• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ନଡ଼ା ଜଳାଇବା ଆଉ ଅପରାଧ ଶ୍ରେଣୀରେ ସାମିଲ ହେବ ନାହିଁ । କୃଷକଙ୍କ ଗୋଟିଏ ପରେ ଗୋଟିଏ ଦାବି ମାନୁଛନ୍ତି ସରକାର । କୃଷି ଆଇନ୍ ପ୍ରତ୍ୟାହାର ପରେ କୃଷକଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ମାନିଛନ୍ତି ଭାରତ ସରକାର । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏସମ୍ପର୍କରେ ସୂଚନା ଦେଇଛନ୍ତି । ଦେଶର ବିଭିନ୍ନ କୃଷକ ସଂଗଠନ ଗୁଡ଼ିକ ନଡ଼ା ଜାଳିବାକୁ ଅପରାଧ ଶ୍ରେଣୀରୁ ହଟାଇବା ପାଇଁ ଦାବି ହୋଇଥିଲା । ଭାରତ ସରକାର ଦେଶର ମେରୁଦଣ୍ଡଙ୍କର ଏହି ଦାବିକୁ ମଧ୍ୟ ଗ୍ରହଣ କରିଛନ୍ତି । ନଡ଼ାକୂଟା ଜାଳିବାକୁ ଅପରାଧ ଶ୍ରେଣୀରୁ ହଠାଇ ଦିଆଯାଇଛି ।

ସଂସଦର ଶୀତ ଅଧିବେଶନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ କେନ୍ଦ୍ର ଏହି ନିଷ୍ପତ୍ତି ନେଇଛି । ଏହାପୂର୍ବରୁ ତୋମାର କହିଛନ୍ତି ଫସଲ ବିବିଧତା, ଶୂନ-ବଜେଟ୍ ଚାଷ ​​ଏବଂ ଏମଏସପି ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ତଥା ପ୍ରଭାବଶାଳୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି । ଏହି କମିଟିରେ କୃଷକ ସଂଗଠନର ପ୍ରତିନିଧୀ ରହିବେ । ଏହି କମିଟି ଗଠନ ସହିତ ଏମଏସପି ଉପରେ ଚାଷୀଙ୍କ ଚାହିଦା ପୂରଣ ହୋଇଛି ।

ସେହିପରି ତିନୋଟି କୃଷି ଆଇନ ରଦ୍ଦ ପ୍ରସଙ୍ଗରେ କେନ୍ଦ୍ର କୃଷି ମନ୍ତ୍ରୀ ନିଜର ବୟାନ ରଖିଛନ୍ତି । ପ୍ରତ୍ୟାହାର ହୋଇଥିବା କୃଷି ଆଇନ୍ ସହ ଜଡିତ ବିଲ୍ ଶୀତ ଅଧିବେଶନର ପ୍ରଥମ ଦିନରେ ତଥା ନଭେମ୍ବର ୨୯ରେ ସଂସଦରେ ଉପସ୍ଥାପିତ ହେବ ବୋଲି କହିଛନ୍ତି । ତିନୋଟି କୃଷି ଆଇନ ରଦ୍ଦ ହେବା ପରେ କୃଷକଙ୍କ ଆନ୍ଦୋଳନ ଜାରି ରଖିବାର କୌଣସି ଅର୍ଥ ନାହିଁ ବୋଲି ତୋମାର କହିଛନ୍ତି । ଘରକୁ ଯାଆ ବୋଲି କୃଷକମାନଙ୍କୁ ଅନୁରୋଧ କରିଛନ୍ତି ନରେନ୍ଦ୍ର ସିଂ ତୋମାର ।

ଅନ୍ୟପଟେ ଏହି ଆନ୍ଦୋଳନ ସମୟରେ ଚାଷୀଙ୍କ ବିରୋଧରେ ଦାଏର୍ ହୋଇଥିବା ମାମଲା ସମ୍ପର୍କରେ ମଧ୍ୟ ନିଜର ମତ ରଖିଛନ୍ତି ତୋମାର । ତିନୋଟି କୃଷି ଆଇନକୁ ରଦ୍ଦ କରିବାର ନିଷ୍ପତ୍ତି ପରେ ଆଉ ଏହାର ଆବଶ୍ୟକତା ମନେ ହେଉନାହିଁ । ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ସମ୍ମାନ ଜଣାଇ କୃଷକମାନେ ଘରକୁ ଫେରିଯିବା ଉଚିତ୍ । ଏବେ କୃଷକ ସଂଗଠନ ବଡ ହୃଦୟ ଦେଖାଇବାର ସମୟ ଆସିଛି ବୋଲି ସେ କହିଛନ୍ତି ।