Advertisment

ଦିଲ୍ଲୀରେ ବଢ଼ୁଛି, ଓଡ଼ିଶାରେ ମୁହଁ ମୁକୁଳା; ବନ୍ଦ ହେବ କି ସ୍କୁଲ୍‌ ?

ଗୋଟିଏପଟେ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଓଡ଼ିଶାରେ ମୁହଁ ମୁକୁଳା। ନା ଏଠି କେହି ମାସ୍କ ପିନ୍ଧୁଛନ୍ତି ନା କେହି କୋଭିଡ୍‌ ନିୟମକୁ ଠିକ୍‌ ଭାବେ ପାଳନ କରୁଛନ୍ତି। ସର୍ବସାଧାରଣ ସ୍ଥାନ, ମାର୍କେଟ, ମଲ୍‌ ସବୁଠି ଲୋକମାନେ ଖୁଲମଖୁଲା ନିୟମକୁ ଉଲ୍ଲଂଘନ କରୁଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Covid Cases In India

Covid Cases In India

ଦେଶରେ କରୋନା ସଂକ୍ରମଣ ପୁଣିଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୨,୧୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଏପ୍ରିଲ ୧୭ରେ ୧,୧୫୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ୧୬ରେ ୯୭୫ ଓ ଏପ୍ରିଲ ୧୫ରେ ୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍‌ ୨ ହଜାର ଉପରକୁ ଚିହ୍ନଟ ହେବା ପରେ ଚିନ୍ତା  ଆହୁରି ବଢ଼ିଛି। ସେହିପରି ୨୪ ଘଣ୍ଟାରେ ୨୧୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। 

Advertisment

କରୋନା ସଂକ୍ରମଣ କମିବା ପରେ ସରକାର କୋଭିଡ୍‌ ନିୟମ କୋହଳ କରିଥିଲେ। ନାଇଟ୍‌ କର୍ଫ୍ୟୁ ହଟାଇ ଦିଆଯିବା ସହ ଆହୁରି ଅନେକ କଟକଣା କୋହଳ କରାଯାଇଥିଲା। ହେଲେ ଲୋକମାନେ କୋଭିଡ୍‌ ନିୟମକୁ ଠିକ୍‌ଭାବେ ପାଳନ କରୁ ନାହାନ୍ତି। ଅଧିକାଂଶ ଲୋକ ବିନା ମାସ୍କରେ ଖୁଲମଖୁଲା ବାହାରେ ବୁଲୁଥିବା ଦେଖିବାକୁ ମିଳିଛି। ସାମାଜିକ ଦୂରତ୍ୱ ମଧ୍ୟ କେହି ମାନୁ ନାହାନ୍ତି। ଏପରି ଲାଗୁଛି ସତେ ଯେମିତି କରୋନା ଆଉ ନାହିଁ। ହେଲେ ଲୋକଙ୍କ ଏହି ଖାମଖିଆଲି ମନୋଭାବ ଯୋଗୁ ସଂକ୍ରମଣ ପୁଣିଥରେ ବଢ଼ିଛି। ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣାରେ କରୋନା କେସ୍‌ ବୃଦ୍ଧି ପାଇଛି।

ଦିଲ୍ଲୀ ଓ NCRରେ ପୁଣିଥରେ ସଂକ୍ରମଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସ୍କୁଲ୍‌ରେ ପାଠପଢ଼ାକୁ ନେଇ ବିପଦ ସୃଷ୍ଟି ହୋଇଛି। କାରଣ ଗତ ସପ୍ତାହରେ ୧୩ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ ହେବା ପରେ ନୋଏଡାର ୩ଟି ଓ ଗାଜିଆବାଦର ଗୋଟିଏ ସ୍କୁଲ୍‌ ବନ୍ଦ କରାଯାଇଥିଲା। ଦିଲ୍ଲୀରେ ମଧ୍ୟ ଗୋଟିଏ ସ୍କୁଲ୍‌ରୁ ଶିକ୍ଷକ ଓ ଛାତ୍ର ସଂକ୍ରମିତ ଚିହ୍ନଟ ହେବାପରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ଯଦିଓ ଏନ୍‌ସିଆର୍‌ରେ ବନ୍ଦ ଥିବା ସ୍କୁଲ୍‌ ପୁଣିଥରେ ଆଜି ଖୋଲିଛି ତଥାପି ସଂକ୍ରମଣ ଭୟ ରହିଛି। 

Advertisment

ଗୌତମବୁଦ୍ଧ ନଗରରେ ଗତ ୨୪ ଘଣ୍ଟାରେ ୧୯ ଜଣ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ସମେତ ୬୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ କିଛିଦିନ ମଧ୍ୟରେ ଦିଲ୍ଲୀରେ ୫୧୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ଦିଲ୍ଲିରେ କରୋନା ପଜିଟିଭିଟି ରେଟ୍‌ ୪.୨୧%ରେ ପହଞ୍ଚିଛି। ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁଣିଥରେ ସ୍କୁଲ୍‌ ବନ୍ଦ ହେବା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଆଶଙ୍କା କରିଛନ୍ତି। 

ଗୋଟିଏପଟେ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଓଡ଼ିଶାରେ ମୁହଁ ମୁକୁଳା। ନା ଏଠି କେହି ମାସ୍କ ପିନ୍ଧୁଛନ୍ତି ନା କେହି କୋଭିଡ୍‌ ନିୟମକୁ ଠିକ୍‌ ଭାବେ ପାଳନ କରୁଛନ୍ତି। ସର୍ବସାଧାରଣ ସ୍ଥାନ, ମାର୍କେଟ, ମଲ୍‌ ସବୁଠି ଲୋକମାନେ ଖୁଲମଖୁଲା ନିୟମକୁ ଉଲ୍ଲଂଘନ କରୁଥିବା ନଜର ଆସିଛି। ଯଦି ବେଳ ବେଳ ଥାଉ ଥାଉ ଲୋକମାନେ ସଚେତନ ନହୁଅନ୍ତି ଓ ପୂର୍ବଭଳି ନିୟମକୁ କଡ଼ାକଡ଼ି ପାଳନ ନକରନ୍ତି ତା’ହେଲେ ଦିଲ୍ଲୀ ଭଳି ଓଡ଼ିଶାରେ ମଧ୍ୟ ସ୍ଥିତି ଉପୁଜିପାରେ। 

ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ନୂଆ ଗାଇଡଲାଇନ୍ସ ଜାରି କରିଛନ୍ତି। ଯେଉଁ ସ୍କୁଲ୍‌ରୁ ପଜିଟିଭ୍‌ ବାହାରିବେ ସମ୍ପୃକ୍ତ ଛାତ୍ରଙ୍କୁ ତୁରନ୍ତ ଆଇସୋଲେଟ୍‌ କରାଯିବା ଉଚିତ୍‌। ଯଦିଓ ସଂକ୍ରମଣ ବଢ଼ିଛି ହେଲେ ହସ୍ପିଟାଲାଇଜେସନ୍‌ ବର୍ତ୍ତମାନ ସୁଦ୍ଧା ବୃଦ୍ଧି ପାଇ ନାହିଁ। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବାରୁ ଚିନ୍ତାର କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ମନୀଷ ସିସୋଦିଆ କହିଛନ୍ତି। ସ୍କୁଲ୍‌ ବନ୍ଦ ନେଇ ସରକାର କୌଣସି ବିଚାର କରିନଥିବା ସେ କହିଛନ୍ତି।

Coronavirus Corona Cases In India Corona Cases In Odisha
Advertisment
Advertisment