• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ମହଙ୍ଗା ହେବ ଖାଇବା ତେଲ ଦର । ପୂର୍ବରୁ ହିଁ ଭାରତରେ ଉଚ୍ଚ ସ୍ତରରେ ଅଛି ତୈଳ ଦର । ଏବେ ପୁଣି ଖାଉଟିଙ୍କ ପକେଟ୍ ଉପରେ ବୋଝ ବଢ଼ିବ । ବର୍ତ୍ତମାନ ସୋରିଷ ତେଲର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ସୂର୍ଯ୍ୟମୁଖୀ ତେଲ ମଧ୍ୟ ମହଙ୍ଗା ହୋଇଛି । ହେଲେ ଏହାରି ଭିତରେ ସାଧାରଣ ଜନତାଙ୍କ ମୁଣ୍ଡରେ ପୁଣି ଚଡ଼କ ପଡ଼ିଯିବ । କାରଣ ବର୍ତ୍ତମାନ ଇଣ୍ଡୋନେସିଆ ସରକାର ପାମ୍‌ ତେଲ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଫଳରେ ଆଗାମୀ ଦିନରେ ଭାରତରେ ତୈଳ ଦର ଆହୁରି ବଢ଼ିଯିବ । ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଶୁକ୍ରବାର ଖଜୁରୀ ତେଲ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ଇଣ୍ଡୋନେସିଆ କାହିଁକି ବନ୍ଦ କରୁଛି ପାମ୍‌ ତୈଳ ରପ୍ତାନୀ ?

ଇଣ୍ଡୋନେସିଆରେ ବର୍ତ୍ତମାନ ହୁ ହୁ ହୋଇ ବଢ଼ୁଛି ଦରଦାମ । ଏଭଳି ସ୍ଥିତିରେ ଗୁରୁବାର ଦିନ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଶତାଧିକ ଲୋକ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଏଥିପାଇଁ ଘରୋଇ ଅଭାବକୁ ହ୍ରାସ କରିବା ଏବଂ ଆକାଶଛୁଆଁ ମୂଲ୍ୟକୁ ରୋକିବା ପାଇଁ ଖାଇବା ତେଲ ଏବଂ କଞ୍ଚାମାଲ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଇଣ୍ଡୋନେସିଆ ସରକାର।

ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଶୁକ୍ରବାର ଏହି ଘୋଷଣା କରିଛନ୍ତି । ଏହି ପ୍ରତିବନ୍ଧକ ଆସନ୍ତା ଗୁରୁବାର ଠାରୁ କାର୍ଯ୍ୟକାରୀ ହେବ ଏବଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ । ତେଣୁ ଭାରତକୁ ବର୍ତ୍ତମାନ ପାମ୍‌ ତେଲ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ପଡିବ । କାରଣ ଏହି ନିଷେଧାଦେଶ ଦୀର୍ଘ ସମୟ ଧରି ଚାଲିଲେ,ବଡ ସମସ୍ୟା ହୋଇପାରେ ।

ବିଶ୍ୱସ୍ତରରେ ପଡ଼ିବ ପ୍ରଭାବ

ଇଣ୍ଡୋନେସିଆ ସରକାର ବ୍ୟାନ୍‌ ଘୋଷଣା କରିବା ପରେ ଆମେରିକାରେ ସୋୟା ତୈଳ ଦର ରେକର୍ଡ ସ୍ତରରେ ପହଞ୍ଚିଛି । Solvent Actors Association of India (SEA)ର ସଭାପତି ଅତୁଲ କହିଛନ୍ତି ,ଏପରି ନିଷ୍ପତ୍ତି ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଏବଂ ଦୁର୍ଭାଗ୍ୟଜନକ । ଏହି ନିଷ୍ପତ୍ତି ଯୋଗୁଁ କେବଳ ସବୁଠାରୁ ବଡ କ୍ରେତା ଭାରତକୁ ନୁହେଁ ବରଂ ବିଶ୍ୱସ୍ତରରେ ଗ୍ରାହକଙ୍କୁ ମଧ୍ୟ କ୍ଷତି ପହଞ୍ଚାଇବ । କାରଣ ପାମ୍‌ ତେଲ ହେଉଛି ବିଶ୍ୱର ସର୍ବାଧିକ ଖର୍ଚ୍ଚ ହେଉଥିବା ତେଲ ।

ସୂଚନାଯୋଗ୍ୟ ପାମ୍‌ ତେଲ ଅନେକ ପ୍ରକାରର ଖାଇବା ତେଲରେ ମିଶ୍ରଣ କରାଯାଏ । ଏହାର ମୂଲ୍ୟ କମ୍ ଥିବାରୁ ଅନ୍ୟ ତେଲରେ ମିଶାଇବା ପରେ କିଛି ମାତ୍ରାରେ ଶସ୍ତା ହୋଇଯାଏ ଦର । ଏହାର କୌଣସି ସୁଗନ୍ଧ ନାହିଁ, ତେଣୁ ସହଜରେ ସବୁ ତେଲ ସହ ମିଶିଯାଏ ।