• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ବୀର ଚାଲିଗଲେ, ବାର୍ତ୍ତା ଛାଡ଼ିଗଲେ । ବିଜୟ ପର୍ବ ପାଇଁ ବାର୍ତ୍ତା ରେକର୍ଡ କରିଯାଇଛନ୍ତି ସିଡିଏସ୍ । ଆଉ ସେହି ବାର୍ତ୍ତା ଶୁଣିବା ମାତ୍ରେ ଆଖି ଓଦା ହୋଇଯିବ ନିଶ୍ଚୟ । ଦେଶର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ ଆଉ ଏହି ଦୁନିଆରେ ନାହାଁନ୍ତି । ଡିସେମ୍ବର ୮ରେ ଜେନେରାଲ ରାୱତ ତାମିଲନାଡୁର କୁନୁର ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଛନ୍ତି । ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସେ ଏକ ଭିଡିଓ ବାର୍ତ୍ତା ରେକର୍ଡ କରିଥିଲେ, ଯେଉଁଥିରେ ସେ ୧୯୭୧ ଯୁଦ୍ଧରେ ବିଜୟକୁ ନେଇ ଅଭିନନ୍ଦନ ଜଣାଇଥିଲେ । ଏହା ସହିତ ଏହି ଯୁଦ୍ଧରେ ସହିଦ ହୋଇଥିବା ସମସ୍ତ ସହିଦଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

 

ଆଜି ରାଜଧାନୀ ଦିଲ୍ଲୀରେ ବିଜୟ ପର୍ବ ପାଳନ କରାଯାଉଛି । ଏହି ବିଜୟ ପର୍ବ ପାଇଁ ସିଡିଏସ୍ ଜେନେରାଲ୍ ବିପିନ ସିଂ ରାୱତ ଏକ ବିଶେଷ ବାର୍ତ୍ତା ରେକର୍ଡ କରିଥିଲେ । ଇଣ୍ଡିଆ ଗେଟ୍ ଠାରେ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ଏହି ଭିଡିଓ ମେସେଜ୍ ପ୍ଲେ କରାଯାଇଛି । ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ସହିଦ୍ ହୋଇଥିବା ସିଡିଏସଙ୍କ ଏହି ଭିଡିଓ ବାର୍ତ୍ତା ଦେଖି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ଆଖି ଲୁହରେ ଭରିଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ମୃତ୍ୟୁର ଏକ ଦିନ ପୂର୍ବରୁ ତଥା ୭ ଡିସେମ୍ବରରେ ଭିଡିଓ ରେକର୍ଡ କରାଯାଇଥିଲା । ଆଉ ଏହାର ମାତ୍ର ଦିନକ ପରେ ୮ ଡିସେମ୍ବରରେ ସେ ସେନା ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଛନ୍ତି ।

ଭିଡିଓରେ ଜେନେରାଲ ରାୱତ ୧୯୭୧ ଯୁଦ୍ଧର ସ୍ମୁତିଚାରଣ କରିଛନ୍ତି । '' ସ୍ୱର୍ଣ୍ଣିମ ବିଜୟ ପର୍ବ ’ ଅବସରରେ ମୁଁ ଭାରତୀୟ ସେନାର ସମସ୍ତ ସାହସୀ ଯବାନଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ସେ କହିଛନ୍ତି । ୧୯୭୧ ଯୁଦ୍ଧର ୫୦ ତମ ବାର୍ଷିକୀକୁ ବିଜୟ ପର୍ବ ରୂପରେ ପାଳନ କରୁଛୁ ବୋଲି କହିଛନ୍ତି । ଏହି ପବିତ୍ର ପର୍ବରେ ସଶସ୍ତ୍ର ବାହିନୀର ସାହସୀ ସୈନିକଙ୍କୁ ମନେ ପକାଇ ମୁଁ ସେମାନଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ଭିଡିଓରେ କହିଛନ୍ତି ।

ସ୍ୱର୍ଣ୍ଣିମ ବିଜୟ ପର୍ବ ସମ୍ପର୍କରେ ସୂଚନା ଦେଇ ସେ ଆହୁରି ମଧ୍ୟ କହିଥିଲେ, 'ଡିସେମ୍ବର ୧୨ ରୁ ୧୪ ଡିସେମ୍ବର ପର୍ଯ୍ୟନ୍ତ ଇଣ୍ଡିଆ ଗେଟ୍ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ବିଜୟ ଉତ୍ସବର ଭାଗ ନେବାକୁ ସମସ୍ତ ଦେଶବାସୀଙ୍କୁ ଆମନ୍ତ୍ରଣ କରୁଛୁ । ଆମେ ଆମର ସୈନ୍ୟବାହିନୀ ପାଇଁ ଗର୍ବିତ, ଆସନ୍ତୁ ଏକତ୍ର ବିଜୟ ଉତ୍ସବ ପାଳନ କରିବା । ଜୟ ହିନ୍ଦ। 'ଆଦି କହୁଥିବା ଭିଡିଓରେ ଦେଖିବାକୁ ମିଳୁଛି । 

ରାଜନାଥ ସିଂ କହିଛନ୍ତି - ଜେନେରାଲ ରାୱତ ବହୁତ ଉତ୍ସାହିତ ଥିଲେ

ସ୍ୱର୍ଣ୍ଣିମ ବିଜୟ ପର୍ବର ଉଦଘାଟନୀ ଉତ୍ସବରେ ସମ୍ବୋଧିତ କରି ରାଜନାଥ ସିଂ କହିଛନ୍ତି, 'ଜେନେରାଲ ରାୱତଙ୍କ ଦେହାନ୍ତରେ ଜଣେ ସାହସୀ ସୈନିକ, ପରାମର୍ଶଦାତା ତଥା ମେଳାପୀ ବ୍ୟକ୍ତି ହଜିଯାଇଛନ୍ତି । ଏହି ବିଜୟ ଉତ୍ସବର ଆୟୋଜନ ପାଇଁ ସେ ବହୁତ ଉତ୍ସାହିତ ଥିଲେ । ଅନେକ ଥର ସେ ମୋ ସହିତ ଏହି କାର୍ଯ୍ୟକ୍ରମର ସମ୍ପର୍କରେ ଆଲୋଚନା କରିଥିଲେ । ସେଥିପାଇଁ ତାଙ୍କ ଅନୁପସ୍ଥିତି ବହୁତ କଷ୍ଟ ଦେଉଛି । ଏହି କାର୍ଯ୍ୟକ୍ରମକୁ ଅତି ଭବ୍ୟ ଆକାରରେ ପାଳନ କରିବା ପାଇଁ ପୂର୍ବରୁ ପ୍ରସ୍ତୁତି କରାଯାଇଥିଲା । କିନ୍ତୁ ଜେନେରାଲ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ପରେ ଏହାକୁ ସରଳତାର ସହ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।