Advertisment

ଗତିବିଧି ଉପରେ ନଜର ରଖିଛି ଇସ୍ରୋ, ସଂଜକୁ ଜହ୍ନରେ ଇତିହାସ ରଚିବ ଭାରତ

ଚନ୍ଦ୍ରୟାନ ଥ୍ରୀର ସଫଳ ମନାସୁଛି ସାରା ଦେଶ । ଅବତରଣ ପୂର୍ବରୁ ଲ୍ୟାଣ୍ଡରର ପ୍ରତିଟି ଗତିବିଧି ଉପରେ ନଜର ।

author-image
Satyendu Shekher Mishra
undefined

Chandrayaan 3

ମୁମ୍ବାଇ, ବାରାଣସୀ, ଭୋପାଳ । ସବୁଠି ପୂଜାର୍ଚ୍ଚନା, ହୋମଯଜ୍ଞ, ମହାଦେବଙ୍କୁ ଜଳାଭିଷେକ । ସେପଟେ ଲକ୍ଷ୍ନୌରେ ସମୂହ ନମାଜ ପାଠ । ଜାତିଧର୍ମ ନିର୍ବିଶେଷରେ ସବୁଠି ଚନ୍ଦ୍ରୟାନର ସଫଳତା ପାଇଁ ପ୍ରାର୍ଥନା ଓ ଶୁଭକାମନା । ତାମିଲନାଡ଼ୁ କୋଏମ୍ବଟୁରରେ ୪ ଗ୍ରାମ ସୁନାରେ ଜଣେ ଶିଳ୍ପୀ ଲ୍ୟାଣ୍ଡରର ମିନିଏଚର୍ ତିଆରି କରିଥିବା ବେଳେ, ଏପଟେ ଯାଜପୁର ଜିଲ୍ଲା ଧର୍ମଶାଳାରେ ପିଲାମାନେ ମିଳିମିଶି ଗଢ଼ିଛନ୍ତି ଇସ୍ରୋର ବାହୁବଳୀ ରକେଟ୍ ପ୍ରତିକୃତି । ଚନ୍ଦ୍ରୟାନର ସଫଳତା ପାଇଁ ପୂଜାପାଠ କରିଛନ୍ତି କାଏମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ।

Advertisment

ଭାରତ ଜହ୍ନରେ ପାଦ ଥାପିବାକୁ ଆଉ ୨୪ ଘଣ୍ଟା ବି ନଥିବା ବେଳେ, ସାରା ଦେଶରେ 'ଚନ୍ଦ୍ରୟାନ କ୍ରେଜ୍' ଦେଖିବାକୁ ମିଳିଛି । ପିଲାଠୁ ବୟସ୍କ, ସମସ୍ତଙ୍କ ମଧ୍ୟରେ ଉତ୍ସାହ କାହିଁରେ କେତେ। ସାରା ଦେଶକୁ ଏକ ସୂତ୍ରରେ ବାନ୍ଧି ପାରିଛି ଇସ୍ରୋର ଏହି ବହୁ ଆକାଂକ୍ଷିତ ମୁନ୍ ମିଶନ। ଏଠି ବି ଚନ୍ଦ୍ରୟାନର ସୁରକ୍ଷିତ ଅବତରଣ କାମନା କରି ନବଗ୍ରହ ମନ୍ଦିରରେ ପୂଜା କରିଛନ୍ତି ମହିଳାମାନେ।

ଥରେ ଭାବନ୍ତୁ ଆସନ୍ତାକାଲି ସନ୍ଧ୍ୟା ୬ଟା ୪ରେ ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବାକୁ ଥିବା ବେଳେ, ଆଜି କିଭଳି ଥିବ ଇସ୍ରୋର ଅବସ୍ଥା। ସନ୍ଧ୍ୟା ୫ଟା ୪୫ରୁ ଅବତରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ, ଚ୍ୟାଲେଞ୍ଜପୂର୍ଣ୍ଣ ୧୯ ମିନିଟ୍‌କୁ ସାମ୍ନା କରିବା ପାଇଁ କିଭଳି ଚାଲିଥିବ ପ୍ରସ୍ତୁତି। ମିଶନ୍ ଅପରେସନ୍ କଂପ୍ଲେକ୍ସ ବା ମକ୍ସ ପୂରା ଜୋଶ୍‌ରେ ଭରିରହିଛି ବୋଲି ଟ୍ୱିଟ୍ କରିଛି ଇସ୍ରୋ । ଏଥିସହ ସେୟାର୍ କରିଛି ଗତ ୧୯ ଓ ୨୦ ତାରିଖରେ ଲ୍ୟାଣ୍ଡରରେ ଲାଗିଥିବା ଲ୍ୟାଣ୍ଡର୍ ପଜିସନ୍ ଡିଟେକ୍ସନ କ୍ୟାମେରା ଏବଂ ଲ୍ୟାଣ୍ଡର୍ ଇମେଜର୍ କ୍ୟାମେରା-୪ କଏଦ କରିଥିବା ଚନ୍ଦ୍ରପୃଷ୍ଠର ଦୃଶ୍ୟ ।

Advertisment

ସଫ୍ଟଲ୍ୟାଣ୍ଡିଂ ପାଇଁ ନିର୍ଦ୍ଧାରିତ ସ୍ଥାନ ଖୋଜିବାକୁ ଥିବା ଏହି କ୍ୟାମେରା ୭୦ କିଲୋମିଟର ଉଚ୍ଚତାରୁ ଏହି ଭିଡିଓ ରେକର୍ଡ କରିଥିବା ବେଳେ, ଆସନ୍ତାକାଲି ମାତ୍ର ୨୫ ରୁ ୩୦ କିଲୋମିଟର ଉଚ୍ଚତାରୁ ଖସିବ ଲ୍ୟାଣ୍ଡର୍। ଏବେ ତାର ସବୁ ସିଷ୍ଟମ୍ ଠିକରେ କାମ କରୁଛି କି ନାହିଁ, ତାର ନିୟମିତ ଯାଞ୍ଚ ଚାଲିଛି ।

ତେବେ ଅବତରଣ ଆରମ୍ଭର ୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ଆସନ୍ତାକାଲି ପ୍ରାୟ ୩ଟା ୪୫ ବେଳକୁ ଶେଷଥର ପାଇଁ ପୂରା ସ୍ଥିତିକୁ ଆମୂଳଚୁଳ ଅନୁଧ୍ୟାନ କରାଯିବ । ଯଦି ସବୁକିଛି ଠିକ୍ ଥାଏ, ତେବେ ଲ୍ୟାଣ୍ଡର୍ ଓହ୍ଲାଇବା ଆରମ୍ଭ କରିବ, ନଚେତ୍ ଆଉ ୪ ଦିନ ଅପେକ୍ଷା କରିବ । ଅଗଷ୍ଟ ୨୭କୁ ଘୁଞ୍ଚିଯିବ ସଫ୍ଟଲ୍ୟାଣ୍ଡିଂ।

ଅପେକ୍ଷା... ଆସନ୍ତାକାଲିର ଚନ୍ଦ୍ରୟାନ ମୁହୂର୍ତ୍ତକୁ । ଜହ୍ନର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ସଫ୍ଟଲ୍ୟାଣ୍ଡିଂ କରି ଇତିହାସ ରଚିବ ଭାରତ। ଏଭଳି ଉତ୍ସାହଭରା ସ୍ଥିତିରେ ନିଜ ଅନ୍ଦାଜରେ ମିଶନର ସଫଳତା ମନାସିଛନ୍ତି ଉତ୍ତରପ୍ରଦେଶ ବାରଣାସୀର ଲୋକଗୀତ କଣ୍ଠଶିଳ୍ପୀ ସୋମା ଘୋଷ।

ISRO Chandrayaan-3 Chandrayaan
Advertisment
Advertisment