• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସରକାରଙ୍କ ବଡ଼ ନିଷ୍ପତ୍ତି । ବ୍ୟାନ୍ ହେଲା ବମ୍ବେଇ ଲଡୁ । ଆଉ ବଜାରରେ ମିଳିବନି ବମ୍ବେଇ ଲଡୁ । ଛୋଟଠାରୁ ବୁଢା ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଇଚ୍ଛା ଥାଏ ଏହି ବମ୍ବେଇ ଲଡୁକୁ ଖାଇବାକୁ । ଆପଣ ବି ପିଲାବେଳେ ମଧ୍ୟ ଏହାକୁ ପ୍ରବଳ ମାତ୍ରାରେ ଖାଇଥିବେ । କିନ୍ତୁ ଏବେ ଏହା ଶରୀର ପାଇଁ ବିଷ ପାଲିଟିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ତାମିଲନାଡୁରେ ବ୍ୟାନ୍‌ ହେଉଛି ବମ୍ବେଇ ଲଡୁ ବା କଟନ କ୍ୟାଣ୍ଡି । ବମ୍ବେଇ ଲଡୁ ବିକ୍ରି ଉପରେ କଟକଣା ଲଗାଇଛନ୍ତି ତାମିଲନାଡୁ ସରକାର । ତାମିଲ ଭାଷାରେ ଏହାକୁ 'ପାଞ୍ଜୁ ମିଠାଇ' ଓ ଓଡ଼ିଆ ଭାଷାରେ ଏହାକୁ ‘ବମ୍ବେଇ ଲଡୁ’ ବୋଲି ମଧ୍ୟ କୁହାଯାଏ । ଏଥିରେ ମାରାତ୍ମକ କେମିକାଲ୍‌ ରହିଛି । ‘ବମ୍ବେଇ ଲଡୁ’ ପ୍ରସ୍ତୁତି ପାଇଁ କୃତ୍ରିମରଙ୍ଗ ବ୍ୟବହାର କରାଯାଇଥାଏ । ବମ୍ବେଇ ଲଡୁକୁ ରଙ୍ଗବେରଙ୍ଗ କରିବା ପାଇଁ ରୋଡାମାଇନ୍‌ ବି (Rhodamine-B) ବ୍ୟବହାର ହୁଏ, ଯାହାକି ଏକ କ୍ଷତିକାରକ କେମିକାଲ ହୋଇଥିବାବେଳେ କ୍ୟାନ୍ସର ରୋଗର କାରଣ ସାଜିପାରେ । ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ରାଜ୍ୟରେ ବମ୍ବେଇ ଲଡୁ ବିକ୍ରି ବ୍ୟାନ କରିଛନ୍ତି ।

ଫୁଡ୍ ଆନାଲିସସ ଲାବ୍ରୋଟେରୀରେ ସରକାରଙ୍କ ପକ୍ଷରୁ ଏନେଇ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଫୁଡ୍ ସେଫ୍ଟି ଷ୍ଟାଣ୍ଡାର୍ଡ୍ସ ଆକ୍ଟ ୨୦୦୬ ଧାରା ୩ (1) (zx), ଧାରା 3(1) (zz)(iii)(V) (VIII)ଏବଂ (XI) ଅନୁଯାୟୀ ଏହାକୁ ଏକ ଅସୁରକ୍ଷିତ ଖାଦ୍ୟ ଭାବେ ଘୋଷଣା କରାଯାଇଛି । ଏହି ବମ୍ବେଇ ଲଡୁ ବା ପାଞ୍ଜୁ ମିଠାଇ ପ୍ରସ୍ତୁତି, ପ୍ୟାକେଜିଂ, ଆମଦାନୀ, ବିକ୍ରି ଉପରେ କଟକଣା ଜାରି ହୋଇଛି । ଏପରିକି କୌଣସି ବିବାହ ଭୋଜି, ବଜାର, ଜନବହୁଳ ସ୍ଥାନ, ମେଳା ଆଦି କୌଣସି ସ୍ଥାନରେ ଏହାକୁ ବିକ୍ରି କରିବାକୁ ବାରଣ କରାଯାଇଛି ।

ରୋଡାମାଇନ-ବି ନାମକ କେମିକାଲଯୁକ୍ତ ଖାଦ୍ୟ ବିକ୍ରି କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ଦର୍ଶାଇଛନ୍ତି ତାମିଲନାଡୁ ସରକାର । ଜନସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଏମ ଏ.ସୁବ୍ରମଣ୍ୟମ କହିଛନ୍ତି, "ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଏ ଦିଗରେ ଦୃଷ୍ଟି ଦେବାକୁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ନିୟମ ଉଲ୍ଲଂଘନ କରି 'ପାଞ୍ଜୁ ମିଠାଇ' ବିକ୍ରି କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହି କଟନ୍‌ କ୍ୟାଣ୍ଡି ମୁଖ୍ୟତଃ ଚିନିରୁ ତିଆରି ହୋଇଥାଏ । ଏହାର ପ୍ରକୃତ ରଙ୍ଗ ଧଳା ହୋଇଥିବାବେଳେ ରଙ୍ଗ ମିଶ୍ରିତ କରାଯାଇ ରଙ୍ଗବେରଙ୍ଗର କଟନ୍‌ କ୍ୟାଣ୍ଡି ବିକ୍ରି ହୋଇଥାଏ । ବିଶେଷ କରି ଏହା ଗୋଲାପୀ ରଙ୍ଗର ଅଧିକ ମାତ୍ରାରେ ଦେଖିବାକୁ ମିଳେ । ଏହାର ସ୍ବାଦ ମିଠା ହୋଇଥିବାବେଳେ ପିଲାମାନେ ଖାଇବାକୁ ବେଶ ପସନ୍ଦ କରିଥାନ୍ତି । ଖାଲି ଛୋଟ ପିଲା ନୁହଁନ୍ତି ବୟସ୍କ ଓ ଯୁବପିଢିଙ୍କ କ୍ଷେତ୍ରରେ ମଧ୍ୟ ଏହାର ଚାହିଦା ଅଧିକ । ଏହି ବମ୍ବେଇ ଲଡୁ ବା କଟନ କ୍ୟାଣ୍ଡି ଏତେ ଲୋକପ୍ରିୟ ଯେ, ଆମେରିକାରେ ପ୍ରତିବର୍ଷ ଡିସେମ୍ବର ୭ ତାରିଖକୁ 'ନ୍ୟାସନାଲ କଟନ୍ କ୍ୟାଣ୍ଡି' ଡେ ପାଳନ କରାଯାଏ । ହେଲେ ଏଥିରେ ବ୍ୟବହୃତ କ୍ଷତିକାରକ କେମିକାଲ୍‌ ପାଇଁ ଏହାକୁ ତାମିଲନାଡୁ ସମେତ ଭାରତର ଆଉ କେତେକ ସ୍ଥାନରେ ମଧ୍ୟ ବ୍ୟାନ କରାଗଲାଣି ।