• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସିଟ୍‌ ବେଲ୍ଟ ନିୟମ କଡ଼ାକଡ଼ି କରିବେ କେନ୍ଦ୍ର ସରକାର । କାର ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ସଡକ ସୁରକ୍ଷାକୁ ନେଇ ବିତର୍କ ଆରମ୍ଭ ହୋଇଛି । ଏହି ଘଟଣା ପରେ ବର୍ତ୍ତମାନ କେନ୍ଦ୍ର ସରକାର ଗାଡ଼ିରେ ସିଟ୍ ବେଲ୍ଟ ସହ ଜଡିତ ସମସ୍ତ ନିୟମ ଉପରେ ପୁନର୍ବିଚାର କରୁଛନ୍ତି ଏବଂ ଏଥିରେ ବଡ଼ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି । ଏଣିକି ଆଉ ଗାଡ଼ି ଚଳାଇବା ସମୟରେ ବନ୍ଦ ହେବନି ସିଟ୍‌ ବେଲ୍ଟ ଆଲାର୍ମ । ଏହାସହ ମଝି ଏବଂ ପଛ ସିଟ୍ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ କରିବା ଏବଂ ସିଟ୍ ବେଲ୍ଟର ଗୁରୁତ୍ୱ ଉପରେ ସଚେତନତା ଆଦି ଅନ୍ତର୍ଭୁକ୍ତ ରହିଛି ।

ସଡକ ପରିବହନ ଏବଂ ରାଜପଥ (MoRTH) ମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି, ଖୁବ୍‌ ଶୀଘ୍ର ସିଟ୍ ବେଲ୍ଟର ଆଲାର୍ମ ବନ୍ଦ କରିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯିବ । କାରଣ ସିଟ୍‌ ବେଲ୍ଟ ପିନ୍ଧିନଥିବାରୁ ଗାଡ଼ିର ପଛ ସିଟ୍‌ରେ ବସିଥିବା ସାଇରସ୍ ମିସ୍ତ୍ରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କେବଳ ଏତିକି ନୁହେଁ ସିଟ୍ ବେଲ୍ଟ ପିନ୍ଧି ନଥିବା ସହ ପଛ ଯାତ୍ରୀଙ୍କ ପାଇଁ କାରରେ କୌଣସି ଏୟାରବ୍ୟାଗ ନଥିଲା । ହୁଏତ ଯଦି ନିୟମ ମାନି ସିଟ୍ ବେଲ୍ଟ ପିନ୍ଧିଥାନ୍ତେ, ତାହେଲେ ଆଜି ଜୀବିତ ଥାନ୍ତେ ଟାଟାସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ ।

ତେଣୁ ଆଗାମୀ ସମୟରେ ସଡକ ସୁରକ୍ଷା ଉପରେ କୌଣସି ବୁଝାମଣାକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ଦୋକାନରେ ତଥା ଅନଲାଇନ୍ ବଜାରରେ ସହଜରେ ଉପଲବ୍ଧ ରହୁଛି  ସିଟ୍ ବେଲ୍ଟ ଆଲାର୍ମ ଷ୍ଟପର୍ସ । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ସିଟ୍ ବେଲ୍ଟ ଷ୍ଟପର୍ କ୍ଲିପ୍ ଉତ୍ପାଦନ ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ତେବେ ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟ  ସାଇରସ ଯେଉଁ ମର୍ସିଡିଜ୍ ବେଞ୍ଜରେ ଯାତ୍ରା କରୁଥିଲେ, ତାହା ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଥିବା ବିଳାସପୂର୍ଣ୍ଣ ଓ ବହୁଳ ମାତ୍ରାରେ ବିକ୍ରି ହେଉଥିବା କାର୍ । ଯେଉଁଠି ଯାତ୍ରୀଙ୍କ ସୁରକ୍ଷା ପାଇଁ ୭ଟି ଏୟାରବ୍ୟାଗ୍ ସହ ସବୁ ପ୍ରକାରର ଉପକରଣ ଖଞ୍ଜାଯାଇଛି । ତେବେ ଯେତେ ସୁରକ୍ଷା ବ୍ୟବସ୍ଥା ଥାଉନା କାହିଁକି, ସିଟ୍ ବେଲ୍ଟ ପିନ୍ଧି ନଥିବାବେଳେ ଦୁର୍ଘଟଣା ଘଟିଲେ ଯାତ୍ରୀ ମୃତାହତ ହେବା ଆଶଙ୍କା ଯଥେଷ୍ଟ ଅଧିକ । ତେଣୁ ଯାତ୍ରା କଲାବେଳେ ଆଗ ଓ ପଛ ଉଭୟ ଜାଗାରେ ବସିଥିବା ଯାତ୍ରୀଙ୍କ ପାଇଁ ସିଟବେଲ୍ଟ ଯେ କେତେ ଜରୁରୀ ତାହା ସମସ୍ତେ ଜାଣି ରଖିବା ଦରକାର । ଏଭଳି ଦାୟିତ୍ୱହୀନତା ଓ ବେପରୁଆ ଗାଡ଼ି ଚାଳନା ଯୋଗୁଁ ରାଜରାସ୍ତାରେ ଅନେକ ଲୋକଙ୍କ ଜୀବନ ଯାଉଛି ।