• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟ୍ରାଫିକ୍ ନିୟମରେ ବଡ଼ ଧରଣର ପରିବର୍ତ୍ତନ । ଅକ୍ଟୋବର ୨୮ ତଥା ଆଜି ଠାରୁ ତାମିଲନାଡୁରେ ଟ୍ରାଫିକ୍ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ନୂଆ ନିମୟ ଅନୁସାରେ ରାଜ୍ୟରେ କ୍ୟାବ ଏବଂ ଅଟୋ ଡ୍ରାଇଭରଙ୍କ ମନମାନୀ ଉପରେ ଲଗାମ୍‌ ଲାଗିବ । କୌଣସି ଯାତ୍ରୀଙ୍କୁ ଅଟୋ କିମ୍ବା କ୍ୟାବରେ ନେବା ପାଇଁ ମନାକଲେ, ଡ୍ରାଇଭରଙ୍କୁ ୫୦ରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ ।

ଅଧିକ ପଢ଼ନ୍ତୁ: ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଜୋରିମାନା ନୁହେଁ ବରଂ କରିବାକୁ ପଡ଼ିବ ରକ୍ତଦାନ

ତାମିଲନାଡୁ ସରକାରଙ୍କ ନୂଆ ଟ୍ରାଫିକ୍ ନିୟମ ଦ୍ୱାରା ପ୍ରତିଦିନ କ୍ୟାବରେ ଯାତ୍ରା କରୁଥିବା ଯାତ୍ରୀମାନେ ଉପକୃତ ହୋଇପାରିବେ । ପୂର୍ବରୁ କ୍ୟାବ୍‌ ତଥା କ୍ୟାନସେଲ୍‌ ନେଇ ଅନେକ ଅଭିଯୋଗ ଆସୁଥିଲା । ବୁକ୍‌ କରିବା ମାତ୍ରେ ଅନେକ ସମୟରେ ଡ୍ରାଇଭର ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ନେବାକୁ ମନା କରିଦେଉଥିବାର ଅନେକ ନଜିର ରହିଛି । ବିଶେଷ କରି ଯେଉଁ ସ୍ଥାନ ଗୁଡ଼ିକ ଭିତରେ ରହୁଥିଲା, ସେଠାକୁ ଯିବାକୁ ମଙ୍ଗୁନଥିଲେ ଡ୍ରାଇଭର । ଫଳରେ ଯାତ୍ରୀଙ୍କୁ ନାହିଁନଥିବା ଅସୁବିଧା ଭୋଗିବାକୁ ପଡ଼ୁଥିଲା ।

ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ନୂତନ ନିୟମ ଆଣିଛନ୍ତି । ନୂଆ ନିୟମ ଅନୁଯାୟୀ ଯଦି କ୍ୟାବ, ଅଟୋ କିମ୍ବା ଅନ୍ୟାନ୍ୟ ଯାନ ଯାତ୍ରୀ ପରିବହନ କରିବାକୁ ମନା କରନ୍ତି, ତେବେ ସେମାନଙ୍କୁ ୫୦ ରୁ ୫୦୦ଟଙ୍କା ମଧ୍ୟରେ ଜୋରିମାନା କରାଯିବ । ସରକାରଙ୍କ ଏହି ନିୟମ ଲାଗୁ ହେବା ଯୋଗୁଁ ଏବେ ଲୋକମାନେ ଯେକୌଣସି ସ୍ଥାନରୁ ଅଟୋ କିମ୍ବା କ୍ୟାବ୍‌ ବୁକ୍‌ କରି ଯାଇପାରିବେ ।

ଟ୍ରାଫିକ୍‌ ନିୟମ ଭାଙ୍ଗିବା ମହଙ୍ଗା ପଡ଼ିବ

ସେହିପରି ବାଇକ୍ ଚଲାଇବା ସମୟରେ ମୋବାଇଲ୍, ଟ୍ୟାବ୍ ଚଳାଉଥିଲେ କିମ୍ବା ମ୍ୟୁଜିକ୍ ଶୁଣୁଥିଲେ, ଆପଣଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଥରେ ଜରିମାନା ଦେବା ପରେ ମଧ୍ୟ ସମାନ କାମ କରି ଧରାପଡ଼ିଲେ, ଦ୍ୱିତୀୟ ଥର ପାଇଁ ଜରିମାନା ରାଶି ୧୦ ଗୁଣ ଅର୍ଥାତ୍ ୧୦,୦୦୦ ଟଙ୍କା ହୋଇଯିବ । ଏହା ବ୍ୟତୀତ ଯଦି ଆପଣ ବିନା ଲାଇସେନ୍ସରେ ଗାଡି ଚଳାଉଛନ୍ତି, ତେବେ ଆପଣଙ୍କୁ ୫୦୦୦ ଟଙ୍କା ଏବଂ ପ୍ରଥମ ଥର ପାଇଁ ସିଗନାଲ ଭାଙ୍ଗିଲେ ୧୦୦୦ ଟଙ୍କା ଏବଂ ଦ୍ୱିତୀୟ ଥର ପାଇଁ ୧୦,୦୦୦ ଟଙ୍କା ଦେବାକୁ ପଡିବ ।

ଆମ୍ବୁଲାନ୍ସକୁ ରାସ୍ତା ନଦେଇ ଜରିମାନା

ଅଧିକ ବେଗରେ ଗାଡ଼ି ଚଳାଉଥିଲେ ସାବଧାନ୍‌ । ୫୦୦୦ରୁ ୧୦,୦୦୦ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପ୍ରସ୍ତୁତ ରୁହନ୍ତୁ । ଏହା ବ୍ୟତୀତ ଯଦି ଆପଣ ଜାଣିଶୁଣି ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଏବଂ ଅନ୍ୟାନ୍ୟ ସରକାରୀ ଜରୁରୀକାଳୀନ ଯାନକୁ ରାସ୍ତା ନଦଅନ୍ତି, ତେବେ ଆପଣଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡ଼ିପାରେ ।

ରେସିଂ କଲେ କାର୍ଯ୍ୟାନୁଷ୍ଠାନ

ରେସିଂ ପସନ୍ଦ କରୁଥିବା ଯୁବଗୋଷ୍ଠୀଙ୍କୁ ସାବାଡ଼ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ରାସ୍ତାରେ ରେସିଂ କଲେ ପ୍ରଥମ ଥର ପାଇଁ ଆପଣଙ୍କୁ ୧୫,୦୦୦ ଟଙ୍କା ଦେବାକୁ ପଡିବ । ସେହିପରି ଦ୍ୱିତୀୟ ଥର ପାଇଁ ଆପଣଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିପାରେ । ଏଥିସହ ଯଦି ଆପଣ କାର୍ କିମ୍ବା ବାଇକରେ ମଡିଫାଇଏଡ୍‌ ସାଇଲେନ୍ସର ବ୍ୟବହାର କରନ୍ତି, ତେବେ ୧୦୦୦ ଟଙ୍କାର ଚାଲାଣ କଟିବ । ସେହିପରି ମଦ୍ୟପାନ କରି ଗାଡ଼ି ଚଳାଇଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି ।