Advertisment

କ୍ୟାପଟେନ୍ ଦୀକ୍ଷା ଓ କ୍ୟାପଟେନ୍ ଶିବା ଚୌହାନ, ପୁରୁଷଙ୍କଠୁ କମ୍ ନୁହଁନ୍ତି ସେନାର ମହିଳା ଅଫିସର

କ୍ୟାପଟେନ ଦୀକ୍ଷା କିଛି ଦିନ ତଳେ ଅପରେସନ ଦୋସ୍ତରେ ସାମିଲ ହୋଇ ଭୂକଂପ ପୀଡ଼ିତ ତୁର୍କୀକୁ ଯାଇଥିଲେ କ୍ଷତାକ୍ତ ବିପନ୍ନଙ୍କ ଚିକିତ୍ସା ପାଇଁ ।

ଅଦ୍ୟତନ ହୋଇଛି
undefined

Indian Army

Advertisment

ଭାରତୀୟ ସେନାର ପାରା ସ୍ପେଶାଲ୍ ଫୋର୍ସ । ଦୁର୍ଦ୍ଧର୍ଷ, ଦୁର୍ବାର । ଆତଙ୍କବାଦୀ ନିପାତ ହେଉ ଅବା ପଣବନ୍ଦୀ ଉଦ୍ଧାର, ଅତି ଜଟିଳ ସ୍ଥିତିରେ, ପ୍ରବଳ ଚାପ ଭିତରେ ବି ଶତ୍ରୁ ସଂହାରରେ ମାହିର ପାରା SF କମାଣ୍ଡୋ । ପ୍ରଶିକ୍ଷଣର ପ୍ରତିଟି ସୋପାନରେ ଜୀବନ-ମରଣର ସୀମା ଯାଏଁ ଯାଇ, ନିଜ ଶାରୀରିକ ଶକ୍ତି ଓ ଅଦମ୍ୟ ମନୋବଳର ପରିଚୟ ଦେବାକୁ ପଡ଼େ, ପାରାଚୁଟ ରେଜିମେଣ୍ଟ ସ୍ପେଶାଲ ଫୋର୍ସେସ୍ ବାଟାଲିୟନର ପ୍ରତିଟି ଯବାନଙ୍କୁ ।

Advertisment

ସେମିତି ଜଣେ ହେଉଛନ୍ତି ସେଇ ବାଟାଲିୟନର ମେଡିକାଲ୍ ଅଫିସର୍ କ୍ୟାପଟେନ୍ ଦୀକ୍ଷା । ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଏଭଳି କଠିନ ଟ୍ରେନିଂ ନେବା ବେଳେ ଦୀକ୍ଷାଙ୍କ କିଛି ଫଟୋ ଓ ଭିଡିଓ ସେୟାର୍ କରିଛି ଭାରତୀୟ ସେନା । ଫଟୋରେ ଜଣେ ଡାକ୍ତର ଭାବେ ଷ୍ଟେଥୋ, ସିରିଞ୍ଜ କିମ୍ବା ସୂକ୍ଷ୍ମତାର ସହ ସର୍ଜରୀ ନାଇଫ୍ ଧରୁଥିବା ହାତ ବୋହୁଛି ବିରାଟ ବିରାଟ ଓଜନିଆ ଟାୟାରକୁ । ଜରୁରୀ ସ୍ଥିତିରେ ସେନା ଡାକ୍ତରଙ୍କୁ ବି ଯେ, କେତେବେଳେ ବନ୍ଧୁକ ଧରିବାକୁ ପଡ଼ିପାରେ, ଶତ୍ରୁର ସାମ୍ନା କରିବାକୁ ପଡ଼ିପାରେ, ସେଥିପାଇଁ ଦୀକ୍ଷାଙ୍କୁ ପ୍ରସ୍ତୁତ କରାଯାଉଛି । କ୍ୟାପଟେନ ଦୀକ୍ଷା କିଛି ଦିନ ତଳେ ଅପରେସନ ଦୋସ୍ତରେ ସାମିଲ ହୋଇ ଭୂକଂପ ପୀଡ଼ିତ ତୁର୍କୀକୁ ଯାଇଥିଲେ କ୍ଷତାକ୍ତ ବିପନ୍ନଙ୍କ ଚିକିତ୍ସା ପାଇଁ ।

ଅଧିକ ପଢ଼ନ୍ତୁ: ମହିଳା ଦୃଢ଼ ମନୋବଳ ନେଇ ଏକାଠି ହେଲେ କିଛି ବି କରିପାରେ

ଭାରତୀୟ ସେନାର ଆଉ ଜଣେ ଗର୍ବ, ଭାରତ ମାତାର ଆଉ ଜଣେ ବୀରପୁତ୍ରୀ, କ୍ୟାପଟେନ ଶିବା ଚୌହାନ। ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚିନ ଗ୍ଲାସିୟରରେ ମୁତୟନ ପ୍ରଥମ ମହିଳା ସେନାଧିକାରୀ । ହିମାଳୟ ଉପରେ ବରଫାବୃତ ଅଞ୍ଚଳ, ପ୍ରାୟ ୧୬ ହଜାର ଫୁଟ୍ ଉଚ୍ଚତା, ମାଇନସ୍ ୫୦ ଡିଗ୍ରୀ ସେଲସିୟସ ତାପମାତ୍ରା । ସାମାନ୍ୟ ଅସାବଧାନତା ଯେଉଁଠି ପ୍ରାଣଘାତୀ ହୋଇପାରେ, ରକ୍ତ ବି ବରଫ ପାଲଟି ଯାଇପାରେ, ସେଭଳି କଠିନ ସ୍ଥିତିରେ ଏକ ଛୋଟ କ୍ୟାମ୍ପରେ ଜାଗତିଆର୍ ରହିବେ କ୍ୟାପଟେନ ଶିବା ।

Advertisment

୧୫ ହଜାର ୬ଶହ ଫୁଟ୍ ଉଚ୍ଚତାରେ ଅବସ୍ଥିତ ସିଆଚିନ ଗ୍ଲାସିୟରର କୁମାର ପୋଷ୍ଟରେ ତାଙ୍କର ପୋଷ୍ଟିଂ ହୋଇଛି । ଏଥିପାଇଁ କୋର୍ ଅଫ୍ ଇଞ୍ଜିନିୟର୍ସର ଏହି ସୁଦକ୍ଷ ଓ ନିର୍ଭୀକ ମହିଳା ସେନା ଅଧିକାରୀ ୩ ମାସ ସିଆଚିନ ବାଟଲ୍ ସ୍କୁଲରେ ଅତ୍ୟନ୍ତ କଷ୍ଟସାଧ୍ୟ ଟ୍ରେନିଂ ନେଇଛନ୍ତି । ରାଜସ୍ଥାନ ଉଦୟପୁର ଭଳି ମରୁ ଅଞ୍ଚଳରେ ଜନ୍ମିତ ଶିବା, ଗତ ଜାନୁଆରୀରୁ ମୁତୟନ ଅଛନ୍ତି ହିମାବୃତ ସିଆଚିନରେ ।

ଭାରତୀୟ ସେନାର ଦୁଇ ବୀରାଙ୍ଗନା- ଦୀକ୍ଷା ଓ ଶିବା । ସାହସ ଓ ସାମର୍ଥ୍ୟ ବଳରେ ସେମାନେ ନିଜକୁ ଖାଲି ଶକ୍ତିସ୍ବରୂପା ପ୍ରମାଣିତ କରିନାହାନ୍ତି, ବରଂ ଦୁନିଆକୁ ଦେଖାଇ ଦେଇଛନ୍ତି; ଅବଳା ନୁହେଁ କି ଦୁର୍ବଳା ନୁହେଁ, ଏବେ ଏମିତି ଦିଶନ୍ତି ନୂଆ ଭାରତର ନାରୀ ।

Advertisment
Indian Army
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ