• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁଖ ସହିଲାନି ଦଇବ । ଖୁସିର ମୁହୂର୍ତ୍ତରେ ନିମିଷକ ମଧ୍ୟରେ ଘୋଟିଗଲା କଳାବାଦଲ । କାର୍‌ କିଣି ଖୁସି ହୋଇପାରିଲେନି । ଭୟଙ୍କର ଦୁର୍ଘଟଣାରେ ଯୁବକଙ୍କ ଜୀବନ ଚାଲିଗଲା । ଉତ୍ତରପ୍ରଦେଶର ଦେଓରିଆରେ ଜଣେ ଯୁବକ ସେକେଣ୍ଡ ହ୍ୟାଣ୍ଡ୍‌ କାର କିଣିବା ପରେ ସାଙ୍ଗମାନଙ୍କ ସହିତ ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ନୂଆ କିଣା କାରଟି ନିୟନ୍ତ୍ରଣ ହରାଇ ରାସ୍ତାରେ ଏକ ଗଛ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ମାଲିକର ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣାରେ ଯୁବକଙ୍କ ତିନିଜଣ ବନ୍ଧୁ ଗୁରୁତର ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ମୃତଦେହକୁ ବାହାର କରିବା ପାଇଁ ଏକ ଗ୍ୟାସ କଟର ଦରକାର ପଡ଼ିଥିଲା ।

ମୃତକ ଜଣକ ହେଲେ ୨୫ ବର୍ଷିୟ ଯୁବକ କୃଷ୍ଣ ବର୍ମା । ଭଲୁଆନି ଥାନା ଅନ୍ତର୍ଗତ କରୁଣା ଗାଁର ବାସିନ୍ଦା । କୃଷ୍ଣ ସୁନା ଓ ରୂପାରେ କାମ କରୁଥିଲେ । ମନରେ ଅନେକ ସ୍ୱପ୍ନ ଥିଲା କାର୍‌ଟିଏ କିଣିବେ । ଆଉ ଏଥିପାଇଁ ଟଙ୍କା ଟଙ୍କା ଯୋଡ଼ି ରଖୁଥିଲେ । ଶେଷରେ କିଛି ଟଙ୍କା ସଞ୍ଚୟ କରିବା ପରେ ସେକେଣ୍ଡ୍‌ ହ୍ୟାଣ୍ଡ୍‌ କିଣିବା ପାଇଁ ମନସ୍ଥ କରିଥିଲେ । ଆଉ ତା’ପରେ ଶୁକ୍ରବାର ଦିନ ଗୋରଖପୁରର ବାରହାଲଗଞ୍ଜରୁ ଦ୍ୱିତୀୟ ସେକେଣ୍ଡ୍‌ କିଣିବାକୁ ଯାଇଥିଲେ । ସାଥୀରେ ଥିଲେ ତାଙ୍କର ତିନି ବନ୍ଧୁ ।

ଶେଷରେ ଆସିଗଲା ସେହି ଖୁସିର ମୁହୂର୍ତ୍ତ । କୃଷ୍ଣ ସେକେଣ୍ଡ୍‌ ହ୍ୟାଣ୍ଡ୍‌ ସ୍ୱିପ୍ଟ ଡିଜାୟାର କାର କିଣି ତିନି ବନ୍ଧୁଙ୍କ ସହ ହସଖୁସିରେ ଗାଁକୁ ଫେରୁଥିଲେ । ହେଲେ ଗୁରୁବାର ରାତି ପ୍ରାୟ ସାଢ଼େ ୩ଟା ସମରେ ଗୋଟାଏ ବେଳେ ଗାଁ ଠାରୁ ପ୍ରାୟ ୧ କିମି ଦୂରରୁ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା ।

ଏହି ଦୁର୍ଘଟଣାରେ କାର ମାଲିକ କୃଷ୍ଣ ବର୍ମାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କର ତିନିଜଣ ବନ୍ଧୁ ଗୁରୁତର ଆହତ ହୋଇଥିଲେ । ତେବେ ଦୁର୍ଘଟଣା ସମ୍ପର୍କରେ ତୁରନ୍ତ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଡାକ୍ତରଖାନା ନେଇଥିଲା । ଆଉ ସେଠାରେ ଡାକ୍ତର କୃଷ୍ଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ତିନି ବନ୍ଧୁଙ୍କୁ ଗୋରଖପୁର ଡାକ୍ତରଖାନାକୁ ରେଫର୍ କରାଯାଇଥିଲା।

ତେବେ ପୁଅର ମୃତ୍ୟୁ ଖବର ଶୁଣି ଘରେ କାନ୍ଦବୋବାଳି ପଡ଼ିଛି । କୃଷ୍ଣଙ୍କ ମା’ କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି । ପୁଅକୁ କାହାର ନଜର ଲାଗିଗଲା କହି ବାହୁନି ବାହୁନି କାନ୍ଦୁଛନ୍ତି ।