ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି। ଶୁକ୍ରବାର ଦିନ ଦିଲ୍ଲୀରେ ୨,୪୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୬ ମାସ ମଧ୍ୟରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ। ଏହା ପୂର୍ବରୁ ଫେବୃଆରୀ ୩ରେ ସର୍ବାଧିକ ଦୈନିକ ସଂକ୍ରମଣ ୨,୬୬୮ କେସ୍ ଚିହ୍ନଟ ହୋଇଥିଲା। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ କରୋନା ସଂକ୍ରମଣ ହାର ୧୨.୯୫% ହୋଇଛି।
ଏହା ପୂର୍ବରୁ ଜାନୁଆରୀ ୨୩ରେ ଦିଲ୍ଲୀରେ ସଂକ୍ରମଣ ହାର ୧୩.୩୨% ଥିଲା। ସେହିପରି ଗତ ୨୪ ଘଣ୍ଟାରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୂଚନାଥାଉ କି, ଗତ ବୁଧବାର ଦିଲ୍ଲୀରେ ୨,୦୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ ପଜିଟିଭିଟି ରେଟ୍ ୧୧.୬୪% ଥିଲା। ଲଗାତାର ତୃତୀୟ ଦିନ ପାଇଁ ଦିଲ୍ଲୀରେ ପଜିଟିଭିଟି ରେଟ୍ ୧୦%ରୁ ଅଧିକ ରେକର୍ଡ କରାଯାଇଥିଲା।
ସେହିପରି ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୭,୮୧୫ କରୋନା ଟେଷ୍ଟ୍ କରାଯାଇଥିବା ବେଳେ ୧,୪୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗତ ୧ ସପ୍ତାହରେ ଦିଲ୍ଲୀରେ କରୋନା କେସ୍ ଓ ପଜିଟିଭିଟି ରେଟ୍ ଉପର ମୁହାଁ ଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ବ୍ୟତୀତ ଅନ୍ୟ ରାଜ୍ୟରେ ବି କରୋନା କେସ୍ ସଂଖ୍ୟା ବଢ଼ିଛି। ମହାରାଷ୍ଟ୍ରରେ ୧,୯୩୨ ନୂଆ କରୋନା କେସ୍ ସାମ୍ନାକୁ ଆସିଛି।