/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653482179.jpg)
Cursed by accident
ନାଁ ସୀମା । ହେଲେ ତା’ର ଆତ୍ମବିଶ୍ୱାସ, ଇଚ୍ଛାଶକ୍ତି ଓ ମନୋବଳର କୌଣସି ସୀମା ନାହିଁ । ଦଇବର ଉପହାସକୁ ପାଦେ ପାଦେ ଚ୍ୟାଲେଞ୍ଜ କରୁଛି । ଗୋଟିଏ ଗୋଡ଼ରେ ଘରୁ ସ୍କୁଲ ପର୍ଯ୍ୟନ୍ତ ଦୂରତା ମାପୁଛି ବିହାରର ଏଇ ଦିବ୍ୟାଙ୍ଗ ଝିଅ । ପାଠ ପଢ଼ିବାର ଦୁର୍ବାର ଇଚ୍ଛାଶକ୍ତି ଆଗରେ ହାରିଯାଇଛି ଦୁର୍ଘଟଣା କଷ୍ଟ । ସମସ୍ତ ଜାତନାକୁ ହସି ହସି ସହି ଯାଉଛି । ପାଠ ପଢ଼ି ବଡ଼ ମଣିଷ ହେବା ତା’ ପାଇଁ ଯେମିତି ତପସ୍ୟା ପାଳଟି ଯାଇଛି । କାରଣ ଗୋଟିଏ ଗୋଡ଼ରେ ସ୍କୁଲ୍ ଯିବା କୌଣସି ଛୋଟ କଥା ନୁହେଁ ।
ବିହାର ଜମୁଇର ଖଇରା ବ୍ଲକର ଫତେହପୁର ଗାଁର ଦିବ୍ୟାଙ୍ଗ କୁନି ଝିଅ ସୀମା । ବୟସ ଦଶ ବର୍ଷ । ବାପା ଖିରନ ମାଣ୍ଡି ଅନ୍ୟ ରାଜ୍ୟକୁ ଯାଇ ଦିନ ମଜୁରୀ କାମ କରନ୍ତି । ମା’ ଇଟାଭାଟିରେ କାମ କରେ । ବାପାମା’ଙ୍କ କୁଲିମଜୁରୀ ଟଙ୍କାରେ ପରିବାର ଚଳେ । ପିଲାଟି ଦିନରୁ ଦାରିଦ୍ର୍ୟକୁ ଅତି ପାଖରୁ ଦେଖିଚି ସୀମା । ଆଉ ଏଥିପାଇଁ ପାଠ ପଢ଼ି ଶିକ୍ଷକ ହେବାର ଲକ୍ଷ୍ୟ ନେଇ ସେ କଠିନ ପରିଶ୍ରମ କରୁଥିଲା । ହେଲେ ଏହି ଗରିବ ପରିବାର ଉପରେ ଦାଉ ସାଝିଲା ଦଇବ ।
ଏକ ଟ୍ରାକ୍ଟର ଧକ୍କା ଦେବାରୁ ସୀମା ଗୁରୁତର ଆହତ ହୋଇଥିଲା । ଚିକିତ୍ସା ସମୟରେ ଡାକ୍ତରମାନେ ସୀମାର ଜୀବନ ବଞ୍ଚାଇବା ପାଇଁ ଗୋଟିଏ ଗୋଡ଼ କାଟି ଦେଇଥିଲେ। ଦଶ ବର୍ଷର ଝିଅର ଜୀବନ ସିନା ବଞ୍ଚିଗଲା, କିନ୍ତୁ ସେ ଦିବ୍ୟାଙ୍ଗ ହୋଇଗଲା ।
ଏକ ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ସୀମା ଗୋଡ଼ ହରାଇବା ପରେ ମଧ୍ୟ ମନ ମାରି ଘରକୋଣରେ ବସିଯାଇନଥିଲା । ଗୋଟିଏ ଗୋଡରେ ସନ୍ତୁଳନ ରଖି ଚାଲିବା ଅଭ୍ୟାସ କରିଥିଲା । ଆଉ ଆଜି ସେ ବିନା ସାହାରାରେ ଗୋଟିଏ ଗୋଡ଼ରେ ଚାଲିବାକୁ ସକ୍ଷମ । ଆଉ ସେଇ ଗୋଟିଏ ଗୋଡ଼ରେ ସ୍କୁଲ୍ ଯାଉଚି। ସେ ଘଣ୍ଟା ଘଣ୍ଟା ଧରି ଗୋଟିଏ ଗୋଡରେ ଛିଡା ହୋଇ ଘର କାମ ମଧ୍ୟ କରିପାରେ। ଗୋଟେ ଗୋଡ଼ ନଥିଲେ ବି ପାଠପଢ଼ାରେ କୌଣସି ବାଧାବିଘ୍ନ ଆସିବନି ବୋଲି ସେ ପ୍ରମାଣ କରିଛି । ସୀମାର କହିବା କଥା, ଜୀବନ ଜିଇଁ ଆଗକୁ ଯିବା ହେଲେ ସଂଘର୍ଷ ତ କରିବାକୁ ପଡ଼ିବ ।
ସତରେ ସୀମାର ଏଇ କାହାଣୀ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ତାଙ୍କ ସ୍ୱପ୍ନର ଉଡ଼ାଣ ଆଗରେ କେହି ବାଧା ସାଜି ପାରିବ ନାହିଁ । ଲାଗୁଛି ମୁକ୍ତ ବିହଙ୍ଗ ପରି ଦିନେ ନା ଦିନେ ସେ ସଫଳତାର ଶୀର୍ଷରେ ପହଞ୍ଚିବ ଆଉ ମା’ବାପାଙ୍କ ଟେକ ରଖିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)