• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : କଂଗ୍ରେସର ପ୍ରତିଷ୍ଠା ଦିବସରେ ପତାକା ଉତ୍ତୋଳନ ବେଳେ ଖସି ପଡିଲା ଦଳୀୟ ପତାକା । ନୂଆଦିଲ୍ଲୀରେ ଥିବା କଂଗ୍ରେସର ମୁଖ୍ୟାଳୟରେ କଂଗ୍ରେସର ପ୍ରତିଷ୍ଠା ଦିବସରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ଦଳୀୟ ପତାକା ଉତ୍ତୋଳନ ପାଇଁ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧି ଏଥିପାଇଁ ମଞ୍ଚକୁ ଆସିଥିଲେ ।

ହେଲେ ପତାକା ଉତ୍ତୋଳନ ପାଇଁ ରଶି ଧରି ଉଦ୍ୟମ କରିବା ବେଳେ ତାଙ୍କ ପାଖରେ ଥିବା ଆଉ ଜଣେ ବ୍ୟକ୍ତି ଜୋରରେ ରଶି ଟାଣି ଦେଇଥିଲେ । ତେଣୁ ଉପରୁ ପୂରା ପତାକା ଖସି ପଡ଼ିଥିଲା ଏହି ପତାକା  ସୋନିଆ ଗାନ୍ଧିଙ୍କ ହାତରେ ପଡ଼ିଥିଲା । ହେଲେ ପତାକା ଭୂମିରେ ନପଡ଼ି ସୋନିଆଙ୍କ ହାତ ଉପରେ ରହିଯାଇଥିଲା ।

ଏହା ପରେ ସୋନିଆ ଗାନ୍ଧି, ଦଳର କୋଷାଧ୍ୟକ୍ଷ ପବନ ବଂଶଲ ଓ ଏଆଇସିସି ସାଧାରଣ ସଂପାଦକ କେସି ଭେନୁଗୋପାଳ ପତାକାଟିକୁ ଖୋଲି ହାତରେ ଧରିଥିଲେ । ପରେ ଜଣେ ଦଳୀୟ କର୍ମୀ ଖୁଣ୍ଟରେ ଚଢ଼ି ପତାକାଟିକୁ ପୁଣି ଲଗାଇଥିଲେ। ଖୁଣ୍ଟ ଉପରେ ପତାକା ଲଗାଯାଇ ସୋନିଆ ଗାନ୍ଧୀ ପୁଣି ପତାକା ଉତ୍ତୋଳନ କରିଥିଲେ । ଆଉ ତା’ପରେ ରାଷ୍ଟ୍ରୀୟ ଗାନ କରାଯାଇଥିଲା ।

ତେବେ ବର୍ତ୍ତମାନ ପତାକା ଉତ୍ତୋଳନ କରିବା ପୂର୍ବରୁ ସେହି ଭିଡିଓ ଭାଇରାଲ ହେବାରେ ଲାଗିଛି । ବରିଷ୍ଠ ବିଜେପି ନେତା କୈଲାଶ ବିଜୟବର୍ଗିୟ ଏହି ଭିଡିଓକୁ କୁ ଆପରେ ସେୟାର କରି ଲେଖିଛନ୍ତି, 'ଆରେ କଣ ହେଲା ।' ଅନ୍ୟପଟେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ କରି ସ୍ଥାପନା ଦିବସ ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା କରିଥିବା ଦଳ ହେଉଛି କଂଗ୍ରେସ ବୋଲି ସେ ଟ୍ୱିଟ୍ କରିଛନ୍ତି ।

ଆଜି ଭାରତୀୟ ଜାତୀୟ କଂଗ୍ରେସ ୨୮ ଡିସେମ୍ବରରେ ୧୩୭ ତମ ସ୍ଥାପନା ଦିବସ ପାଳନ କରୁଛି । ଏହି ଅବସରରେ ଦଳର ମଧ୍ୟବର୍ତ୍ତୀକାଳୀନ  ସଭାନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନତା କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିଥିଲେ ।

ସୂଚନାଯୋଗ୍ୟ ଡିସେମ୍ବର ୨୮, ୧୮୮୫ରେ ମୁମ୍ବାଇର ଗୋକୁଲ ଦାସ ସଂସ୍କୃତ କଲେଜର ପରିସରରେ ଦେଶର ବିଭିନ୍ନ ରାଜ୍ୟରୁ ନେତାମାନେ ଏକାଠି ହୋଇଥିଲେ । ଆଉ ସେହି ରାଜନନୈତିକ ଏକତା  ପରବର୍ତ୍ତୀ ସମୟରେ ଏକ ସଂଗଠନରେ ପରିଣତ  ହୋଇଥିଲା, ଯାହାର ନାମ କଂଗ୍ରେସ ଦିଆଯାଇଥିଲା । କଂଗ୍ରେସ ଦଳର ପ୍ରଥମ ସଭାପତି ଥିଲେ  ଡବ୍ଲୁ ସି ବାନାର୍ଜୀ।