• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ମୋଦିଙ୍କ ନୂଆ ଟିମ୍‌ରେ ୨ ଓଡ଼ିଆ

  • ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ

  • ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ମନ୍ତ୍ରୀ

  • ଅଶ୍ୱିନୀ ଓ ବିଶ୍ୱେଶ୍ୱର ପ୍ରଥମ ଥର ସାଂସଦ ସହ ମିନିଷ୍ଟର ହୋଇଛନ୍ତି

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ମୋଦିଙ୍କ ନୂଆ ଟିମରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୁଇ ଜଣ ସାଂସଦ। ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ହୋଇଥିବାବେଳେ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ମନ୍ତ୍ରୀ। ଉଭୟେ ପ୍ରଥମ ଥର ସାଂସଦ ସାଙ୍ଗକୁ ମିନିଷ୍ଟର ହେବାର ସୁଯୋଗ ପାଇଛନ୍ତି। ତେବେ ମୋଦିଙ୍କ ମିନିଷ୍ଟ୍ରିରୁ ବାଦ୍ ପଡ଼ିଛନ୍ତି ବାଲେଶ୍ୱର ସାଂସଦ ତଥା ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

ସଦ୍ୟ ସଦ୍ୟ ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବଙ୍କୁ ନେଇ ଭାରି ଚର୍ଚ୍ଚା। ରାଜନୀତିରେ ପୋଖତ ନହୋଇ ବି ପିଏମଙ୍କ ଗୁଡବୁକ୍‌ରେ ସ୍ଥାନ ପାଇବା ଓ ପ୍ରଥମଥର ଥର ସାଂସଦ ହୋଇ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ପାହ୍ୟା ପାଇବା କିଛି କମ୍ କଥା ନୁହେଁ। ଜଣେ ଅବସରପ୍ରାପ୍ତ IAS ଅଧିକାରୀ ହେଉଛନ୍ତି ଅଶ୍ୱିନୀ ବୈଷ୍ଣବ। ୨୦୧୯ରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇ ବିଜେଡି ସମର୍ଥନରେ ଯାଇଥିଲେ ରାଜ୍ୟସଭା। ୧୯୭୦ ମସିହାରେ ରାଜସ୍ଥାନ ଯୋଦ୍ଧପୁରରେ ଜନ୍ମିତ ଅଶ୍ୱିନୀ, ଆଇଆଇଟି କାନପୁରରୁ ଏମ୍ ଟେକରେ ଡିଗ୍ରୀ ହାସଲ କରିଛନ୍ତି। ଆମେରିକାର ହ୍ୱାର୍ଟନ୍ ସ୍କୁଲରୁ ଫାଇନାନ୍ସରେ ଏମ.ବି.ଏ. କରିଥିବା ଅଶ୍ୱିନୀ ୯୪ରେ ଓଡ଼ିଶା କ୍ୟାଡର ଆଇଏଏସ୍ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ବାଲେଶ୍ୱର ଓ କଟକର ଜିଲ୍ଲାପାଳ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ ପିଏମଓରେ ଉପସଚିବ ଭାବେ ଅବସ୍ଥାପିତ ହୋଇଥିଲେ।

ଯେଉଁ ସମୟରେ ନିଆଯାଇଥିବା ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସିଧାସଳଖ ରହିଥିଲା ତାଙ୍କର ସଂପୃକ୍ତି। ଏମିତିକି ବାଜପେୟୀ ପଦ ଛାଡିବା ପରେ ତାଙ୍କ ବ୍ୟକ୍ତିଗତ ସଚିବ ଭାବେ ମଧ୍ୟ କାମ କରିଥିଲେ ଅଶ୍ୱିନୀ।ତେବେ ପରେ ସେ ପ୍ରାଶାସନିକ ସେବାରୁ ଅବ୍ୟାହତି ନେଇ କର୍ପୋରେଟ କ୍ଷେତ୍ରରେ ଯୋଗ ଦେଇଥିଲେ। ଜି.ଏ. ଟ୍ରାନ୍ସପୋର୍ଟ ଏବଂ ସିମେନ୍ସ ଭଳି କମ୍ପାନୀର ଉଚ୍ଚ ପଦବୀରେ ବେଶ୍ ଦକ୍ଷତାର ସହ ଦାୟିତ୍ୱ ସଂପାଦନ କରିଥିଲେ। ବ୍ୟୁରୋକାଟ୍‌ରୁ ମିନିଷ୍ଟର ହୋଇଥିବା ଅଶ୍ୱିନୀଙ୍କଠାରୁ ଅନେକ କିଛି ଆଶା ରଖିଛି ଓଡ଼ିଶା।

ଠିକ୍ ସେମିତି, ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଜଣେ ନିର୍ବିବାଦୀୟ ଚେହେରା। ଉତ୍ତର ଓଡ଼ିଶାର ଜଣେ ଜଣାଶୁଣା ଆଦିବାସୀ ନେତା। ସପ୍ତଦଶ ଲୋକସଭାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିର ସଦସ୍ୟଭାବେ ସ୍ଥାନ ପାଇଛନ୍ତି। ଯେମିତି କି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ସଦସ୍ୟ ସହ କେମିକାଲ ଓ ଫର୍ଟିଲାଇଜର ଷ୍ଟାଣ୍ଡିଂ କମିଟି ଓ ସଂସ୍କୃତି ଏବଂ ପର୍ଯ୍ୟଟନ ସମ୍ବନ୍ଧୀୟ ପରାମର୍ଶଦାତା କମିଟିର ବି ସଦସ୍ୟ ଅଛନ୍ତି ଟୁଡୁ। ୧୯୬୫ରେ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟାପାଳରେ ଜନ୍ମିତ ବିଶ୍ୱେଶ୍ୱର ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା ମଧ୍ୟ ହାସଲ କରିଛନ୍ତି। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ଶୃଙ୍ଖଳିତ ସଭ୍ୟ ରହିବା ସହ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସମ୍ପାଦକ ମଧ୍ୟ ଅଛନ୍ତି ଟୁଡୁ। ଏଥିସହ ଗତ ୧୯ ବର୍ଷ ଧରି ବିଶ୍ୱ ହିନ୍ଦୁ ପରିଷଦ ଏବଂ ବନବାସୀ କଲ୍ୟାଣ ଆଶ୍ରମ ସହ ମଧ୍ୟ ଜଡିତ ଅଛନ୍ତି ଏହି ଆଦିବାସୀ ନେତା। ଝାଡ଼ଖଣ୍ଡ ରାଜ୍ୟପାଳ ପଦରୁ ଦ୍ରୌପଦି ମୁର୍ମୁଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ଉଭୟ ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡରେ ବିଜେପି ପ୍ରତି ଆଦିବାସୀଙ୍କ ବିଶ୍ୱସନୀୟତାକୁ ବଜାୟ ରଖିବା ଲକ୍ଷ୍ୟରେ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ନିଜ ଟିମରେ ନେଇଥିବା ମନେ କରାଯାଉଛି। ତାଛଡ଼ା ବିଶ୍ୱେଶ୍ୱର କେବଳ ମୟୂରଭଞ୍ଜ ଲୋକସଭା ଆସନରୁ ବିଜେପି ବାନା ଉଡ଼ାଇଛନ୍ତି ତା ନୁହେଁ ତାଙ୍କ ଜିଲ୍ଲାରେ ୬ଟି ବିଧାନସଭା ଆସନରେ ବି ଜିତିଛି ଭାରତୀୟ ଜନତା ପାର୍ଟି।ତେବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ଆଜି ମନ୍ତ୍ରିପଦରୁ ଇସ୍ତଫା ଦେଇଛନ୍ତି ପ୍ରତାପ ଷଡ଼ଙ୍ଗୀ। ଏମ୍ଏସ୍ଏମ୍ଇ ସହ ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ ପ୍ରତାପ। ନିଜର ଓଜସ୍ୱୀ ଭାଷଣ ଓ ଅତ୍ୟନ୍ତ ସାଦାସିଧା ଜୀବନଶୈଳୀ ପାଇଁ ମୋଦିଙ୍କ ଗୁଡ୍ ବୁକରେ ଥିବାରୁ ପ୍ରଥମ ପାଳିରେ ତାଙ୍କୁ ମିଳିଥିଲା ମନ୍ତ୍ରୀ ପଦ। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ହାତରୁ ବାଲେଶ୍ୱର ଲୋକସଭା ଆସନ ଛ଼ଡେଇ ଆଣି ବେଶ୍ ଚର୍ଚ୍ଚାକୁ ବି ଆସିଥିଲେ ପ୍ରତାପ ନନା।