Advertisment

ବିମାନରେ ବୋମା ଗୁଜବ ଘଟଣା: ସନ୍ଦିଗ୍ଧ ନାବାଳକ ଗିରଫ

୩ଟି ବିମାନରେ ବୋମା ଗୁଜବ ସୃଷ୍ଟି କରିଥିବା ଉକ୍ତ ନାବାଳକକୁ ଗିରଫ କରାଯାଇଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ସୂଚନା ଦେଇଛନ୍ତି ।

author-image
Santosh Kumar Sahoo
Fake Bomb Threat

Fake Bomb Threat

ବିମାନରେ ବୋମା ଗୁଜବ ମାମଲାରେ ପୋଲିସକୁ ସଫଳତା । ଏ ଘଟଣାରେ ମୁମ୍ବାଇ ପୋଲିସ ଜଣେ ନାବାଳକକୁ ଗିରଫ କରିଛି । ୩ଟି ବିମାନରେ ବୋମା ଗୁଜବ ସୃଷ୍ଟି କରିଥିବା ଉକ୍ତ ନାବାଳକକୁ ଗିରଫ କରାଯାଇଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ସୂଚନା ଦେଇଛନ୍ତି ।

Advertisment

ସେପଟେ ବୋମା ଗୁଜବ ସୃଷ୍ଟି ହୋଇଥିବା ସମସ୍ତ ବିମାନ ଘଟଣାର ତନ୍ନ ତନ୍ନ ଯାଞ୍ଚ ହେଉଛି, ଏବଂ ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ, ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଗଲା ୩ ଦିନ ଧରି ନିୟମିତ ଭାବେ ଭାରତୀୟ ବିମାନଗୁଡ଼ିକୁ ବୋମା ଗୁଜବ ଆସୁଥିବାରୁ ଏ ଘଟଣାକୁ ସେ ନିଜେ ନିୟମିତ ଅନୁଧ୍ୟାନ କରୁଛନ୍ତି ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ଏହି ମାମଲାକୁ ଗୁରୁତର ସହ ନେଇ ତଦନ୍ତ କରୁଥିବା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ।

ଅକ୍ଟୋବର ୧୪। ଭାରତରୁ ବିଭିନ୍ନ ଦେଶକୁ ଯାଉଥିବା ୩ ଅନ୍ତର୍ଜାତୀୟ ବିମାନରେ ବୋମା ଗୁଜବ । ଅକ୍ଟୋବର ୧୫ରେ ଆଉ ୭ ବିମାନକୁ ସମାନ ଧରଣର ଧମକ। ଆଉ ଅକ୍ଟୋବର ୧୬ ଅର୍ଥାତ ଆଜି ପୁଣି ୨ଟି ବିମାନକୁ ବୋମାରେ ଉଡ଼ାଇ ଦିଆଯିବାର ଧମକପୂର୍ଣ୍ଣ ମେସେଜ୍। ଲଗାତାର୍ ୩ ଦିନ ଧରି ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ଯୋଗାଉଥିବା ବିଭିନ୍ନ ବିମାନ କମ୍ପାନୀକୁ ଏଭଳି ଧମକପୂର୍ଣ୍ଣ ମେସେଜ୍ ଆସିବା ପରେ ଏକ ପ୍ରକାର ବିଗିଡ଼ି ଯାଇଛି ବିମାନ ଯାତ୍ରା ବ୍ୟବସ୍ଥା। ମଙ୍ଗଳବାର ଦିଲ୍ଲୀରୁ ଚିକାଗୋ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ନେଇ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ପରେ ବିମାନଟିକୁ ତୁରନ୍ତ କାନାଡ଼ାର ଏକ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା।

Advertisment

ସେହିଭଳି ମଦୁରାଇରୁ ସିଙ୍ଗାପୁର ଯାଉଥିବା ଏକ ବିମାନରେ ବୋମା ଗୁଜବ ପରେ ଏହାକୁ ସିଙ୍ଗାପୁରର ଦୁଇଟି ଫାଇଟର ଜେଟ୍ ସହାୟତାରେ ଏସ୍କର୍ଟ କରାଯାଇ ଅବତରଣ କରାଯାଇଥିଲା। ସେହିଭଳି ସାଉଦି ଆରବରୁ ଲକ୍ଷ୍ନୌ ଅଭିମୁଖେ ଆସୁଥିବା ଏକ ଇଣ୍ଡିଗୋ ବିମାନ ରାଜସ୍ଥାନର ଜୟପୁରରେ ଜରୁରୀ ଅବତରଣ କରିଥିଲା। ମଙ୍ଗଳବାର ରାତିରେ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ଫ୍ଲାଇଟରେ ବୋମା ଗୁଜବ ପରେ ଏହାକୁ ଅହମ୍ମଦାବାରେ ଜରୁରୀ ଅବତରଣ କରାଯାଇଥିଲା । ଆଉ ଆଜି ଆକାଶ ଏୟାର ଓ ଇଣ୍ଡିଗୋ ବିମାନରେ ପୁଣି ସମାନ ଧରଣର ବୋମା ଗୁଜବ ପରେ ଦିଲ୍ଲୀ-ବାଙ୍ଗାଳୁରୁ ଆକାଶ ଫ୍ଲାଇଟ୍ ଟି ଦିଲ୍ଲୀ ଫେରି ଆସିଥିଲା।

ସେହିପରି ମୁମ୍ବାଇ-ଦିଲ୍ଲୀ ଇଣ୍ଡିଗୋ ଫ୍ଳାଇଟ୍ ଅହମ୍ମଦାବାଦକୁ ଡାଇଭର୍ଟ କରାଯାଇଥିଲା। ବାରମ୍ବାର ଏଭଳି ବୋମା ଧମକ ପରେ ବିମାନ ଯାତ୍ରୀଙ୍କ ମଧ୍ୟରେ ଖେଳିଯାଇଛି ଆତଙ୍କ। ଆଉ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶହ ଶହ ସଂଖ୍ୟାରେ ଯାତ୍ରୀ। ବିମାନ ସେବା ପ୍ରଦାନକାରୀ କମ୍ପାନୀ ବି ପ୍ରଚୁର କ୍ଷତିର ସମ୍ମୁଖୀନ ହୋଇଛନ୍ତି।

ବିମାନରେ ବୋମା ଗୁଜବ ଘଟଣା ବଢି ଚାଲୁଥିବାରୁ ଏହାକୁ ଅତି ଗୁରୁତର ସହ ନେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ଆଜି ବିଭାଗୀୟ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ଅଧ୍ୟକ୍ଷତାରେ ଡିଜିସିଏ କର୍ତ୍ତୃପକ୍ଷଙ୍କୁ ନେଇ ଏକ ଜରୁରୀ ବୈଠକ ବସିଛି। ପରେ ପରେ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ମଧ୍ୟ ଏ ପ୍ରସଙ୍ଗରେ ଆଲୋଚନା କରିଛି। କିଛି ଗୁଜବକାରୀଙ୍କ ସମ୍ପର୍କରେ ସୁରାକ ମିଳିଥିବା କୁହାଯାଉଛି। ସେପଟେ ଏ ଘଟଣାକୁ ଦୃଷ୍ଟିରେ ରଖି ବିମାନରେ ସ୍କାଏ ମାର୍ଶାଲଙ୍କ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ସାଦା ପୋଷାକରେ ଅସ୍ତ୍ରଶସ୍ତ୍ର ସହ ସଜ୍ଜିତ ଥିବା ସ୍କାଏ ମାର୍ଶାଲ ହାଇଜାକ୍ ସମୟରେ ଯାତ୍ରୀଙ୍କୁ ସୁରକ୍ଷା ସହ ଅପହରଣକାରୀଙ୍କୁ ମୁକାବିଲା କରିବେ। ୧୯୯୯ କାନ୍ଦାହାର ବିମାନ ଅପହରଣ ଘଟଣା ପରେ ଯାତ୍ରୀବାହୀ ବିମାନରେ ସ୍କାଏ ମାର୍ଶାଲ ନିଯୁକ୍ତିର ବ୍ୟବସ୍ଥା ହୋଇଥିଲା ।

Bomb Threat
Advertisment
Advertisment