ପ୍ରତ୍ୟେକ ମାସ ପରି, ନଭେମ୍ବର ମାସରେ ମଧ୍ୟ ଅନେକ ନିୟମରେ ପରିବର୍ତ୍ତନ ହେବ । କ୍ରେଡିଟ୍ କାର୍ଡ, ଏଲପିଜି ଗ୍ୟାସ୍ ଏବଂ ଟ୍ରେନ୍ ଟିକେଟ୍ ଠାରୁ ଆରମ୍ଭ କରି FD ସମୟସୀମା ପର୍ଯ୍ୟନ୍ତ ନିୟମ ନଭେମ୍ବର ୧ରୁ ବଦଳିବ । ତେବେ ଏହି ନିୟମ ସବୁ ପରିବର୍ତ୍ତନ ହେଲେ ଏହା ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ କରିବ । ତେବେ ଆସନ୍ତା ମାସରୁ କେଉଁ ନିୟମରେ ପରିବର୍ତ୍ତନ ହେଉଛି ଏବଂ ଏହା ଆପଣଙ୍କ ଉପରେ କ’ଣ ପ୍ରଭାବ ପକାଇପାରେ ଆସନ୍ତୁ ଜାଣିବା ।
Also Read
LPG ସିଲିଣ୍ଡର ଦାମ୍
ପ୍ରତି ମାସର ପ୍ରଥମ ଦିନରେ ପେଟ୍ରୋଲିୟମ କମ୍ପାନୀ ଗ୍ୟାସ୍ ସିଲିଣ୍ଡର (LPG ସିଲିଣ୍ଡର ଦର)ର ମୂଲ୍ୟ ବଦଳାଇ ନୂଆ ଦର ଜାରି କରନ୍ତି । ଏଥର ମଧ୍ୟ ଏହାର ମୂଲ୍ୟ ନଭେମ୍ବର ୧ରେ ସଂଶୋଧିତ ହୋଇପାରେ । ଏଥର ଲୋକମାନେ ୧୪ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟରେ ହ୍ରାସ ଆଶା କରୁଛନ୍ତି, ଯାହା ଦୀର୍ଘ ଦିନ ଧରି ସ୍ଥିର ରହିଛି । ଯଦି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବିଷୟରେ କହିବା ତାହାଲେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ଜୁଲାଇ ମାସରେ ହ୍ରାସ ପାଇଥିଲା । କିନ୍ତୁ ଏହା ପରେ ଲଗାତାର ତିନି ମାସ ଧରି ଏହା ବୃଦ୍ଧି ପାଉଛି ।
ATF ଓ CNG-PNG ଦର
ଗୋଟିଏ ପଟେ ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିଥାନ୍ତି, ସେହିପରି CNG-PNG ବ୍ୟତୀତ ଏୟାର ଟର୍ବାଇନ ଇନ୍ଧନ (ATF)ର ମୂଲ୍ୟ ମଧ୍ୟ ସଂଶୋଧିତ ହୁଏ । ଗତ କିଛି ମାସ ମଧ୍ୟରେ ବାୟୁ ଇନ୍ଧନର ମୂଲ୍ୟରେ ହ୍ରାସ ଘଟିଛି ଏବଂ ଏଥର ମଧ୍ୟ ଏହାର ମୂଲ୍ୟ ହ୍ରାସ ହୋଇପାରେ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ CNG ଏବଂ PNG ମୂଲ୍ୟରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।
କ୍ରେଡିଟ୍ କାର୍ଡ ନିୟମ
ନଭେମ୍ବର ୧ରୁ ଦେଶରେ କାର୍ଯ୍ୟକାରୀ ହେବାକୁ ଥିବା ତୃତୀୟ ପରିବର୍ତ୍ତନ ବିଷୟରେ ଯଦି କହିବା ତାହାଲେ ଏହା ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ସହିତ ଜଡିତ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସବସିଡିୟାରୀ ଏସବିଆଇ କାର୍ଡ ନଭେମ୍ବର ୧ରୁ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ଯାହା ୟୁଟିଲିଟି ବିଲ୍ ପେମେଣ୍ଟ ଏବଂ ଏହାର କ୍ରେଡିଟ୍ କାର୍ଡ ମାଧ୍ୟମରେ ଫାଇନାନ୍ସ ଚାର୍ଜ ସହିତ ଜଡ଼ିତ । ନଭେମ୍ବର ୧ରୁ Un-secured ଏସ୍ବିଆଇ କାର୍ଡରେ ପ୍ରତି ମାସରେ ୩.୭୫ ଟଙ୍କା ଆର୍ଥିକ ଚାର୍ଜ ଦେବାକୁ ପଡ଼ିବ । ଏହା ବ୍ୟତୀତ ବିଦ୍ୟୁତ୍, ଜଳ, ଏଲପିଜି ଗ୍ୟାସ୍ ଏବଂ ଅନ୍ୟାନ୍ୟ ୟୁଟିଲିଟି ସେବା ପାଇଁ ୫୦ ହଜାରରୁ ଅଧିକ ପେମେଣ୍ଟରେ ୧ ପ୍ରତିଶତ ଅତିରିକ୍ତ ଚାର୍ଜ ଲାଗିବ ।
ମନି ଟ୍ରାନ୍ସଫର୍ ନିୟମ
ଘରୋଇ ମନି ଟ୍ରାନ୍ସଫର୍ (ଡିଏମଟି) ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ନୂତନ ନିୟମ ଘୋଷଣା କରିଛି, ଯାହା ନଭେମ୍ବର ୧, ୨୦୨୪ରୁ କାର୍ଯ୍ୟକାରୀ ହେବ । ଠକେଇ ପାଇଁ ବ୍ୟାଙ୍କିଙ୍ଗ୍ ଚ୍ୟାନେଲଗୁଡ଼ିକର ଅପବ୍ୟବହାରକୁ ରୋକିବା ଏହି ନିୟମର ଉଦ୍ଦେଶ୍ୟ ।
ବଦଳିବ ଟ୍ରେନ୍ ଟିକେଟ୍ ଆଡଭାନ୍ସ ବୁକିଂ ସମୟ
ସେହିପରି ନଭେମ୍ବର ୧ରୁ ବଦଳିବ ଟ୍ରେନ୍ ଟିକେଟ୍ ଆଡଭାନ୍ସ ବୁକିଂ ସମୟ ସୀମା । ଏଣିକି ୪ ମାସ ନୁହେଁ, ୨ ମାସ ପୂର୍ବରୁ କରିହେବ ଆଡଭାନ୍ସ ବୁକିଂ । ତେବେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ନିୟମରେ କୌଣସି ପରିବର୍ତ୍ତନ ହେବ ନାହିଁ । ବିଦେଶୀ ପର୍ଯ୍ୟଟକମାନେ ୩୬୫ ଦିନ ପୂର୍ବରୁ ଆଡଭାନ୍ସ ବୁକିଂ କରିପାରିବେ ।