• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସବୁ ପ୍ରତିକ୍ଷାର ଘଟିବ ଅନ୍ତ । ଅଯୋଧ୍ୟାକୁ ବିଜେ କରିବେ ଶ୍ରୀରାମ । ୨୦୨୪ ଜାନୁଆରୀରେ ସ୍ଥାପନା ହେବେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି । ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କୁ ସ୍ଥାପନା କରାଯିବ । ୨୦୨୪ ଜାନୁଆରୀ ମାସ ମକର ସଂକ୍ରାନ୍ତି ଅବସରରେ ସ୍ଥାପନା କରାଯିବ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି । ଏହାପୂର୍ବରୁ ମନ୍ଦିରର ପ୍ରାୟ ସମସ୍ତ କାମ ସରିଯିବ ବୋଲି ଅନୁମାନ କରାଯାଉଛି ।

ସେହିପରି ରାମ ମନ୍ଦିର ନିର୍ମାଣରେ ୧୮୦୦ କୋଟି ଖର୍ଚ୍ଚ ହେବ ବୋଲି ବର୍ତ୍ତମାନ ଆକଳନ କରାଯାଇଛି । ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ସମୟରେ ମୋଟ୍‌ ଖର୍ଚ୍ଚ ୪୦୦ କୋଟି ହୋଇପାରେ ବୋଲି ଆକଳନ କରାଯାଉଥିଲା । କିନ୍ତୁ ୧୮ ମାସ ପରେ ବର୍ତ୍ତମାନ ଏହାର ମୂଲ୍ୟ ୧୮୦୦ କୋଟିରେ ପହଞ୍ଚିପାରେ ବୋଲି କହିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ।

ଏବେ ସୁଦ୍ଧା ରାମ ମନ୍ଦିର ନିର୍ମାଣର ଆନୁମାନିକ ମୂଲ୍ୟ ଆକଳନ କରାଯାଇଛି । ଆଗାମୀ ସମୟରେ ଏହା ବଢ଼ିପାରେ କିମ୍ବା କମିପାରେ ବୋଲି କୁହାଯାଉଛି । ରବିବାର ଦିନ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି । ସର୍ବସମ୍ମତି କ୍ରମେ ହିନ୍ଦୁ ଧର୍ମ ସହ ଜଡିତ ମହାନ ବ୍ୟକ୍ତିତ୍ୱ ତଥା ସାଧୁମାନଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ରାମ ଜନ୍ମଭୂମି କମ୍ପ୍ଲେକ୍ସରେ ସ୍ଥାନ ଦିଆଯିବ ବୋଲି କୁହାଯାଇଛି ।

ଚମ୍ପତ ରାୟ କହିଛନ୍ତି, ମାତା ଶବରୀ, ଜଟାୟୁ, ମହର୍ଷି ବାଲ୍ମିକୀ, ମହର୍ଷି ବିଶ୍ୱାମିତ୍ର ଏବଂ ମହର୍ଷି ଅଗସ୍ତ୍ୟଙ୍କୁ ସମ୍ମାନ ଦେଇ ସେମାନଙ୍କ ନିମନ୍ତେ ପୂଜା ସ୍ଥାନ ଦେବା ପାଇଁ ଆଲୋଚନା ହୋଇଛି । ଟ୍ରଷ୍ଟର ନିୟମାବଳୀ ଉପରେ ବିଚାର କରାଯିବା ସହ ଏଥିପାଇଁ ଅନେକ ପରାମର୍ଶ ଆସିଛି । ସମସ୍ତ ତର୍କ ତଥା ପରାମର୍ଶ ଶୁଣିବା ପରେ ହିଁ ଅନ୍ତିମ ନିର୍ଦ୍ଦେଶ ଦିଆଯାଇଛି । ଏହି ସଭାରେ ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସଙ୍କ ସମେତ ଦଶ ଜଣ ଟ୍ରଷ୍ଟି ଉପସ୍ଥିତ ଥିଲେ ।

ଏହାରି ମଧ୍ୟରେ ରାମ ମନ୍ଦିରର ସୁରକ୍ଷାକୁ ସିଏସଏଫକୁ ହସ୍ତାନ୍ତର କରିବାକୁ ମଧ୍ୟ ଆଲୋଚନା ଚାଲିଛି । ଏଥିପାଇଁ କେନ୍ଦ୍ରୀୟ ବଳର ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଡିସେମ୍ବର ୨୦୨୩ ସୁଦ୍ଧା ଗର୍ଭଗୃହର ନିର୍ମାଣ ଶେଷ ହେବ ବୋଲି ଆଶା କରାଯାଉଛି । ମନ୍ଦିର ନିର୍ମାଣର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ପଠାଯିବ ।

ସୂଚନାଯୋଗ୍ୟ ରାମ ମନ୍ଦିରର ଗର୍ଭଗୃହ ନିର୍ମାଣ ପାଇଁ ଚଳିତ ବର୍ଷ ଜୁନ ମାସରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ସେହପରି ୫ ଅଗଷ୍ଟ, ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଏବଂ ସେହି ଦିନଠାରୁ ମନ୍ଦିରର ନିର୍ମାଣ କାର୍ଯ୍ୟ ଜାରି ରହିଛି ।