• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ରାଜଧାନୀରେ ବେଧଡ଼କ ଚାଲିଛି ଗାଡ଼ି ଚୋରି ରାକେଟ୍ । ଗାଡ଼ି ଉପରେ ଚୋରଙ୍କ ତୀକ୍ଷ୍ଣ ନଜର । ନଜର ହଟିଲେ ଆଖି ପିଛୁଳାକେ ଚୋରି ହୋଇଯାଏ ସାମ୍ନାରେ ଛିଡ଼ା ହୋଇଥିବା ଗାଡ଼ି । ରାଜଧାନୀରେ ଦିନକୁ ଦିନ ଗାଡ଼ି ଚୋରି ମାମଲା ବଢ଼ି ବଢ଼ି ଚାଲିଛି । କାର୍-ବାଇକରେ  ସମସ୍ତ ପ୍ରକାରର କମ୍ପ୍ୟୁଟରୀକରଣ ଲକ୍ ସତ୍ତ୍ୱେ ଚୋରି ସଂଖ୍ୟା ହ୍ରାସ ହେଉନାହିଁ । ଥରେ ଚୋରି ହୋଇଗଲେ କାର୍-ବାଇକ୍ ମିଳିବା ଅସମ୍ଭବ କହିଲେ ଚଳେ । କାରଣ ଚୋରି ହୋଇଥିବା ଗାଡି ସମ୍ପର୍କରେ ଦିଲ୍ଲୀ ପୋଲିସ ତଦନ୍ତ କରିବା ବେଳକୁ ଗାଡିର ଗୋଟି ଗୋଟି ଅଂଶ ମେରଟ କିମ୍ବା ଦିଲ୍ଲୀର ସ୍କ୍ରାପ ବଜାରରେ ବିକ୍ରି ହୋଇଯାଉଛି ।

କରୋନା ସମୟରେ ମଧ୍ୟ ସକ୍ରିୟ ଥିଲେ ଚୋର । ମହାମାରୀ ସମୟରେ  କମି ନଥିଲା ଗାଡ଼ି ଚୋରି । ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁର ସୁଯୋଗ ନେଇ ବାଇକ୍ ଓ କାର୍ ଲୁଟି ନେଉଥିଲେ ଚୋର । କେବଳ ଏତିକି ନୁହେଁ ରାଜଧାନୀ ଦିଲ୍ଲୀରେ ପିକ୍ ପକେଟିଂ ମାମଲାରେ ମଧ୍ୟ ତିନି ନମ୍ବରରେ ରହିଛି । ଦିଲ୍ଲୀର ଏହି ଅପରାଧର ପରିସଂଖ୍ୟାନ ଗୃହ ମନ୍ତ୍ରଣାଳୟ ଦ୍ୱାରା ନିକଟରେ ପ୍ରକାଶ ପାଇଛି । ଏପରି କୌଣସି ଦିନ ନାହିଁ ଯେଉଁ ଦିନ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାଶ ହୁଏନି । ଏସବୁ ସତ୍ତ୍ୱେ ଦିଲ୍ଲୀରେ କାର-ବାଇକ୍ ଚୋରି ହ୍ରାସ ପାଉନଥିବା ଜଣାପଡିଛି ।

ଦିଲ୍ଲୀରେ ପ୍ରତିଦଦନ ହାରାହାରି ୭୦ ଟି ବାଇକ୍ ଏବଂ ୨୦ ଟି କାର ଚୋରି ହେଉଛି । ଗୃହ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ କାର-ବାଇକ୍ ଚୋରି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀରେ ୨୦୧୪ ମସିହାରେ ୧୫୯୯୩ ଟି ଦୁଇ ଚକିଆ ଯାନ ଚୋରି ହୋଇଥିବା ସୂଚନା ରହିଛି । ୨୦୧୭ରେ ଏହି ସଂଖ୍ୟା ବଢ଼ି ୩୧୨୦୪ରେ ପହଞ୍ଚିଥିଲା । ସେହିପରି ୨୦୧୮ ରେ ୩୪୫୮୫ ଟି ଦୁଇ ଚକିଆ ଯାନ ଚୋରି ହୋଇଥିଲା । ଅନ୍ୟପଟେ ୨୦୧୪ ତୁଳନାରେ ୨୦୧୯ରେ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇଛି,  ୩୪୧୨୭ରେ ପହଞ୍ଚିଛିଥିଲା ଦୁଇ ଚକିଆ ଗାଡ଼ି ଚୋରି ସଂଖ୍ୟା ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ୨୦୨୦ରେ ସାରା ବିଶ୍ୱ ତଥା ଦେଶ ଯେତେବେଳେ କରୋନା ସହ ଲଢ଼େଇ କରୁଥିଲା ସେତେବେଳେ ବି ଗାଡ଼ି ଚୋର ସକ୍ରିୟ ଥିଲେ । ଲକଡାଉନ୍ ସମୟରେ ୨୫୧୫୩ ଦୁଇ ଚକିଆ ଯାନ ଚୋରି ହୋଇଯାଇଥିଲା ।