• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦଶନ୍ଧି ଧରି ସହଜ ନୁହେଁ ବିଜେପି ଗଡ଼ ଭାଙ୍ଗିବା

  • ଜାତୀୟ ରାଜନୀତିରେ ଲମ୍ବା ରେସର ଘୋଡା ଭାବେ ଉଭା ହୋଇଛନ୍ତି ମୋଦି

ନୂଆଦିଲ୍ଲୀ : ମୋଦି ମ୍ୟାଜିକ୍ ଆଗରେ ଫିକା ପଡ଼ିବ ରାହୁଲଙ୍କ ରଣନୀତି । ସହଜ ନୁହେଁ ଦେଶରେ ବିଜେପି ଗଡ଼ ଭାଙ୍ଗିବା । ନିକଟ ଭବିଷ୍ୟତରେ ମୋଦି ଲହରରେ ଭଟ୍ଟା ପଡ଼ିବାର ସମ୍ଭାବନା ନାହିଁ । ଆସନ୍ତା କିଛି ଦଶନ୍ଧି ଧରି ଭାରତୀୟ ରାଜନୀତିରେ ବିଜେପିର ଦବଦବା ଜାରି ରହିବ । ମୋଦି ଯୁଗ ଶେଷ ହେବ ବୋଲି ଚିନ୍ତା କରୁଥିବା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ଶକ୍ତି ସମ୍ପର୍କରେ ଅଜ୍ଞାନ ଅଛନ୍ତି ବୋଲି ଚେତାଇ ଦେଇଛନ୍ତି ନିର୍ବାଚନ ଷ୍ଟ୍ରାଟେଜିଷ୍ଟ । ଜାତୀୟ ରାଜନୀତିରେ ଲମ୍ବା ରେସର ଘୋଡା ଭାବେ ଉଭା ହୋଇଛନ୍ତି ମୋଦି । ଲୋକପ୍ରିୟତା ବଢ଼ିବା ସହ ବିଶ୍ୱ ଦରବାରରେ ତାଙ୍କର ଦବଦବା ବଢ଼ୁଛି । ବିରୋଧୀଙ୍କୁ ମାତ୍ ଦେବା ମନ୍ତ୍ର ମୋଦିଙ୍କୁ ଭଲଭାବେ ଜଣା । ନିକଟରେ ଗୋଆ ଗସ୍ତରେ ଯାଇ ମୋଦି ଯୁଗ ସମ୍ପର୍କରେ ସ୍ପଷ୍ଟୋକ୍ତି କରିଛନ୍ତି ପ୍ରଶାନ୍ତ କିଶୋର ।

ଆଗାମୀ ଅନେକ ଦଶନ୍ଧି ଧରି ପଦ୍ମ ପାଖୁଡ଼ା ସେମିତି ସଜଳ ସତେଜ ରହିବ । ପ୍ରଶାନ୍ତ କିଶୋର ବର୍ତ୍ତମାନ ବେଙ୍ଗଲ ସିଏମ ମମତା ବାନାର୍ଜୀଙ୍କ ପାଇଁ ପରଦା ପଛରେ କାମ କରୁଛନ୍ତି । ଚଳିତ ବର୍ଷ ଅନୁଷ୍ଠିତ ବଙ୍ଗ ବିଧାନସଭା ନିର୍ବାଚନରେ ​​ଟିଏମସି ଜିତିବା ପରେ ପ୍ରଶାନ୍ତ କିଶୋର ମମତା ବାନାର୍ଜୀଙ୍କ ସହ କାମ କରୁନାହାଁନ୍ତି ବୋଲି ଘୋଷଣା କରିଥିଲେ । ଏହାସହ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ମଧ୍ୟ ଖବର ଆସିଥିଲା । କିନ୍ତୁ ଅନେକ ଆଲୋଚନା ତଥା କଳ୍ପନାଜଳ୍ପନା ପରେ ମଧ୍ୟ ପ୍ରଶାନ୍ତ କିଶୋର ପୁଣି ଥରେ ଟିଏମସି ସହିତ କାମ କରୁଛନ୍ତି । ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିର ଭିତ୍ତିଭୂମି ସଜାଡ଼ିବା ପାଇଁ ସେ ଗୋଆରେ ମଧ୍ୟ ପହଞ୍ଚିଛନ୍ତି ।

ଦଶନ୍ଧି ଧରି ବିଜେପିର ପ୍ରାଧାନ୍ୟର ପୂର୍ବାନୁମାନ କରିଥିବା ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ମୋଦି ଲେହେର ପର୍ଯ୍ୟନ୍ତ ବିଜେପି କ୍ଷମତାରେ ରହିବ ବୋଲି ଭ୍ରମରେ ଅଛି କଂଗ୍ରେସ । ବିଜେପି ଉପରେ ଜୟ ପରାଜୟର ପ୍ରଭାବ ପଡ଼ିବନି । ବେଶ୍ କିଛି ଦିନ ଧରି ଭାରତୀୟ ରାଜନୀତିର କେନ୍ଦ୍ରରେ ରହିବ ଭାରତୀୟ ଜନତା ପାର୍ଟି । କଂଗ୍ରେସ ଯେପରି ୪୦ ବର୍ଷ ଧରି ଶାସନ କରୁଥିଲା, ବିଜେପି ସେପରି ଦଶନ୍ଧି ଧରି କ୍ଷମତାରେ ରହିବ । ଦରଦାମ ବୃଦ୍ଧି ଯୋଗୁଁ ଲୋକେ ମୋଦିଙ୍କ ଉପରେ ରାଗି ପାରନ୍ତି । ଆଉ କ୍ଷମତାରରୁ ହଟିଗଲେ ମଧ୍ୟ ବିଜେପିର ଭାଉ କମିବନି ।

'ମୋଦିଙ୍କ ଶକ୍ତି ବୁଝୁନାହାନ୍ତି ରାହୁଲ’

ରାହୁଲ ଗାନ୍ଧୀ ମୋଦିଙ୍କ ଲୋକପ୍ରିୟତା ତଥା ଶକ୍ତି ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ । ମୂଳଦୁଆ ପଡ଼ିସାରିଛି । କିଛି ସମୟ ମଧ୍ୟରେ ମୋଦିଙ୍କୁ ମଦ୍ୟ ଗାଦିଚ୍ୟୁତ ହେବାକୁ ପଡ଼ିବ ବୋଲି ରାହୁଲ ଚିନ୍ତା କରୁଛନ୍ତି । କିନ୍ତୁ ନିକଟ ଭବିଷ୍ୟତରେ ସେପରି କିଛି ହେବାର ସମ୍ଭାବନା ନାହିଁ । ବିରୋଧୀଙ୍କ ଶକ୍ତି ସମ୍ପର୍କରେ ଜାଣିଲେ ହିଁ ତାକୁ ସାମ୍ନା କରିବା ସହଜ ହେବ । ମୋଦି ଅଳ୍ପ ସମୟ ମଧ୍ୟରେ କିପରି ଏତେ ଲୋକପ୍ରିତୟା ସାଉଣ୍ଟୁଛନ୍ତି, ତାହା ଜାଣିପାରୁନି କଂଗ୍ରେସ । ଅନ୍ଧାରେ ବାଡ଼ି ବୁଲାଇବା ଅପେକ୍ଷା ମୋଦିଙ୍କ ମାଷ୍ଟର ପ୍ଲାନ୍ ସମ୍ପର୍କରେ ଜାଣିବା ଜରୁରୀ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର ।