• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : କରୋନାର ତୃତୀୟ ଲହରୀ ନେଇ ଲଗାତାର ଚିନ୍ତା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସମୟରେ କେରଳରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପ୍ରତିଦିନ ୩୦ ହଜାର ଉପରେ ରହୁଛି ନୂତନ ସଂକ୍ରମିତଙ୍କ ସଂଖ୍ୟା । ସେପଟେ କେରଳ ପରେ ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ମଧ୍ୟ ବଢ଼ୁଛି ସଂକ୍ରମଣ । ମୁମ୍ବାଇ ଓ ତାମିଲନାଡ଼ୁରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨ ହଜାର ୬୧୮ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୦ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁର କୋଏମ୍ବାଟୁର, ନମକ୍କଲ, କୁଡାଲୋର ଏବଂ ବିଲ୍ଲୁପୁରମ୍ ସମେତ ଆଉ କିଛି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ଘଟିଛି । ଶୁକ୍ରବାର ଦିନ ରାଜ୍ୟରେ ୧୫୬୮ ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୁରୁବାର ଦିନ ୧୫୬୨ ଏବଂ ବୁଧବାର ଦିନ ୧୫୦୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଅଧିକାଂଶ କରୋନା ରୋଗୀ କୋଏମ୍ବାଟୁରରୁ ଚିହ୍ନଟ ହୋଇଛନ୍ତି । କେବଳ କୋଏମ୍ବାଟୁରରୁ ହିଁ ୨୦୦ରୁ ଅଧିକ ପଜିଟିଭ୍ ଆସିଛି । ତୁଳନାତ୍ମକ ଭାବେ ଗୁରୁବାର ଦିନ ୨୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଦିନ ଚିହ୍ନଟ ହୋଇଛନ୍ତି ୨୩୯ ସଂକ୍ରମିତ । ସେହିଭଳି ନମକ୍କଲରେ ନୂତନ ମାମଲା ୪୭ ସହ ମୋଟ ସଂକ୍ରମିତ ସଂଖ୍ୟା ୬୨କୁ ବୃଦ୍ଧି ପାଇଛି । ଅନ୍ୟପଟେ କୁଡାଲୋରରେ ୪୩ ରୁ ୫୫କୁ ବୃଦ୍ଧି ପାଇଛି । କୋଏମ୍ବାଟୁର ପରେ ଚେନ୍ନାଇରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚେନ୍ନାଇରେ ଗୁରୁବାର ୧୬୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଦିନ ୧୬୨ଟି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷରେ ମୁମ୍ବାଇର ମଧ୍ୟ କରୋନା ସ୍ଥିତି ଭଲ ନାହିଁ । ଦୈନିକ ସଂକ୍ରମଣରେ ହ୍ରାସ ଘଟିଥିଲେ ସୁଦ୍ଧା ପଜିଟିଭିଟି ରେଟ୍ ଲଗାତାର ବଢ଼ିବାରେ ଲାଗିଛି । ବିଏମସି ସୂଚନା ଅନୁସାରେ ମୁମ୍ବାଇରେ ଆଜି ୪୨୨ଟି ନୂଆ ମାମଲା ପଞ୍ଜିକୃତ ହୋଇଛି । ନୂତନ ସଂକ୍ରମିତଙ୍କ ପଜିଟିଭିଟି ରେଟ୍ ୧.୨୯ ପ୍ରତିଶତ ବୃଦ୍ଧି ପାଇଛି ।