• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିମନ୍ତ୍ରଣ ପତ୍ର ବଣ୍ଟା ସରିଥିଲା । ମାତ୍ର ପାଞ୍ଚ ଦିନ ପରେ ବାଜିଥାଆନ୍ତା ଶାହାନାଇ । ଧୁମଧାମରେ ବାହାଘର ପାଇଁ ଆୟୋଜନ ଚାଲିଥିଲା । ହେଲେ ଦଇବ ସହିଲାନି । ହସଖୁସିର ମାହୋଲ ଭିତରେ ମାଡ଼ିଆସିଲା ମୃତ୍ୟୁ । ପ୍ରେମିକା ତଥା ଭାବୀ ପତ୍ନୀକୁ ଛାଡ଼ି ଚାଲିଗଲେ ଯବାନ । ଛତିଶଗଡରେ CRPFର ବସ୍ତାରିଆ ବାଟାଲିୟନର ଜଣେ ଯବାନ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଯବାନଙ୍କ ମା’ ପୁଅ ମୃତ୍ୟୁ ଖବରକୁ ଗ୍ରହଣ କରିପାରୁନାହାନ୍ତି । ଘଡ଼ି ଘଡ଼ିକେ ମୂର୍ଚ୍ଛା ଯାଉଛନ୍ତି । ଏହି ଘଟଣା ପରେ ପୂରା ଗାଁରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ପୋଲିସ ବର୍ତ୍ତମାନ ଦୁର୍ଘଟଣାର ତଦନ୍ତ କରୁଛି।

କେସାଇଗୁଦା ଗାଁର ଯବାନ ବିଜୟ ମରପଲ୍ଲି । ବୟସ ୨୫ ବର୍ଷ । CRPF ର ବସ୍ତାରିଆ ବାଟାଲିଅନର ବାସାଗୁଡା କ୍ୟାମ୍ପରେ ମୁତୟନ ଥିଲେ । ପ୍ରେମିକା ରେଶମାଙ୍କୁ ବିବାହ କରିବା ପାଇଁ ତିଥି ସ୍ଥିର ହୋଇସାରିଥିଲା । ୧୦ ବର୍ଷର ପ୍ରେମ ସଫଳ ହେବା ପରେ ରେଶମାଙ୍କ ଗୋଡ଼ ମଧ୍ୟ ତଳେ ଲାଗୁନଥିଲା । ମନେ ମନେ କେତେ ଯେ ସ୍ୱପ୍ନ ବୁଣିସାରିଥିଲେ । ମନର ମଣିଷକୁ ପାଖରେ ପାଇବାକୁ ଅଥୟ ହୋଇପଡ଼ୁଥିଲେ ।

ବିବାହ ଫେବୃଆରୀ ୨୪ରେ ହେବାକୁ ଥିବାବେଳେ ଫେବୃଆରୀ ୩ରୁ ଛୁଟିରେ ଥିଲେ ବିଜୟ । ଫେବୃଆରୀ ୧୭ରେ ସେ ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ଯାଇଥିଲେ । ହେଲେ ସମ୍ପର୍କୀୟଙ୍କ ଘରୁ ଫେରୁଥିବା ବେଳେ ତାଙ୍କ ବାଇକ ନିୟନ୍ତ୍ରଣ ହରାଇ ଜାତୀୟ ରାଜପଥରେ ଖସିପଡିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଭୋପାଳପାଟନମରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିଜେପୁର ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ହେଲେ ସ୍ଥିତି ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ତେଲେଙ୍ଗାନାର ଏନମାକୋଣ୍ଡାକୁ ନେଇଯାଇଗଲେ, ଯେଉଁଠାରେ ଫେବୃଆରୀ ୧୯ରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟଙ୍କର ମୃତ୍ୟୁ ହୋଇଥିଲା ।

ବିଜୟ ତିନି ଭାଇଙ୍କ ମଧ୍ୟରେ ସବୁଠାରୁ ସାନ ଥିଲେ । ସାନ ପୁଅର ବିବାହ କରାଇବେ କହି ମା’ବାପାଙ୍କର ଖୁସିର ସୀମା ନଥିଲା । ହେଲେ ବିବାହ ପୂର୍ବରୁ ଦୁର୍ଘଟଣା ସବୁ ଛାରଖାର କରିଦେଲା । ବିଜୟଙ୍କ ଭାବୀ ପତ୍ନୀ ତଥା ପ୍ରେମିକା ରେଶମା ଏଖବର ଶୁଣି କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି । କଥା ଦେଇ ଅଧାରେ ହାତ ଦେଇ ଛାଡ଼ିଗଲ କହି ବାହୁନି କାନ୍ଦୁଛନ୍ତି । ସ୍କୁଲ ଦିନରୁ ବିଜୟ ଏବଂ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଅନେକ ସ୍ୱପ୍ନ ଦେଖାଇଥିଲେ, କିନ୍ତୁ ସେ ପ୍ରତିଜ୍ଞା ଭାଙ୍ଗି ସବୁଦିନ ପାଇଁ ଚାଲିଗଲେ ବୋଲି କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now