• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗୁଜରାଟ ଛୁଇଁଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବିପର୍ଯ୍ୟୟ’ । ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ହୋଇଛି ସାଇକ୍ଲୋନର ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାତ୍ୟାର କେନ୍ଦ୍ରସ୍ଥଳ ବା ଆଖି ଜଖୌ ପୋର୍ଟର ଯେତେ ଯେତେ ନିକଟତର ହେଉଛି, ସେତେ ପ୍ରବଳରୁ ପ୍ରବଳତର ହେବାରେ ଲାଗିଛି ବିପର୍ଯ୍ୟୟ ଭୟାବହତା । ପବନର ବେଗ ବଢ଼ିବାରେ ଲାଗିଛି, ବର୍ଷା ବି ଜୋରଦାର ଛେଚୁଛି । ପାଣିପାଗ ବିଭାଗ ସୂଚନା ଅନୁସାରେ, ଘଣ୍ଟାପ୍ରତି ପ୍ରାୟ ୧୨୦ କିଲୋମିଟର ବେଗରେ ବହୁଛି ପବନ । ୮ଟି ତଟବର୍ତ୍ତୀ ଜିଲ୍ଲାକୁ ଅଧିକ ବିପଦ ରହିଛି । ତେଣେ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ୩ ସେନା, କୋଷ୍ଟଗାର୍ଡ ଓ ବିପର୍ଯ୍ୟୟ ପ୍ରଶମନ ବାହିନୀ ।

ଗୁଜରାଟ ପାଇଁ ବିପର୍ଯ୍ୟୟର ବେଳା । ମୂଷଳ ଧାରାରେ ବର୍ଷା, ଘଣ୍ଟାପ୍ରତି ଶହେ କିଲୋମିଟରୁ ଅଧିକ ବେଗରେ ପବନ । ଭାରତର ପଶ୍ଚିମ ତଟକୁ ଛୁଇଁଛି ବାତ୍ୟା 'ବିପର୍ଯ୍ୟୟ' । ସାମ୍ନାକୁ ଆସୁଛି ପ୍ରଳୟର ଗୋଟିକ ପରେ ଗୋଟିଏ ଭୟାନକ ଦୃଶ୍ୟ । ଡରାଉଛି ଆରବ ସାଗର, କିଛି ସ୍ଥାନରେ ଜନବସତିକୁ ଜଳାର୍ଣ୍ଣବ କରିଛି ଉଚ୍ଚ ଜୁଆର । ମଧ୍ୟରାତ୍ର ଯାଏଁ ଜାରି ରହିବ ଏହି ଅତି ଭୀଷଣ ଘୂର୍ଣ୍ଣିଝଡ଼ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ।

ସବୁଠୁ ଅଧିକ ପ୍ରଭାବିତ ହେବାକୁ ଥିବା କଚ୍ଛ ଓ ସୌରାଷ୍ଟ୍ରର ସ୍ଥିତି ଉପରେ ସାରା ଦେଶର ନଜର । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଜଖୌ ବନ୍ଦର ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁଥିବା ବେଳେ, ଗୁଜରାଟର ୮ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ଆତଙ୍କର ରାଜୁତି । କଚ୍ଛ, ଦେବଭୂମି ଦ୍ୱାରକା, ଜାମନଗର, ମୋର୍ବି, ରାଜକୋଟ, ଜୁନାଗଡ଼, ପୋର ବନ୍ଦର ଓ ଗିର ସୋମନାଥ ଜିଲ୍ଲାର ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ସରକାରଙ୍କ ପକ୍ଷରୁ । ତେଣେ ଗାନ୍ଧିନଗରସ୍ଥିତ ଏମର୍ଜେନ୍ସି ଅପରେସନ ସେଣ୍ଟରରେ ପ୍ରତି ମୁହୂର୍ତ୍ତର ଅପଡେଟ୍ ନେଉଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ।

ବିପର୍ଯ୍ୟୟ ମୁକାବିଲାର ଏକମାତ୍ର ଲକ୍ଷ୍ୟ, ନଯାଉ ଗୋଟିଏ ବି ଜୀବନ । ଏଥିପାଇଁ ୧୮ଟି NDRF ଓ ୧୨ଟି SDRF ଟିମ୍ ମୁତୟନ ରହିଛନ୍ତି । ଜରୁରୀ ସ୍ଥିତିରେ ବିପନ୍ନଙ୍କୁ ଏୟାରଲିଫ୍ଟ ପାଇଁ ପ୍ରସ୍ତୁତ ରହିଛି NDRFର ୧୫ ଟିମ୍ । ଷ୍ଟାଣ୍ଡବାଏରେ ଅଛି କୋଷ୍ଟଗାର୍ଡର ୧୫ଟି ଜାହାଜ ଓ ୭ଟି ହେଲିକପ୍ଟର । ୩ ସେନା ବି ତୟାର ଅଛନ୍ତି ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ । ଏଥିସହ ସ୍କୁଲ କଲେଜ ବନ୍ଦ ରଖାଯିବା ସହିତ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବେଳାଭୂମି ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା ।

ପ୍ରଭାବିତ ଅଞ୍ଚଳରେ ଗର୍ଭବତୀ ଓ ପ୍ରସୂତିଙ୍କ ପାଇଁ ହସ୍ପିଟାଲରେ ଥଇଥାନ ବ୍ୟବସ୍ଥା ହୋଇଛି । ଆଜି ପୋରବନ୍ଦରରେ ହସ୍ପିଟାଲରେ ସ୍ଥିତି ପରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଦର୍ଶନା ଜାର୍ଦ୍ଦୋଷୀ । ତେଣେ କଚ୍ଛ ଜଖୌର ସେଲ୍ଟର ହୋମରେ ଥିବା ଜଣେ ମହିଳା ଆଜିର ବାତ୍ୟା ସ୍ମୃତିରେ ନିଜ ୧ ମାସର ଶିଶୁକନ୍ୟାର ନାଁ 'ବିପର୍ଯ୍ୟୟ' ଦେଇଥିବା ଖବର ପ୍ରକାଶ ପାଇଛି ।

ମହାକାଶରୁ ଦେଖାଗଲା ବାତ୍ୟା ବିପର୍ଯ୍ୟୟର କରାଳ ରୂପ । କେମିତି ଆକାଶରେ ଭୀମରୂପ ଧାରଣ କରି ଗୁଜରାଟ ତଟ ଆଡ଼େ ଆଗଉଛି ଘୂର୍ଣ୍ଣିଝଡ଼, ତାକୁ କ୍ୟାମେରାରେ କଏଦ କରିଛନ୍ତି ଜଣେ ମହାକାଶଚାରୀ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅବସ୍ଥାପିତ ୟୁଏଇର ମହାକାଶଚାରୀ ସୁଲତାନ ଅଲ-ନିୟାଦି ସେଠାରୁ ବାତ୍ୟା ବିପର୍ଯ୍ୟୟର ଫଟୋ ଓ ଭିଡିଓ ଉତ୍ତୋଳନ କରି ଟୁଇଟ୍ କରିଛନ୍ତି ।

ପୃଥିବୀକୁ ପ୍ରାୟ ୪ଶହ କିଲୋମିଟର ଉଚ୍ଚତାରେ ପରିକ୍ରମା କରିଥାଏ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ । ସେଠାରୁ ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ର ୨ ଦିନ ଧରି ଏହି ଫଟୋ ଉଠାଇଛନ୍ତି ମହାକାଶଚାରୀ । ଏଥିରେ ବାତ୍ୟାର କେନ୍ଦ୍ରସ୍ଥଳ ବା ଆଖି ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏସବୁ ଦିନେ ୨ ଦିନ ତଳର ଫଟୋ ଓ ଭିଡିଓ । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।