• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହିନ୍ଦୀ ଆମର ଜାତୀୟ ଭାଷା କି ନାହିଁ ? ଏହାକୁ ନେଇ ମୁହାଁମୁହିଁ ହୋଇଛିନ୍ତି କନ୍ନଡ ଅଭିନେତା ସୁଦୀପ କିଚ୍ଚା ଓ ବଲିଉଡ ଅଭିନେତା ଅଜୟ ଦେବଗନ୍ ।  ଉଭୟ ସିରିଜ ଟ୍ୱିଟ୍ କରି ପରସ୍ପରକୁ ଆକ୍ଷେପ କରିଥିବା ବେଳେ ଆଉ କିଛି ସିନେଷ୍ଟାର ଏହି ଟ୍ୱିଟର ୱାରରେ ସାମିଲ ହୋଇଛନ୍ତି  । ଏପ୍ରସଙ୍ଗରେ ସୁଦୀପଙ୍କୁ କିନ୍ତୁ ଖୋଲାଖୋଲି ସମର୍ଥନ କରିଛନ୍ତି କର୍ଣ୍ଣାଟକର ଫିଲ୍ମ ଷ୍ଟାର ଓ ରାଜନେତା ।

 ହିନ୍ଦୀ ଆଉ ଜାତୀୟ ଭାଷା ହୋଇନାହିଁ । ଏଭଳି ମନ୍ତବ୍ୟ ଦେଇ ବିବାଦ ଘେରରେ କନ୍ନଡ଼ ଅଭିନେତା ସୁଦୀପ କିଚ୍ଚା । ସୁଦୀପଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବଲିଉଡର ସିଂଘମ୍ ଅଜୟ ଦେବଗନ ଟୁଇଟ୍ କରିବା ପରେ ଆରମ୍ଭ ହୋଇଯାଇଛି ଷ୍ଟାର୍ ଓ୍ୱାର୍ ।  ଅଜୟ ଦେବଗନ୍ ଟୁଇଟ୍ କରିଛନ୍ତି- ଯଦି, ହିନ୍ଦୀ ଜାତୀୟ ଭାଷା ନୁହେଁ, ତେବେ ସୁଦୀପଙ୍କ ମାତୃଭାଷାରେ ତିଆରି ସିନେମାକୁ ହିନ୍ଦୀରେ ଡବ୍ କରି କାହିଁକି ରିଲିଜ୍ କରାଯାଉଛି । ହିନ୍ଦୀ ତାଙ୍କର ମାତୃଭାଷା, ଏହା ଜାତୀୟ  ଭାଷା ଥିଲା, ଅଛି ଓ ଚିରଦିନ ରହିବ ।

ସୁଦୀପ ବି ଏହାର ଜବାବ ଦେଇଛନ୍ତି । ଲେଖିଛନ୍ତି- ହିନ୍ଦୀକୁ ଆମେ ଭଲ ପାଉ, ପସନ୍ଦ କରୁ  ।  ଅଧିକ ଲୋକଙ୍କ ପାଖରେ ସିନେମାକୁ ପହଞ୍ଚାଇବାକୁ ଏପରି କରାଯାଏ  । ତେଣୁ ତାଙ୍କ ମନ୍ତବ୍ୟକୁ ବିବାଦ ଭିତରକୁ ଟାଣିବା ଉଚିତ୍ ନୁହେଁ ବୋଲି ସେ ସଫେଇ ଦେଇଛନ୍ତି  । ହେଲେ ଦୁଇ ଷ୍ଟାରଙ୍କ ଟ୍ୱିଟ୍ ୱାର ପରେ ବଲିଉଡ୍ ଓ ସାଉଥ୍ ସିନେମା ଫ୍ୟାନ୍ ବି ଏଥିରେ ସାମିଲ ହୋଇଛନ୍ତି  । ସାଉଥ୍ ସିନେମା ଫ୍ୟାନ୍ ମାନେ ଅଜୟଙ୍କ ମନ୍ତବ୍ୟକୁ ନାପସନ୍ଦ କରିବା ସହିତ, ଭାରତୀୟ ସମ୍ବିଧାନରେ ଜାତୀୟ ଭାଷା ଭାବେ କାହାକୁ ମାନ୍ୟତା ମିଳିନଥିବାରୁ ଅଜୟଙ୍କ ବୟାନ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି  । ଅନ୍ୟପଟେ ହିନ୍ଦୀ ଫ୍ୟାନ୍ ବି ସୁଦୀପଙ୍କ ବୟାନକୁ ସମାଲୋଚନା କରିଛନ୍ତି । 

ଏପଟେ ଅଜୟ ଦେବଗନଙ୍କ ଟୁଇଟକୁ ନେଇ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ କଡ଼ା ପ୍ରତିକ୍ରିୟା ଦେଖାଦେଇଛି  । ସେ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର ଦାବିରେ କର୍ଣ୍ଣାଟକରେ ଜୋର ଧରିଛି ପ୍ରତିବାଦ  । ଖୋଦ୍ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଏହି ପ୍ରସଙ୍ଗକୁ ଡେଇଁ, ସୁଦୀପଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି  ।  ସୁଦୀପ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍  । ଭାଷା ଭିତ୍ତିରେ ରାଜ୍ୟ ଗୁଡିକ ଗଠନ କରାଯାଇଥିବାରୁ ଆଞ୍ଚଳିକ ଭାଷାର ସବୁଠୁ ଅଧିକ ଗୁରୁତ୍ୱ ରହିଛି ବୋଲି କହିଛନ୍ତି  ବୋମ୍ମାଇ  । 

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ମଧ୍ୟ ସୁଦୀପଙ୍କୁ ସମର୍ଥନ କରିଛନ୍ତି , ହିନ୍ଦୀ କେବେ ଜାତୀୟ ଭାଷା ନଥିଲା କି ଆଗାମୀ ଦିନରେ କେବେ ହୋଇପାରିବ ନାହିଁ  । ଦେଶର ଭାଷାଗତ ବିବିଧତାକୁ ସମସ୍ତେ ସମ୍ମାନ ପ୍ରଦର୍ଶନ କରିବା ଉଚିତ୍  । ସବୁ ଭାଷାର ଏକ ଗୌରବମୟ ଇତିହାସ ରହିଥିବାରୁ ସ୍ଥାନୀୟ ଲୋକମାନେ ଏହାକୁ ନେଇ ଗର୍ବ କରନ୍ତି ବୋଲି ସିଦ୍ଧରମେୟା ଟ୍ୱିଟ୍ କରିଛନ୍ତି । 
 
ଅଜୟ ଦେବଗନ୍ ଓ ସୁଦୀପ କିଚ୍ଚାଙ୍କ ଟ୍ୱିଟ୍ ୱାର ପରେ ଭାଷାକୁ ନେଇ ଦେଖାଦେଇଥିବା ବିବାଦ ପୁଣିଥରେ ତେଜିବାର ଆଶଙ୍କା ରହିଛି । ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଭିନ୍ନ ରାଜ୍ୟର ଲୋକମାନେ ପରସ୍ପର ସହ ଇଂରାଜୀରେ ନୁହେଁ ହିନ୍ଦୀରେ କଥାବାର୍ତ୍ତା କରିବା ଉଚିତ ବୋଲି ମତ ଦେଇଥିଲେ  । ଏହାକୁ ନେଇ କେରଳ, ତାମିଲନାଡୁ ଓ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ କଡା ପ୍ରତିକ୍ରିୟା ପ୍ରକାଶ ପାଇବା ସହ ହିନ୍ଦୀଭାଷାକୁ ଲଦିଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଥିଲେ  । ସେପଟେ ସମ୍ବିଧାନରେ ହିନ୍ଦୀ ଓ ଇଂରାଜୀକୁ ସରକାରୀ ଭାଷା ମାନ୍ୟତା ମିଳିଥିଲେ ମଧ୍ୟ କୌଣସି ଭାଷାକୁ ଜାତୀୟ ଭାଷା ମାନ୍ୟତା ମିଳିନାହିଁ  ।

 ଖାଲି ସୁଦୀପ୍ ବନାମ୍ ଅଜୟ ଦେବଗନ୍ କାହିଁକି? ବହୁ ପୂର୍ବରୁ ଅନେକ ଥର ଉଠିଛି ଜାତୀୟ ଭାଷା ଝଡ଼ ।  ହିନ୍ଦୀ ଜାତୀୟ ଭାଷା କି ନୁହେଁ, ତାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବହୁ ବଡ଼ ବଡ଼ ହସ୍ତି  । କିଛି ସପ୍ତାହ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତାବ ରଖିଥିଲେ ଯେ, ବିଭିନ୍ନ ରାଜ୍ୟର ଲୋକମାନେ ପରସ୍ପର ସହ ଇଂରାଜୀରେ ନୁହେଁ ବରଂ ହିନ୍ଦୀରେ କଥାବାର୍ତ୍ତା କରିବା ଉଚିତ ।  ଇଂରାଜୀର ବିକଳ୍ପ ହିନ୍ଦୀ ହେବା ଦରକାର   । ଏଥିପାଇଁ ଆଞ୍ଚଳିକ ଭାଷାକୁ ବଳି ପକାଇବା ଠିକ୍ ନୁହେଁ ।  ବିଭିନ୍ନ ଭାଷାର ଶବ୍ଦକୁ ହିନ୍ଦୀ ଭାଷାରେ ସାମିଲ କଲେ ଏହା ଆହୁରି ସମୃଦ୍ଧ ହୋଇପାରିବ ବୋଲି ମତ ଦେଇଥିଲେ ଶାହ ।

  ଦେଶର ଏକତା ପାଇଁ ଏବେ ସମୟ ଆସିଛି ହିନ୍ଦୀକୁ ସରକାରୀ ଭାଷା କରିବା ପାଇଁ  । ଏଥିପାଇଁ ସମସ୍ତଙ୍କ ଉଦ୍ୟମ ଆବଶ୍ୟକ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ  । ସେପଟେ ଅମିତ ଶାହଙ୍କ ମନ୍ତବ୍ୟ ପରେ କଡା ପ୍ରତିକ୍ରିୟା ରଖିଥିଲେ କେରଳ, ତାମିଲନାଡୁ ଓ ତେଲେଙ୍ଗାନା ସରକାର ।   ହିନ୍ଦୀ ଭାଷାକୁ ଲଦିଦେବା ପାଇଁ ବିଧିବଦ୍ଧ ଷଡଯନ୍ତ୍ର କରାଯାଉଥିବା ସେମାନେ ଅଭିଯୋଗ କରିଥିଲେ । 
 
ଗୋଟିଏ ପଟେ ହିନ୍ଦୀକୁ ଜାତୀୟ ଭାଷା ବୋଲି କିଛି ଦାବି କରାଯାଉଥିବା ବେଳେ, ଏହାକୁ ବିରୋଧ କରୁଥିବା ଲୋକମାନେ ଭାରତୀୟ ସମ୍ବିଧାନରେ ଏନେଇ କିଛି ସ୍ପଷ୍ଟ କରାଯାଇନଥିବା ଯୁକ୍ତି ବାଢ଼ନ୍ତି ।  ୨୦୧୮ ମସିହାରେ ସଂସଦରେ ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଥିଲେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର  । 
 
ଜାତୀୟ ଭାଷା କହିଲେ, ସାଧାରଣତଃ ଯେଉଁ ଭାଷାକୁ ଦେଶର ସବୁ ଅଂଚଳର ଲୋକମାନେ ପଢିବା ଓ ଲେଖିବା ପାଇଁ ବ୍ୟବହାର କରିଥାନ୍ତି ।  କିନ୍ତୁ ଭାରତର ଜନସଂଖ୍ୟାର ମାତ୍ର ୪୦ ପ୍ରତିଶତ ହିନ୍ଦୀ ଭାଷାକୁ ବ୍ୟବହାର କରୁଥିବାରୁ ଏହାକୁ ଜାତୀୟ ଭାଷା ମାନ୍ୟତା ଦିଆଯାଇନାହିଁ  । ସରକାରୀ ଭାଷା ଆଇନ୍ ୧୯୬୩ ଅନୁଯାୟୀ ବିହାର, ରାଜସ୍ଥାନ ହାଇକୋର୍ଟରେ ହିନ୍ଦୀ ଭାଷା ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । 

 ଧାରା ୩୪୩ ଅନୁଯାୟୀ ହିନ୍ଦୀ ଭାଷାଭାଷୀ ରାଜ୍ୟ ଗୁଡିକ ସହ ଯୋଗାଯୋଗ ପାଇଁ କେନ୍ଦ୍ର ସରକାର ହିନ୍ଦୀ ଭାଷା ବ୍ୟବହାର କରିପାରିବେ ।  ଇଂରାଜୀକୁ ମଧ୍ୟ ସରକାରୀ ଭାଷା ଭାବେ ବ୍ୟବହାର କରାଯାଇପାରିବ ବୋଲି ସମ୍ବିଧାନରେ ଉଲ୍ଲେଖ ରହିଛି ।   ତେଣୁ ସମ୍ବିଧାନ ଅନୁଯାୟୀ, ହିନ୍ଦୀ ଓ ଇଂରାଜୀକୁ ସରକାରୀ ଭାଷା ମାନ୍ୟତା ମିଳିଥିଲେ ମଧ୍ୟ କୌଣସି ଭାଷାକୁ ଜାତୀୟ ଭାଷା ମାନ୍ୟତା ମିଳିନାହିଁ ।