Bulldozers
ଦିଲ୍ଲୀ ଶାହୀନବାଗରେ ଆଜି ବୁଲଡୋଜର ବୁଲିଥିବାର ଦେଖିବାକୁ ମିଳିଛି । ବିରୋଧ, ବିକ୍ଷୋଭ ଓ ନାରାବାଜି ପରେ ଏହାକୁ ଫେରାଇ ନିଆଯାଇଛି । ଶାହୀନବାଗରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଜବରଦଖଲ ଅଭିଯାନ ପାଇଁ ଆଜି ସଜବାଜ ଆରମ୍ଭ ହୋଇଥିଲା । ହେଲେ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ଦିଲ୍ଲୀ ପ୍ରଶାସନକୁ ପ୍ରବଳ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଥିଲା ।
ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିବା ସହ ରାସ୍ତାରେ ଧାରଣାରେ ବସିଥିଲେ । ଏହା ଫଳରେ ବୁଲଡୋଜର ଜବର ଦଖଲକୁ ଭାଙ୍ଗି ପାରିନଥିଲା । କୌଣସି ଜବରଦଖଲ ହୋଇନଥିବା ଦର୍ଶାଇ ପ୍ରତିବାଦ କରିଥିଲେ ସେଠାକର ବାସିନ୍ଦା ଓ ବ୍ୟବସାୟୀ ।
ବୁଲଡୋଜର ଆସିବା ପରେ ଶାସକ ଆମ୍ ଆଦମି ପାର୍ଟି ପକ୍ଷରୁ ଏହି ଉଚ୍ଛେଦକୁ ବିରୋଧ କରାଯାଇଥିଲା । ଆପ୍ ବିଧାୟକ ଅମାନତୁଲ୍ଲା ଖାଁ ମଧ୍ୟ ପ୍ରତିବାଦରେ ସାମିଲ ହୋଇ ସେହି ଅଞ୍ଚଳରେ ଜବରଦଖଲ ନାହିଁ ବୋଲି କହିଥିଲେ । ଯାହା ଜବର ଦଖଲ ଥିଲା ପୂର୍ବରୁ ସେସବୁକୁ ସ୍ଥାନୀୟ ବାସିନ୍ଦା ହଟାଇ ଦେଇଛନ୍ତି । ତେଣୁ କେବଳ ରାଜନୀତି କରିବା ଉଦ୍ଦେଶ୍ୟରେ ବୁଲେଡୋଜର ଅଣାଯାଇଥିବା ସେ ଅଭିଯୋଗ କରିଛନ୍ତି।
ଆପ ଭଳି କଂଗ୍ରେସ ପକ୍ଷରୁ ମଧ୍ୟ ଜବରଦଖଲ ଉଚ୍ଛେଦ ବିରୋଧରେ ଜୋରଦାର ପ୍ରତିବାଦ କରାଯାଇଥିଲା । ଜବର ଦଖଲ ନଥିବାବେଳେ କାହିଁକି ଏଠାକୁ ବୁଲଡୋଜର ଆସିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି । କେବଳ ରାଜନୀତି ପାଇଁ ବିଜେପି କିଛି ସ୍ଥାନକୁ ଟାର୍ଗେଟ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଏପରିକି ଦିଲ୍ଲୀ ବିଜେପିର ନେତା ଜବର ଦଖଲ କରିଥିବା ଅଭିଯୋଗ କରି ସେମାନଙ୍କ ଘର ଉପରେ କେବେ ବୁଲଡୋଜର ଚଢାଯିବ ବୋଲି କଂଗ୍ରେସ ପଚାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)