• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଖଡ଼ା ପରିଷଦ ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁରେ ସିବିଆଇ ହାତରେ ଗୁରୁତ୍ୱପୂର୍ଣ୍ଣ ସୁରାକ୍

  • ନରେନ୍ଦ୍ର ଗିରି ମୃତ୍ୟୁ ମାମଲାରେ କଡ଼ିକୁ କଡ଼ି ଯୋଡ଼ୁଛି ସିବିଆଇ

  • ମହନ୍ତ ନରେନ୍ଦ୍ର ଗିରିଙ୍କ ପାଖଲୋକଙ୍କୁ ପଚରାଉଚରା ବେଳେ ସିବିଆଇ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ପ୍ରୟାଗରାଜ : ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାର ପର୍ଦ୍ଦାଫାଶ ହେବ କି ? କାହିଁକି ଓ କିପରି ଜୀବନ ହରାଇଲେ ମହନ୍ତ ? କିଏ ଉସକାଇଥିଲା ନା ସେ ବିଷାଦଗ୍ରସ୍ତ ଥାଇ ଏପରି ନିଷ୍ପତ୍ତି ନେଇଛନ୍ତି ? ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ କଡ଼ିକୁ କଡ଼ି ଯୋଡ଼ି ଛାନଭିନ୍ କରୁଛି ସିବିଆଇ । ବର୍ତ୍ତମାନ ସିବିଆଇ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି ବୋଲି କୁହାଯାଉଛି । ଘନିଷ୍ଠ ସହଯୋଗୀଙ୍କୁ ପଚରାଉଚରା କରିବା ପରେ ସିବିଆଇ ଖୁବ୍ ଶୀଘ୍ର ମୃତ୍ୟୁ ରହସ୍ୟରୁ ପରଦା ଉଠାଇବ ବୋଲି ଆଶା କରାଯାଉଛି । ତେବେ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଶନିବାର ପ୍ରାୟ ସାତ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା।

ସିବିଆଇ ସୂତ୍ର ଅନୁସାରେ, ନରେନ୍ଦ୍ର ଗିରିଙ୍କ ସୁଇସାଇଡ୍ ନୋଟରେ ଥିବା ଦସ୍ତଖତ ‌ଓ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଦସ୍ତଖତ ମେଳ ଖାଉଛି । ସୁଇସାଇଡ୍ ନୋଟରେ ମିଳିଥିବା ନରେନ୍ଦ୍ର ଗିରିଙ୍କ ଫିଙ୍ଗର ପ୍ରିଣ୍ଟ ମଧ୍ୟ ତାଙ୍କ ଫିଙ୍ଗର ପ୍ରିଣ୍ଟ ସହିତ ମେଳ ହୋଇଛି । ନରେନ୍ଦ୍ର ଗିରିଙ୍କ ସୁଇସାଇଡ୍ ନୋଟର ଫରେନସିକ୍ ତଦନ୍ତ ଜାରି ରହିଛି । ତେବେ ସିବିଆଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦେଇନାହିଁ । ଏହାସହ ମହନ୍ତଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ କରିବା ପାଇଁ ପ୍ରସ୍ତୁତି କରୁଛି ସିବିଆଇ । କୋର୍ଟଙ୍କ ଅନୁମତି ମିଳିବା ପରେ ଆନନ୍ଦ ଗିରିଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ କରାଯିବ ।

ବର୍ତ୍ତମାନ ମହନ୍ତଙ୍କ ଘନିଷ୍ଠ ସହଯୋଗୀ ଏବଂ ତାଙ୍କ ସହ ନିରନ୍ତର ଯୋଗାଯୋଗରେ ଥିବା ଲୋକଙ୍କ ଏକ ତାଲିବା ପ୍ରସ୍ତୁତ କରି ପଚରାଉଚରା କରୁଛି ସିବିଆଇ । ଏଥିମଧ୍ୟରେ କିଛି ରାଜନୈତିକ ବ୍ୟକ୍ତି ଏବଂ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ସାମିଲ ଅଛନ୍ତି । କିଛି ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରିପାରେ ସିବିଆଇ । ଏହା ସହିତ ମହନ୍ତଙ୍କ ସୁରକ୍ଷା ସହିତ ଜଡ଼ିତ ପୋଲିସ କର୍ମଚାରୀ ଏବଂ ଅତୀତରେ ସୁରକ୍ଷାକର୍ମୀ ଥିବା ପୋଲିସ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।

ସେପଟେ ଆଖଡ଼ା ପରିଷଦ ନିଜ ସ୍ତରରେ ମଧ୍ୟ ଘଟଣାର ଯାଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ଅଖିଲ ଭାରତୀୟ ଆଖଡ଼ା ପରିଷଦର ସଚିବ ମହନ୍ତ ହରି ଗିରି । ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ପାଇଁ ପାଞ୍ଚ ଜଣ ଅବସରପ୍ରାପ୍ତ ହାଇକୋର୍ଟର ବିଚାରପତିଙ୍କୁ ନେଇ ଏକ ପୃଥକ ତଦନ୍ତ ପ୍ୟାନେଲ ନିଯୁକ୍ତ କରିବାକୁ ଦାବି କରାଯିବ ବୋଲି ସେ କହିଛନ୍ତି । କାରଣ ଏହି ସମସ୍ୟା ସମସ୍ତ ସାଧୁଙ୍କ ସୁରକ୍ଷା ସହିତ ଜଡିତ,ତେଣୁ ଏହାକୁ ଗୁରୁତ୍ୱ ବହନ କରୁଛି ।