• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତ ଉପରେ ଚୀନର ରୋଷ । ଭାରତୀୟ ସାମ୍ବାଦିକଙ୍କ ଉପରେ ରାଗ ସୁଝାଉଛି ଚୀନ୍‌ ସରକାର । ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଚୀନ୍‌ ଆଉ ଏକ ଭାରତ ବିରୋଧୀ ପଦକ୍ଷେପ ନେଇଛି । ଚୀନରେ ଥିବା ଶେଷ ଭାରତୀୟ ସାମ୍ବାଦିକଙ୍କୁ ଦେଶ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପିଟିଆଇର ଜଣେ ରିପୋର୍ଟର୍‌ଙ୍କୁ ଚଳିତ ମାସ ଶେଷ ସୁଦ୍ଧା ଚୀନ୍‌ ଛାଡ଼ିବା ପାଇଁ ଜିନପିଙ୍ଗ୍‌ ସରକାରଙ୍କ ପକ୍ଷରୁ କୁହାଯାଇଥିବା ‘ବ୍ଲୁମ୍‌ବର୍ଗ’ ରିପୋର୍ଟରୁ ଜଣାପଡ଼ିଛି ।

ଖବର ସଂଗ୍ରହ କରିବା ପାଇଁ ଚଳିତ ବର୍ଷ ଭାରତର ଚାରିଜଣ ସାମ୍ବାଦିକ ନିୟୋଜିତ ଥିଲେ । ହେଲେ ଭିସା ନବୀକରଣ କରାଇବାର ଆଳ ଦେଖାଇ ୨ଜଣ ଭାରତୀୟ ରିପୋର୍ଟର୍‌ଙ୍କୁ ବିଦା କରିଥିଲା ଚୀନ୍‌ । ଏପ୍ରିଲ୍‌ ମାସରେ ପ୍ରସାର ଭାରତୀର ଜଣେ ଭାରତୀୟ ସାମ୍ବାଦିକ ଏବଂ ଦି ହିନ୍ଦୁର ଜଣେ ସାମ୍ବାଦିକଙ୍କ ଭିସାକୁ ଗ୍ରହଣ କରିନଥିବା ‘ବ୍ଲୁମ୍‌ବର୍ଗ’ ରିପୋର୍ଟରେ ଉଲ୍ଲେଖ ରହିଛି । ସେହପରି ଗତ ସପ୍ତାହାନ୍ତରେ ହିନ୍ଦୁସ୍ତାନ ଟାଇମ୍ସରର ଆଉ ଜଣେ ରିପୋର୍ଟଙ୍କୁ ଦେଶ ଛାଡ଼ିବାକୁ ଚୀନ୍‌ ପକ୍ଷରୁ କୁହାଯାଇଥିଲା । ଶେଷ ରିପୋର୍ଟର ଭାବେ ପିଟିଆଇର ସାମ୍ବାଦିକ ଚୀନ୍‌ରେ ରହିଥିଲେ । ଆଉ ସେ ଚୀନରୁ ଆସିବା ପରେ ବିଶ୍ୱର ଦ୍ୱିତୀୟ ବଡ଼ ଅର୍ଥନୈତିକ ଦେଶରେ ଭାରତର କୌଣସି ସାମ୍ବାଦିକ ରହିବେ ନାହିଁ ।

ଯେସାକୁ ତେସା ନୀତିରେ ଏପରି ପଦକ୍ଷେପ ନେଇଥିବା ସଫେଇ ଦେଇଛି ଚୀନ୍‌ । ଭାରତରେ ଚୀନ୍‌ ସାମ୍ବାଦିକଙ୍କ ପ୍ରତି ଭଲ ବ୍ୟବହାର ହୋଇନଥିବା ବେଜିଂ ପକ୍ଷରୁ କୁହାଯାଇଛି । ହେଲେ ଏହାକୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଖଣ୍ଡନ କରିଛନ୍ତି ।

ଅରିନ୍ଦମ୍‌ ବାଗ୍‌ଚି କହିଛନ୍ତି, ବିନା ବାଧାରେ ଚୀନ୍‌ର ସାମ୍ବାଦିକମାନେ ଭାରତରେ ଖବର ସଂଗ୍ରହ କରୁଛନ୍ତି । ଚୀନ୍‌ ସାମ୍ବାଦିକଙ୍କ ପାଇଁ ଭାରତରେ କୌଣସି ପ୍ରକାର କଟକଣା ଲାଗୁ ହୋଇନାହିଁ । ବରଂ ଭାରତୀୟ ସାମ୍ବାଦିକମାନେ ଚୀନ୍‌ରେ ରିପୋର୍ଟିଂ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ପାଇଁ ଅନେକ କଟକଣା ଥିବାବେଳେ ସ୍ଥାନୀୟ ଅଞ୍ଚଳରେ ରିପୋର୍ଟିଂ କରିବାକୁ ଅନୁମତି ମିଳୁନି ।