• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଧ୍ୟାହ୍ନ ଭୋଜନରୁ ବାହାରିଲା ବିଷଧର ସାପ । ଆଉ ସେହି ବିଷାକ୍ତ ଖାଦ୍ୟ ଖାଇ ୧୦୦ ଜଣ ପିଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିହାରର ଏକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ସାପ ବାହାରିବା ପରେ ଉତ୍ତେଜନା ଦେଖାଦେଇଛି । ଅମୋନା ଠାରେ ଥିବା ଏକ ସରକାରୀ ବିଦ୍ୟାଳୟରେ ଶନିବାର ଏହି ଘଟଣା ଘଟିବା ପରେ ଶହେରୁ ଅଧିକ ଅସୁସ୍ଥ ହୋଇପଡିଥିଲେ ।

ଘଟଣା ଦିନ ମଧ୍ୟାହ୍ନ ଭୋଜନ କରୁଥିବା ଏକ ପିଲାର ପ୍ଲେଟରୁ ବିଷାକ୍ତ ସାପ ବାହାରିଥିଲା । ଖାଦ୍ୟ ଖାଇବାର ତୁରନ୍ତ ପରେ ପିଲାମାନଙ୍କର ଅବସ୍ଥା ବିଗିଡ଼ିବାରେ ଲାଗିଥିଲା । ସଙ୍ଗେ ସଙ୍ଗେ ଖାଦ୍ୟରେ ସାପ ମିଳିବାର ଖବର ପୂରା ଗାଁରେ ବ୍ୟାପି ଯାଇଥିଲା । ଏହା ପରେ ଶହ ଶହ ଗ୍ରାମବାସୀ ବିଦ୍ୟାଳୟରେ ପହଞ୍ଚି ଯାଇ ହଙ୍ଗାମା କରିଥିଲେ । ପିଲାଙ୍କ ଜୀବନ ସହ ଖେଳ ଖେଳୁଥିବା କହି ପାଟିତୁଣ୍ଡ ଆରମ୍ଭ ହୋଇଥିଲା ।

ଏହାପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଗାଁ ଲୋକେ ଲୋକେ ସବୁ ପିଲାଙ୍କୁ ଡାକ୍ତରଖାନା ନେଇଯାଇଥିଲେ । ପରେ ବିଧାୟକ, ଏସଡିଏମ ଏବଂ ଡିଏସପି ସମେତ ସମସ୍ତ ଶିକ୍ଷା ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ପିଲାମାନଙ୍କ ସହ କଥା ହୋଇଥିଲେ । ଚିକିତ୍ସା ପରେ ଏବେ ସମସ୍ତ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସୂଚନା ଅନୁଯାୟୀ, ପିଲାମାନଙ୍କୁ ଦିଆଯାଇଥିବା ଖାଦ୍ୟ ଏକ ଏନଜିଓ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।

ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ସାପଟି ଭୁଲ ବଶତଃ ଖାଦ୍ୟରେ ପଡ଼ି ଯାଇଛି । କିମ୍ବା କେହି ଭୟ ଓ ଆତଙ୍କ ସୃଷ୍ଟି କରିବା ପାଇଁ ଏପରି କରିଛି । ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି । ସେହିପରି ସ୍କୁଲରୁ ଖାଦ୍ୟ ପଠାଉଥିବା ଏନଜିଓ ସଂସ୍ଥାର ମାଲିକଙ୍କୁ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।