରାଜଧାନୀ ଦୋହାରେ ଅଛନ୍ତି । 

ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗତ ୨୦୨୨ ଅଗଷ୍ଟ ମାସରେ ଭାରତୀୟ ନୌସେନାର ଏହି ୮ ପୂର୍ବତନ ଅଧିକାରୀଙ୍କୁ କତାରର ଗୁଇନ୍ଦା ସଂସ୍ଥା ଗିରଫ କରିଥିଲା। ସେମାନେ କତାରର ଏକ କଂପାନୀରେ କାମ କରୁଥିଲେ। ତେବେ ଗତ ସେପ୍ଟେମ୍ବର ମାସରେ ପ୍ରଥମ ଥର ପାଇଁ ଭାରତୀୟ ଦୂତାବାସକୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ପ୍ରାୟ ବର୍ଷେ ଧରି ଜେଲରେ ରଖିବା ପରେ ଗତ ମାସରେ ସେମାନଙ୍କୁ କତାରର ଏକ କୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ।

ଏହି ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ହେଉଛନ୍ତି- କ୍ୟାପଟେନ୍ ନବତେଜ ସିଂହ ଗିଲ୍, କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ୍ ସୌରଭ ବଶିଷ୍ଟ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁଣାକାର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଓ ସେଲର ରାଗେଶ। ସେମାନେ ବାରମ୍ବାର ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ସେ ସବୁ ଖାରଜ ହୋଇଯାଇଥିଲା।