• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗର୍ଭଧାରଣ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୨୭ ସପ୍ତାହ ଗର୍ଭ ଧାରଣ ପରେ ଗର୍ଭପାତ ପାଇଁ ଅନୁମତି ଦେଲେ ଦିଲ୍ଲୀ ହାଇକୋର୍ଟ । ଏକ ସ୍ପର୍ଶକାତର ମାମଲାର ଶୁଣାଣି ବେଳେ ଏପରି ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଜଣେ ବିଧବାଙ୍କର ପରିସ୍ଥିତି ଓ ମାନସିକ ସ୍ଥିତିର ବିଚାର କରିବା ପରେ ଏପରି ସମ୍ବେଦନଶୀଳ ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

ସ୍ୱାମୀଙ୍କ ମୃତ୍ୟୁ କାରଣରୁ ମହିଳା ଜଣକ ମାନସିକ ଭାବେ ପୀଡ଼ିତ ଅଛନ୍ତି । ଏଣୁ ସେ ଗର୍ଭରେ ଥିବା ଭ୍ରୁଣର ଯତ୍ନ ନେବାକୁ ଅସମର୍ଥ । ଏଥିପାଇଁ ସେ ଅନୁମତି ଚାହାଁନ୍ତି ବୋଲି ଦିଲ୍ଲୀ ହାଇକୋର୍ଟରେ ଏନେଇ ଏକ ପିଟିସନ ଦାଖଲ ହୋଇଥିଲା । ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଜଷ୍ଟିସ୍ ସୁବ୍ରମ୍ନଣୟମ୍ ପ୍ରସାଦ, ଆବେଦନକାରୀଙ୍କ ମାନସିକ ପରିସ୍ଥିତିକୁ ନେଇ ବିଚାର କରିବା ପରେ ଉପରୋକ୍ତ ଅନୁମତି ଦେଇଛନ୍ତି । ଜଷ୍ଟିସ ପ୍ରସାଦ କହିଛନ୍ତି ଯେ, ମହିଳା ଜଣକ ବିଧବା ହୋଇ ସାରିଛନ୍ତି । ତାଙ୍କର ସ୍ୱାମୀ ଆଉ ଜୀବିତ ନାହାଁନ୍ତି । ସ୍ୱାମୀଙ୍କ ମୃତ୍ୟୁ କାରଣରୁ ମହିଳା ଜଣକ ପ୍ରଚଣ୍ତ ଭାବେ ମାନସିକ ଅବସାଦ ମଧ୍ୟରେ ଗତି କରୁଛନ୍ତି । ଏଣୁ ସେ ଗର୍ଭସ୍ଥ ସନ୍ତାନର ଲାଳନପାଳନ ପାଇଁ ଅକ୍ଷମ । ଏନେଇ ଦିଲ୍ଲୀ ଏମ୍ସ ମଧ୍ୟ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିଛି ।

ମହିଳା ଜଣକ ନିଜର ମାନସିକ ସନ୍ତୁଳନ ହରାଇ ଥିବାରୁ ସେ ନିଜକୁ ମଧ୍ୟ କ୍ଷତି ପହଞ୍ଚାଇ ପାରନ୍ତି । ଏପରି କ୍ଷେତ୍ରରେ ସେ ଭ୍ରୁଣର ଲାଳନପାଳନ ପାଇଁ ସମ୍ପୂର୍ଣ୍ଣ ଭାବେ ଅକ୍ଷମ ବୋଲି ଜଷ୍ଟିସ ପ୍ରସାଦ କହିଛନ୍ତି । ହାଇକୋର୍ଟଙ୍କ ତରଫରୁ କୁହା ଯାଇଛି ଯେ, ମହିଳାଙ୍କ ନିକଟରେ ଆତ୍ମହତ୍ୟା ପ୍ରବୃତ୍ତି ରହିଛି । ଏପରି ସ୍ଥଳେ ଗର୍ଭଧାରଣ ଜାରି ରଖିବାକୁ ଅନୁମତି ଦିଆ ଯାଇନପାରେ ।

ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ, ଗର୍ଭପାତ ପାଇଁ ଅନୁମତି ଦିଆ ଯାଇପାରିବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ନିୟମ ଅନୁସାରେ ଗର୍ଭଧାରଣର ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଯାଇପାରିବ । ମହିଳା ଜଣକ ୨୭ ସପ୍ତାହ ଧରି ଗର୍ଭଧାରଣ କରିସାରିଲେଣି । ଏଥିପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ସହ ଗର୍ଭପାତ କରାଇବାକୁ ଦିଲ୍ଲୀ ଏମ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ତେବେ, ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ମାମଲାର ସମ୍ବେଦନଶୀଳତା, ତଥ୍ୟ ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆଦେଶ ଦିଆ ଯାଇଛି । ଏଣୁ ଏହାକୁ ଉଦାହରଣ ଭାବରେ ଗ୍ରହଣ କରାଯାଇପାରିବ ନାହିଁ ।