• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭିଡିଓକନ୍ ଓ ICICI ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ପୂର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ ମିଳିଛି । ପୂର୍ବରୁ ଉଭୟ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ତଦନ୍ତରେ ସହଯୋଗ କରି ଆସିଛିନ୍ତି । ତେଣୁ ଆଇନ ଅନୁସାରେ ସିବିଆଇ ସେମାନଙ୍କୁ ଗିରଫ କରିବା ଅନୁଚିତ ବୋଲି ହାଇକୋର୍ଟ କହିଛନ୍ତି । ଉଭୟ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀଙ୍କୁ ଏକ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ ।

୩ ହଜାର ୨୫୦ କୋଟି ଟଙ୍କାର ICICI ବ୍ୟାଙ୍କ୍-ଭିଡିଓକନ୍ ଋଣ ଘୋଟାଲା କେସରେ ପ୍ରଥମେ ୨୩ ଡିସେମ୍ବର ICICI ବ୍ୟାଙ୍କର ପୂର୍ବତନ ଏମଡି ଓ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ ଗିରଫ କରାଯାଇଥିଲା । ତା’ର ୩ ଦିନ ପରେ, ଭିଡିଓକନ୍ ଗ୍ରୁପର ପ୍ରମୋଟର୍ ତଥା ସିଇଓ ବେଣୁଗୋପାଳ ଧୂତଙ୍କୁ ଗିରଫ କରିଥିଲା ସିବିଆଇ ।

ବହୁଚର୍ଚ୍ଚିତ ICICI ବ୍ୟାଙ୍କ୍-ଭିଡିଓକନ୍ ଋଣ ଘୋଟାଲା । ୨୦୧୨ର ଏହି ମାମଲାରେ ଅଭିଯୋଗ ରହିଛି ଯେ, ଚନ୍ଦା କୋଚ୍ଚର ICICI ବ୍ୟାଙ୍କର ମୁଖ୍ୟ ଥିବା ବେଳେ ନିଜସ୍ୱ ସ୍ୱାର୍ଥ ହାସଲ ପାଇଁ ଅହେତୁକ ଅନୁକଂପା ଦେଖାଇ ଭିଡିଓକନ୍ ଗ୍ରୁପକୁ ୩ ହଜାର ୨୫୦ କୋଟି ଟଙ୍କାର ଋଣ ଦେଇଥିଲେ । ଏଥିରେ ବହୁ ନିୟମ ଉଲ୍ଲଂଘନ ହୋଇଥିଲା ଏବଂ ପରେ ଏଥିପାଇଁ ବ୍ୟାଙ୍କକୁ ବ୍ୟାପକ କ୍ଷତି ମଧ୍ୟ ସହିବାକୁ ପଡ଼ିଥିଲା । ଏହି ଅଭିଯୋଗ ଘଟଣାରେ ୨୦୧୮ରେ ଚନ୍ଦା କୋଚ୍ଚର ICICI ବ୍ୟାଙ୍କରୁ ଇସ୍ତଫା ଦେଇଥିଲେ ଏବଂ ପରେ ବ୍ୟାଙ୍କ୍ ପକ୍ଷରୁ ତାଙ୍କୁ ବରଖାସ୍ତ କରାଯାଇଥିବା କୁହାଯାଇଥିଲା ।

ତେବେ ଋଣ ଘୋଟାଲା ମାମଲାରେ ବିଭିନ୍ନ ଦିଗରୁ ତଦନ୍ତ କରୁଛନ୍ତି ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡି ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ ଗିରଫ କରିଥିଲା ସିବିଆଇ । ସେମାନେ ତଦନ୍ତରେ ସହଯୋଗ କରୁନଥିବା ଏବଂ ଉଭୟଙ୍କ ବୟାନରେ ତାଳମେଳ ରହୁନଥିବା ଦର୍ଶାଇଥିଲା ସିବିଆଇ । ଏହାପରେ ୩ ଦିନ ପାଇଁ ସେମାନଙ୍କୁ ରିମାଣ୍ଡରେ ମଧ୍ୟ ନେଇ ପଚରାଉଚରା କରିଥିଲା ।