• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶତ୍ରୁଙ୍କ ଶିବିରରେ କମ୍ପନ ସୃଷ୍ଟି ଲାଗି ଭାରତର ଆଉ ଏକ ବଡ଼ ପଦକ୍ଷେପ । ଚୀନକୁ ଜବାବ ଦେବ ଭାରତର ଅଗ୍ନି-ଫାଇଭ୍ । ଡିଆରଡିଓ ଦ୍ୱାରା ବିକଶିତ ଏହି ଦୂରଗାମୀ କ୍ଷେପଣାସ୍ତ୍ର ଭାରତୀୟ ଅସ୍ତ୍ରାଗାରରେ ସାମିଲ ହେବା ପରେ ହଜିବ ଶତ୍ରୁଙ୍କ ନିଦ । କାରଣ ଏହି କ୍ଷେପଣାସ୍ତ୍ର ଦ୍ୱାରା ବହୁଗୁଣା ବୃଦ୍ଧି ପାଇବ ଭାରତର ଆକ୍ରମଣ କ୍ଷମତା । ଚୀନ ଗତ ୬ ତାରିଖରେ ଏହାର ଗୁଇନ୍ଦା ପୋତକୁ ଭାରତ ମହାସାଗରକୁ ପଠାଇଥିଲା । ଅନ୍ୟପକ୍ଷରେ କ୍ଷେପଣାସ୍ତ୍ରର ପରୀକ୍ଷଣ ପାଇଁ ବହୁ ଆଗରୁ ପ୍ରସ୍ତୁତ ଜାରି ରହିଥିଲା । ତେବେ ଅରୁଣାଚଳ ପ୍ରଦେଶରେ ଚୀନ୍ ପୁଣି ଖୋଇ ଦେଖାଇବା ପରେ ତୁରନ୍ତ ପରୀକ୍ଷଣ ଲାଗି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।

ଅଗ୍ନି-୫ କ୍ଷେପଣାସ୍ତ୍ରର ସାମର୍ଥ୍ୟ . . .

ସାଢେ ୧୭ ମିଟର ଲମ୍ବ ଓ ୨ ମିଟର ବ୍ୟାସ ବିଶିଷ୍ଟ ଅଗ୍ନି -୫ କ୍ଷେପଣାସ୍ତ୍ର ୫୦ ହଜାର କିଲୋଗ୍ରାମର ଯୁଦ୍ଧାସ୍ତ୍ର ବହନ କରିପାରିବ । ସେହିପରି ୧୧ ଶହ କିଲୋଗ୍ରାମର ପରମାଣୁ ଅସ୍ତ୍ର ନେବାକୁ ଏହା ସମର୍ଥ । ଅଗ୍ନି -ଥ୍ରୀ ଭଳି ଏଥିରେ କଠିନ ଇନ୍ଧନରେ ଚାଲୁଥିବା ତ୍ରିସ୍ତରୀୟ ମୋଟର ବ୍ୟବହାର କରାଯାଉଛି । ଏହାକୁ କାନିଷ୍ଟର, ମୋବାଇଲ ଲଞ୍ଚର ଏବଂ ସବମେରିନରୁ ନିକ୍ଷେପ କରାଯାଇପାରିବ । ଅଗ୍ନି ଫାଇଭ୍ ଚୀନର ଉତ୍ତର ସୀମାନ୍ତ ପର୍ଯ୍ୟନ୍ତ ଲକ୍ଷ୍ୟକ୍ଷେଦ କରିପାରିବ । ଅନ୍ୟପକ୍ଷରେ ଏହାର ରେଞ୍ଜ ୫ ହଜାର ନୁହେଁ ବରଂ ୮ ହଜାର କିଲୋମିଟର ବୋଲି ଚୀନ୍ ଗଣମାଧ୍ୟମରେ କୁହାଯାଇଛି । ତେଣୁ ଅଗ୍ନି ଫାଇଭକୁ ନେଇ ଚୀନର ଚିନ୍ତା ବଢିବା ସ୍ୱାଭାବିକ । ଅନ୍ୟପକ୍ଷରେ ଅଗ୍ନି ପାଇଭ୍ ପରୀକ୍ଷଣ ଲାଗି ଭାରତ ବଙ୍ଗୋପସାଗରରେ ନୋ ଫ୍ଲାଏ ଜୋନ୍ ଘୋଷଣା କରିବା କ୍ଷଣି ଚୀନ୍ ଗୁଇନ୍ଦା ଯୁଦ୍ଧ ଜାହାଜ ଗତ ୬ ତାରିଖରେ ଭାରତ ମହାସାଗରରେ ପ୍ରବେଶ କରିଥିଲା ।

ପରମାଣୁ ଅସ୍ତ୍ର ବହନ କରୁଥିବା ଅଗ୍ନି-ଫାଇଭର ୨୦୧୨ରେ ପ୍ରଥମ ପରୀକ୍ଷଣ କରାଯାଇଥିଲା । ସେହିପରି ୨୦୧୩, ୨୦୧୫, ୨୦୧୬, ୨୦୧୮ ଓ ୨୦୨୧ରେ ଏହାର ପରବର୍ତ୍ତୀ ପରୀକ୍ଷଣ କରାଯାଇଥିଲା । ପ୍ରତି ପରୀକ୍ଷଣରେ ଏହାକୁ ଅଧିକ ଉନ୍ନତ କରାଯିବା ସହ ବ୍ୟବହାର ଉପଯୋଗୀ କରାଯାଇସାରିଛି । ଚୀନକୁ ଜବାବ ଦେବା ଓ ଦେଶର ପରମାଣୁ କବଚକୁ ସୁଦୃଢ କରିବା ଲାଗି ଏହି କ୍ଷେପଣାସ୍ତ୍ର ଭାରତ ଲାଗି ଅତି ଗୁରୁତ୍ୱପୂର୍ଣ୍ଣ । ଚୀନର ଉତ୍ତରାଞ୍ଚଳ ପର୍ଯ୍ୟନ୍ତ ଏହା ଲକ୍ଷ୍ୟଭେଦ କରିପାରିବ । ଅର୍ଥାତ୍ ଚୀନର ଅଧିକାଂଶ ସହରରେ ବିଧ୍ୱଂସ ଘଟାଇବାରେ ସମର୍ଥ ଅଗ୍ନି -ଫାଇବ । ଚୀନର ଡଙ୍ଗଫେଙ୍ଗ-୪୧ କ୍ଷେପଣାସ୍ତ୍ରର ରେଞ୍ଜ ୧୨ରୁ ୧୫ ହଜାର କିଲୋମିଟର ହୋଇଥିବାରୁ ଏହାର ମୁକାବିଲା କରିବାକୁ ହେଲେ ଅଗ୍ନି ଫାଇଭ ନିହାତି ଜରୁରୀ ।