• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗଙ୍ଗା ନଦୀରେ ବୁଡ଼ ପକାଇଲେ ଭଲ ହୋଇଯିବ କ୍ୟାନସର ! ଅନ୍ଧବିଶ୍ୱାସ ନେଲା ୫ ବର୍ଷର ଶିଶୁର ଜୀବନ । ପରିବାର ଲୋକଙ୍କ ଭୁଲ ଯୋଗୁଁ ଚାଲିଗଲା ନିଷ୍ପାପ ଶିଶୁର ଜୀବନ । ଏଭଳି ଅଭାବନୀୟ ଘଟଣା ଉତ୍ତରାଖଣ୍ତ ହରିଦ୍ୱାରରେ ଘଟିଛି । ହରିଦ୍ୱାରର ହାଡ଼ଙଙ୍ଗା ଶୀତ ସାଙ୍ଗକୁ ଗଙ୍ଗାନଦୀର ଥଣ୍ତା ଜଳରେ ଶ୍ୱାସରୁଦ୍ଧ ହୋଇ ନାବାଳକର ପ୍ରାଣ ଯାଇଛି ।

କର୍କଟ ଭଳି ଭୟଙ୍କର ରୋଗ ପାଇଁ ଡାକ୍ତରୀ ଚିକିତ୍ସା କରିବା ପରିବର୍ତ୍ତେ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ୫ ବର୍ଷର ଶିଶୁର ଜୀବନ ଚାଲିଗଲା । ସୂଚନାନୁଯାୟୀ ଦିଲ୍ଲୀର ଏକ ପରିବାର ଗତକାଲି ହରିଦ୍ୱାର ଆସିଥିଲେ । ପିଲାଟି ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲା । ତାର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ନଥିଲା । ଘର ଲୋକଙ୍କ ବିଶ୍ୱାସ ଥିଲା ଯେ ଗଙ୍ଗା ନଦୀରେ ପୂଜା ପାଠ କରି ବୁଡ଼ ପକାଇଲେ ଛୁଆଟି ଆରୋଗ୍ୟ ଲାଭ କରିବ ।

ପିଲାଟିର ପରିବାର ଓ ସମ୍ପର୍କୀୟ ମାଉସୀ ଗଙ୍ଗାନଦୀ କୂଳରେ ପୂଜା ପାଠ କରୁଥିଲେ । ଏହି ସମୟରେ ମନ୍ତ୍ର ଅନୁଯାୟୀ ମାଉସୀ ପିଲାଟିକୁ ପାଣିରେ ବୁଡ଼ାଉଥିଲେ । ପିଲାଟିକୁ ଏହାକୁ ବିରୋଧ କରି ଚିତ୍କାର କରୁଥିଲେ ମଧ୍ୟ କେହି ବି ତା କଷ୍ଟ ଦେଖିପାରିଲେ ନାହିଁ । ଶେଷରେ ଗଙ୍ଗା ନଦୀର ଥଣ୍ତା ଜଳରେ ଅଣନିଶ୍ୱାସୀ ହୋଇ ପିଲାଟି ପାଣିରେ ଅଚେତ ହୋଇପଡ଼ିଲା । ପିଲାକୁ ତୁରନ୍ତ ମେଡିକାଲକୁ ନେଲା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ପୋଲିସର କହିବାନୁଯାୟୀ ଘଟଣା ସମ୍ପର୍କରେ ହସ୍ପିଟାଲ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିଲାର ପରିବାର ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେଠାରେ ଉପସ୍ଥିତ ଲୋକେ ସମ୍ପୃକ୍ତ ମହିଳାଙ୍କୁ ଏଥିପ୍ରତି ବାରଣ କରିଥିଲେ ମଧ୍ୟ ସେ ଶୁଣିନଥିବା ପୋଲିସ କହିଛି । ପ୍ରତ୍ୟକ୍ଷଦର୍ଶୀ ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି ।