• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜନ୍ମରୁ ଚାରି ହାତ, ଚାରି ଗୋଡ଼ । ପେଟ ପାଖରେ ଓହଳି ରହିଥିଲା ଦୁଇ ହାତ ଓ ଗୋଡ଼ । ଦୟନୀୟ ଜୀବନ ବିତାଉଥିଲା କୁନି ଝିଅ ଚୌମୁଖୀ । ବାପାମା’ ଝିଅର ଅପରେସନ କରାଇବାକୁ ଚାହୁଁଥିଲେ ସୁଦ୍ଧା ପାଖରେ ଟଙ୍କା ନଥିଲା । ଝିଅର ଅପରେସନ୍‌ କରାଇବା ପାଇଁ ସମସ୍ତଙ୍କ ଆଗରେ ହାତ ପାତୁଥିଲେ । କାକୁତି, ମିନତି ହେଉଥିଲେ । ଝିଅ ପାଇଁ କିଛି ସାହାଯ୍ୟ କର ବୋଲି ପ୍ରଶାସନ ଓ ଲୋକଙ୍କ ସାମ୍ନାରେ ଗୋଡ଼ ଭାଙ୍ଗି ଛିଡ଼ା ହେଉଥିଲେ । ହେଲେ କେହି ସାହାଯ୍ୟ କଲେନି । ହେଲେ ଯାହାର କେହି ନଥାନ୍ତି, ତାଙ୍କ ପାଖରେ ହାଜର ହୋଇଯାଆନ୍ତି ମସିହା ସୋନୁ ସୁଦ୍ ।

ବଲିଉଡ ଅଭିନେତା ସୋନୁ ସୁଦ କୁନି ଝିଅକୁ ନୂଆ ଜୀବନ ଦେଇଛନ୍ତି । ଚଳଚ୍ଚିତ୍ରରେ ଭିଲେନ୍ ଭୂମିକାରେ ଅଭିନୟ କରୁଥିଲେ ସୁଦ୍ଧା ବାସ୍ତବରେ ସେ ଗରିବଙ୍କ ପାଇଁ ମସିହା । ବିହାରର ନୱାଡାଠାରେ ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ଝିଅ ଚୌମୁଖୀ ଏବେ ସାଧାରଣ ପିଲାଙ୍କ ପରି ଜୀବନଯାପନ କରିବ । ସୋନୁଙ୍କ ସହାୟତାରେ ସୁରଟର କିରଣ ହସ୍ପିଟାଲରେ ତା’ର ଦୁଇ ହାତ ଏବଂ ଦୁଇ ଗୋଡର ସଫଳ ଅପରେସନ୍ ହୋଇଛି ।

ତେବେ ଚୌମୁଖୀ ପାଇଁ ଏହି ଅପରେସନ୍‌ ଏତେ ସହଜ ନଥିଲା । ବାପାମା’ କେଉଁଠାରୁ ସାହାଯ୍ୟ ନପାଇ ହତାଶ ହୋଇ ବସିଥିଲେ । ଆଉ କେହି ଜଣେ କୁନି ଝିଅର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା, ଯାହା ସୋନୁ ସୁଦ୍‌ ଦେଖି ପାରିଥିଲେ ଓ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ।

ଚୌମୁଖୀର ଅପରେସନ୍‌ ପାଇଁ ପ୍ରଥମେ ସୋନୁ ସୁଦ୍ ଫାଉଣ୍ଡେସନ୍ ଝିଅର ଚିକିତ୍ସା ପାଇଁ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିଥିଲେ । ଏହି କ୍ରମରେ ସୁରଟର କିରଣ ହସ୍ପିଟାଲ୍ ଶିଶୁଟିର ଅପରେସନ୍‌ କରିବା ପାଇଁ ରାଜି ହୋଇଥିଲା । ଏହା ପରେ ଏକ ସପ୍ତାହ ପୂର୍ବରୁ ଚୌମୁଖୀକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଚୌମୁଖୀଙ୍କୁ ଅପରେସନ୍ କରିଥିବା ଡାକ୍ତରଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ଏଭଳି ଜଟିଳ ଅପରେସନର ମାତ୍ର ୪୦ଟି ହୋଇଛି । ଏଭଳି ଅପରେସନ୍ ଖୁବ୍‌ ବିପଦପୂର୍ଣ୍ଣ । ପ୍ରାୟ ୩୦ରୁ ୩୫ ପ୍ରତିଶତ ମାମଲାରେ ରୋଗୀର ଜୀବନ ବଞ୍ଚାଇବା ମୁସ୍କିଲ ହୋଇଯାଏ । ମାତ୍ର ସାତ ଘଣ୍ଟା ଧରି ଚାଲିଥିବା ଚୌମୁଖୀର ଅପରେସନ୍ ସଫଳ ହୋଇଛି । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

କିରଣ ହସ୍ପିଟାଲ ଉଦାରତା ପ୍ରଦର୍ଶନ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚୌମୁଖୀର ମାଗଣା ଅପରେସନ୍‌ କରିଛନ୍ତି । ଆଉ ଅଭିନେତା ସୋନୁ ସୁଦ ଚୌମୁଖୀର ସଫଳ ଅପରେସନ୍ କରିଥିବାରୁ କିରଣ ହସ୍ପିଟାଲର କର୍ତ୍ତପକ୍ଷକୁ କୃତଜ୍ଞତା ଜଣାଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now