Advertisment

ତିନି ପର୍ଯ୍ୟାୟ ପରେ ଶାହଙ୍କ ଦୃଢ଼ୋକ୍ତି; କହିଲେ, NDA ଓ ବିଜେପିକୁ ମିଳିବ ପାଖାପାଖି ୨୦୦ ଆସନ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହି ପର୍ଯ୍ୟାୟରେ ଅଧିକ ସଫଳତା ମିଳିବ ବୋଲି କହିଛନ୍ତି ଶାହ ।

author-image
Santosh Kumar Sahoo
Amit Shah

Amit Shah

ଦେଶରେ ତିନୋଟି ପର୍ଯ୍ୟାୟ ଲୋକସଭା ନିର୍ବାଚନ ସରିଥିବା ବେଳେ ଏଥିରୁ ପାଖାପାଖି ୨୦୦ ଆସନ ବିଜେପି ତଥା ଏନଡିଏ ମେଣ୍ଟରେ ବିଜୟୀ ହେବାକୁ ଯାଉଛି । ଏଥିସହ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହି ପର୍ଯ୍ୟାୟରେ ଅଧିକ ସଫଳତା ମିଳିବ ବୋଲି କହିଛନ୍ତି ଶାହ । ନିଶ୍ଚିତ ରୂପେ ଏନଡିଏ ୪୦୦ ପାର୍‌ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Advertisment

ଚତୁର୍ଥ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବି ମତଦାନ ହେବ । ଏହି ରାଜ୍ୟରେ ଏନଡିଏ ଏବଂ ଭାରତୀୟ ଜନତା ପାର୍ଟି ସମ୍ପୂର୍ଣ୍ଣ ସୁଇପ୍‌ କରିବ ବୋଲି ଅମିତ ଶାହ କହିଛନ୍ତି । ୪ ଜୁନରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଦକ୍ଷିଣ ଭାରତରେ ବିଜେପି ସର୍ବାଧିକ ଭୋଟ ପାଇଥିବ । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଏବଂ କେରଳରେ ସବୁଠୁ ବଡ଼ ଦଳ ଭାବେ ବିଜେପି ଉଭା ହେବ ବୋଲି କହିଛନ୍ତି ଅମିତ ଶାହ ।

ଚତୁର୍ଥ ପର୍ଯ୍ୟାୟରେ ୧୭୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ୧୦ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ପଡ଼ିବ ଭୋଟ । ଆନ୍ଧ୍ରପ୍ରଦେଶର ୨୫ଟି ଆସନ, ବିହାରର ୫, ଜାମ୍ମୁ କାଶ୍ମୀରର ଗୋଟିଏ, ଝାଡ଼ଖଣ୍ଡର ୪, ମଧ୍ୟପ୍ରଦେଶର ୮, ମହାରାଷ୍ଟ୍ରରେ ୧୧, ଓଡ଼ିଶାରେ ୪, ତେଲେଙ୍ଗାନାରେ ୧୭, ଉତ୍ତରପ୍ରଦେଶର ୧୩, ପଶ୍ଚିମବଙ୍ଗର ୮ଟି ଆସନରେ ହେବ ମତଦାନ ।

Advertisment

ଚତୁର୍ଥ ପର୍ଯ୍ୟାୟ ଭୋଟିଂରେ ବହୁ ଭିଆଇପି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଉତ୍ତରପ୍ରଦେଶ କୌନଜରୁ ନିର୍ବାଚନ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ପଶ୍ଚିମବଙ୍ଗର କ୍ରିଷ୍ଣାନଗରରୁ ଟିଏମସି ନେତା ମହୁଆ ମୈତ୍ରା, ବିହାରର ବେଗୁସରାଇରୁ ବିଜେପିର ଗିରିରାଜ ସିଂ, ଆନ୍ଧ୍ରପ୍ରଦେଶର କଡପାରୁ କଂଗ୍ରେସର ୱାଇ ଏସ ଶର୍ମିଲା, ଝାଡଖଣ୍ଡର ଖୁଣ୍ଟିରୁ ବିଜେପିର ଅର୍ଜୁନ ମୁଣ୍ଡା, ପଶ୍ଚିମବଙ୍ଗର ଆସନସୋଲରୁ ଟିଏମସିର ଶତ୍ରୁଘ୍ନ ସିହ୍ନା, ହାଇଦ୍ରାବାଦରୁ ବିଜେପିର ମାଧବୀ ଲତାଙ୍କ ଆସନରେ ଭୋଟ ପଡ଼ିବ । ପ୍ରଚାରର ଶେଷ ଦିନରେ ଜନମତକୁ ନିଜ ଆଡକୁ କରିବା ପାଇଁ ପ୍ରାର୍ଥୀ ଜୋରଦାର ପ୍ରୟାସ କରିଛନ୍ତି।

ଲୋକସଭା ଆସନରେ ମତଦାନ ସହ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ର ଓ ଏହା ଅଧିନ ସମସ୍ତ ୨୮ ବିଧାନସଭା କ୍ଷେତ୍ର ପାଇଁ ଭୋଟ୍‌ ଗ୍ରହଣ ହେବ । ୪ ଲୋକସଭା କ୍ଷେତ୍ର ପାଇଁ ୩୯ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ୪ ଲୋକସଭା କ୍ଷେତ୍ରରେ ୨୮ ବିଧାନସଭା ଆସନ ପାଇଁ ୨୬୬ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Amit Shah BJP General Elections 2024
Advertisment
Advertisment