• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରିପୋର୍ଟରେ ଆକଳନ କରାଯାଇଛି, ଚଳିତ ଆର୍ଥିକ ବର୍ଷରେ ଦେଶର ମୁଦ୍ରାସ୍ଫୀତି ୬.୮ ପ୍ରତିଶତ ରହିବ । ସେହିଭଳି ଦେଶର ଆର୍ଥିକ ଅଭିବୃଦ୍ଧି ୭ ପ୍ରତିଶତ ରହିବାକୁ ଥିବା ବେଳେ ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୩-୨୪ରେ ୬.୫ ପ୍ରତିଶତକୁ ଖସି ଆସିବାର ଆଶଙ୍କା ରହିଛି ।

ଆସନ୍ତାକାଲି ଦିନ ୧୧ଟାରେ ମୋଦି ସରକାର ୨.୦ର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ । ଅର୍ଥମନ୍ତ୍ରୀ ଯେହେତୁ ଏ ବର୍ଷ ଦେଶର ମୁଦ୍ରାସ୍ଫୀତି ଉଚ୍ଚ ରହିଛି, ଏହା ମଧ୍ୟବିତ୍ତ ଓ ସାଧାରଣ ଜନତାଙ୍କୁ ଢେର୍ ବାଧିଛି । ପେଟ୍ରୋଲ, ଡିଜେଲଠୁ ଆରମ୍ଭ କରି ରନ୍ଧନ ଗ୍ୟାସ୍, ଡାଲି, ଚାଉଳ, ଗହମ, ଚିନି ଯାଏଁ ସବୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦାମ୍ ଉପରମୁହାଁ ହୋଇଛି । ଯାହାକି ସାଧାରଣ ଲୋକଙ୍କ ଖର୍ଚ୍ଚ ବଢ଼ାଇବା ସହ ସଞ୍ଚୟକୁ ସଙ୍କୁଚିତ କରିଛି । ଏଣୁ ଏ ବର୍ଷର ବଜେଟ୍‌ରେ ଦରଦାମ୍ ହ୍ରାସ ଲାଗି ପଦକ୍ଷେପ ଘୋଷଣା କରି ସରକାର ରୋଷେଇ ଘରକୁ ଆଶ୍ୱସ୍ତ ଦେବେ ବୋଲି ଗୃହିଣୀ ଅନେଇ ବସିଛନ୍ତି ।

ଏପଟେ ପ୍ରାୟ ୧୦ ବର୍ଷ ହେଲା ମୂଳ ବ୍ୟକ୍ତିଗତ ଆୟକର ଛାଡ଼ ସୀମା ଅଢ଼େଇ ଲକ୍ଷ ଟଙ୍କାରେ ସୀମିତ ଥିବାରୁ ବଜେଟ୍‌ରେ ଏହି ସୀମା ନିଶ୍ଚୟ ବଢ଼ିବ ବୋଲି ଆଶା ବାନ୍ଧି ବସିଛି ମଧ୍ୟବିତ୍ତ ଓ ଆୟକରଦାତା । ସେହିଭଳି ଚାଷୀ ଚାହୁଁଛି, ନିଜ ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ଓ ଏହାର ବିକ୍ରି ପାଇଁ ବଜାର ଲିଙ୍କେଜ୍ ।

ଶିଳ୍ପଜଗତ ମଧ୍ୟ ସୀତାରମଣଙ୍କ ବଜେଟ୍‌ରୁ ଅନେକ କିଛି ଆଶା ରଖିଛି । ଶିଳ୍ପଜଗତ ଚାହୁଁଛି, ଚଳିତ ବଜେଟ୍‌ରେ ସରକାର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତୁ । ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ପର୍ଯ୍ୟଟନ କ୍ଷେତ୍ର ଲାଗି ଅଧିକ ପାଣ୍ଠି ଆବଣ୍ଟନ କରନ୍ତୁ । ଏହାସହ ରପ୍ତାନି ବୃଦ୍ଧି ପାଇଁ ଅର୍ଥମନ୍ତ୍ରୀ ବଜେଟ୍‌ରେ ରପ୍ତାନି ପାଇଁ ପ୍ରୋତ୍ସାହନ ଘୋଷଣା ପାଇଁ ଦାବି କରିଛି ବ୍ୟବସାୟ ଜଗତ । ସେହିଭଳି ଖଣି ରାଜସ୍ୱରେ ଓଡ଼ିଶା ଏକ ବଡ଼ ଅଂଶୀଦାର ହୋଇଥିବାରୁ କେନ୍ଦ୍ର ସରକାର ବଜେଟ୍‌ରେ ରାଜ୍ୟର ବନ୍ଦର ଓ ରେଳ ଭିତ୍ତିଭୂମି ବୃଦ୍ଧି ସହ ରେଳ ରେକ୍ ସଂଖ୍ୟା ବଢ଼ାଇବେ ବୋଲି ଆଶା ରଖିଛି ରାଜ୍ୟର ଶିଳ୍ପସଂଘ ।

ସେପଟେ ଗତ ବଜେଟ୍‌ରେ ଓଡ଼ିଶା ରେ ରେଳ କ୍ଷେତ୍ର ଲାଗି ୯ ହଜାର ୭୩୪ କୋଟି ଟଙ୍କା ଆବଣ୍ଟନ ହୋଇଛି, ଯାହାକି ସର୍ବକାଳୀନ ସର୍ବାଧିକ ଥିଲା । ଏବର୍ଷ ମଧ୍ୟ ବଜେଟ୍‌ରୁ ରାଜ୍ୟକୁ ସମାନ ଅନୁପାତରେ ପାଣ୍ଠି ମିଳିବ ବୋଲି ଆଶା ରଖିଛନ୍ତି ବିଶେଷଜ୍ଞ । କିନ୍ତୁ ଏବେ ବି ରାଜ୍ୟର ଅନେକ ସ୍ଥାନକୁ ରେଳ ସଂଯୋଗ ହୋଇପାରିନି । ସେସବୁ ଅଞ୍ଚଳକୁ ରେଳ ସଂଯୋଗ ଲାଗି ବଜେଟ୍‌ରେ ଅଧିକ ପାଣ୍ଠି ମିଳିବା ସହ ପ୍ରସ୍ତାବିତ ବିଜୟୱାଡ଼ାରୁ କୋଲକାତା ସ୍ୱତନ୍ତ୍ର ଇଷ୍ଟକୋଷ୍ଟ ଡେଡିକେଟେଡ ଫ୍ରେଟ୍ କରିଡର ଓ ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳ ପ୍ରକଳ୍ପ ଲାଗି ପାଣ୍ଠି ବ୍ୟବସ୍ଥା ହେବ ବୋଲି ଆଶା ରଖିଛନ୍ତି ବିଶେଷଜ୍ଞ ।