• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସିସିଟିଭିରେ କଏଦ୍‌ ହୃଦୟଥରା ଦୁର୍ଘଟଣା । କାରକୁ ୨କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ିନେଲା କଣ୍ଟେନର୍‌ । ମହାରାଷ୍ଟ୍ରର ପୁଣେରେ ଏପରି ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳଛି । ଶନିବାର ରାତିରେ ଏକ ଅନିୟନ୍ତ୍ରିତ କଣ୍ଟେନର୍‌ କାରକୁ ଧକ୍କା ଦେବା ପରେ ୨ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଛି । ଆଉ ଏହି ସମୟରେ କାର ଭିତରେ ଚାରି ଜଣ ଲୋକ ଥିଲେ । ଏହି ଦୁର୍ଘଟଣାର ଅନେକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଶନିବାର ରାତି ପ୍ରାୟ ୧୦.୪୫ ସମୟରେ ପୁଣେର ଶିରୁର ତାଲୁକାର ଶିକ୍ରାପୁର ନିକଟ ପୁଣେ-ନାଗର ରାଜପଥରେ ଏକ ଅନିୟନ୍ତ୍ରିତ କଣ୍ଟେନର୍‌ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇବା ପରେ ଗାଡ଼ିକୁ ରୋକିବା ପରିବର୍ତ୍ତେ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ ଚାଳକ । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା କଣ୍ଟେନର୍ ଧକ୍କାରେ କାରଟି ଓଲଟି ପଡ଼ିଥିଲା ଓ ଭିତରେ ୪ ଜଣ ଲୋକ ସବାର ଥିଲେ । ଆଉ ସେହିପରି ଓଲଟା ଅବସ୍ଥାରେ ସମସ୍ତେ ୨ କିମି ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲେ ।

ଅନିୟନ୍ତ୍ରିତ କଣ୍ଟେନରଟି କାରକୁ ଟାଣି ନେଉଥିବା ବେଳେ ଘଷି ହୋଇ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି । ପ୍ରାୟ ୨ କିମି ଘୋଷାଡ଼ିବା ପରେ କଣ୍ଟେନରରୁ ଅଲଗା ହୋଇଯାଇଥିଲା କାର୍ । ଆଉ ଏହି ସମୟରେ କାରରେ ବସିଥିବା ୪ ଜଣ କେବଳ ଭଗବାନଙ୍କୁ ଡାକୁଥିଲେ । ତେବେ ସୌଭାଗ୍ୟବଶତଃ ବର୍ତ୍ତମାନ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏହି ଘଟଣାର ସିସିଟିଭି ଫୁଟେଜ ଭାଇରାଲ ହେବାରେ ଲାଗିଛି । ତେବେ ଏସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ ।