• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ସାମୁହିକ ଲଢେଇ ଚାଲିଥିବା ବେଳେ ବ୍ରିଟେନ୍‌ର ଅଜବ ଭ୍ୟାକସିନ୍ ଓ କ୍ୱାରେଣ୍ଟିନ୍ ନୀତିକୁ ନେଇ ବିବାଦ । ଅକ୍ସଫୋର୍ଡ ଓ ଅଷ୍ଟ୍ରାଜେନେକା ଟିକାକୁ ବ୍ରିଟେନ୍ ସ୍ୱୀକୃତୀ ଦେଇଥିବା ବେଳେ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ସମାନ ଟିକା କୋଭିସିଲ୍ଡକୁ ସ୍ୱୀକୃତି ଦେଇନଥିଲା ବ୍ରିଟେନ୍ । ମାତ୍ର ଭାରତର ଜୋରଦାର ବିରୋଧ ପରେ ବ୍ରିଟେନ୍ ଗତକାଲି କୋଭିସିଲ୍ଡକୁ ସ୍ୱୀକୃତିପ୍ରାପ୍ତ ଟିକା ତାଲିକାରେ ସାମିଲ କରିଛି ।

ତେବେ ଟିକାର ଦୁଇ ଡୋଜ୍ ଭାରତରେ ନେଇଥିଲେ ଏହାକୁ ସଂପୂର୍ଣ୍ଣ ଟିକାକରଣ ହିସାବରେ ଗ୍ରହଣ କରାଯିବନି, ତେଣୁ ବ୍ରିଟେନ୍ ଯାଉଥିବା ଭାରତୀୟଙ୍କୁ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡିବ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯଦି ଜଣେ ବ୍ରିଟେନ୍‌ର ସେଇ ଟିକା ନେଇଥିବେ ତାଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପଡିବନି । ଅନ୍ୟପକ୍ଷରେ ଫାଇଜର, ମଡର୍ଣ୍ଣା ଓ ଜନସନ୍ ଭଳି ଅନ୍ୟ ସ୍ୱୀକୃତି ପ୍ରାପ୍ତ ଟିକା ନେଇଥିଲେ ଆମେରିକା, ୟୁରୋପୀୟ, ଅଷ୍ଟ୍ରେଲିଆ ଓ ଇସ୍ରାଏଲ ନାଗରିକଙ୍କୁ ବ୍ରିଟେନ୍‌ରେ କ୍ୱାରେଣ୍ଟିନର ଆବଶ୍ୟକତା ନାହିଁ । ତେବେ ଏଭଳି ବାଚବିଚାର ପୂର୍ଣ୍ଣ ନୀତିକୁ ଜୋରଦାର ବିରୋଧ କରିଛି ନୂଆଦିଲ୍ଲୀ । ଏହା ସାମ୍ରାଜ୍ୟବାଦ ସମୟର ମନୋଭାବ ବୋଲି କହିଛି ଭାରତ । ଅକ୍ଟୋବର ୪ ତାରିଖରୁ ବ୍ରିଟେନରେ ନୂଆ ଭ୍ରମଣ ନୀତି ଲାଗୁ ହେଉଥିବା ବେଳେ ଯେସାକୁ ତେସା ନୀତି ଆପଣେଇବାକୁ ଚେତାବନୀ ଦେଇଛି ଭାରତ ।

ଭାରତର ବିରୋଧ ପରେ ନୂଆଦିଲ୍ଲୀରେ ଅବସ୍ଥାପିତ ବ୍ରିଟିଶ ହାଇକମିଶନରଙ୍କ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି । କୋଭିସିଲ୍ଡ ଟିକାକୁ ନେଇ କୌଣସି ସମସ୍ୟା ନାହିଁ । କିନ୍ତୁ ଭାରତ ଦ୍ୱାରା ଦିଆଯାଉଥିବା ଟିକା ପ୍ରମାଣପତ୍ରକୁ ନେଇ ଅସୁବିଧା ଥିବା ସେ ସଫେଇ ଦେଇଛନ୍ତି । ତେବେ ବିବାଦର ସମାଧାନ ଲାଗି ଆଲୋଚନା ଚାଲିଥିବା କହିଛନ୍ତି ବ୍ରିଟିଶ ହାଇକମିଶନର ।

ଭାରତରେ ଚାଲିଥିବା ଟିକାକରଣ ଅଭିଯାନକୁ ନେଇ ସନ୍ଦେହ ପ୍ରକାଶ କରୁନାହିଁ ବୋଲି କହିଛି ବ୍ରିଟେନ୍ । ଗତ କିଛି ସପ୍ତାହ ଧରି ବ୍ରିଟେନ୍‌ରେ NHS app ଏବଂ ଭାରତର Co-Win app ଡେଭଲପରଙ୍କ ମଧ୍ୟରେ ଆପ୍ କିପରି କାମ କରୁଛି ଏବଂ ସିକ୍ୟୁରିଟି ପ୍ରୋଟକଲ ସବୁ କଣ ରହିଛି, ତାହା ଜାଣିବା ପାଇଁ ଆଲୋଚନା ଚାଲିଛି । ଏହା ଏକ ନୂଆ ପଲିସି ହୋଇଥିବାରୁ ନିର୍ଯାସରେ ପହଞ୍ଚିବାକୁ ସମୟ ଲାଗିବ ବୋଲି କହିଛି ବ୍ରିଟେନ୍ । ସେହିପରି ବ୍ରିଟେନ୍ ଯୋଗୁଁ ଭାରତୀୟଙ୍କ ଉପରେ ଯେଭଳି ପ୍ରତିକୁଳ ପ୍ରଭାବ ନପଡିବ ଓ ଭାରତୀୟଙ୍କ ପାଇଁ ବ୍ରିଟେନ୍‌ରେ ଯେଭଳି ସଂକ୍ରମଣ ନବଢିବ ତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଉଥିବା ବ୍ରିଟେନ୍ ପକ୍ଷରୁ କୁହାଯାଇଛି ।