/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724641675.jpg)
Jammu kashmir Election
ଜାମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି । ଗତକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ, ଆଜି ୪୦ ରୁ ୫୦ ଆସନ ପାଇଁ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ଦଳ । ଆଜି ସେଠାକୁ ଗସ୍ତ କରିବେ ଜାମ୍ମୁ ଓ କାଶ୍ମୀରର ବିଜେପି ନିର୍ବାଚନ ପ୍ରଭାରୀ ରାମ ମାଧବ ଏବଂ ଜି. କିଶନ ରେଡ୍ଡି ।
ଖବର ସରବରାହ ସଂସ୍ଥା ANI ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥିସହ ଜାମ୍ମୁ ଓ କାଶ୍ମୀରରେ ବିଜେପିର ଶୀର୍ଷ ନେତା ମାନେ ୮ଟି ନିର୍ବାଚନୀ ରାଲି କରିବେ ବୋଲି ସୂଚନା ମିଳିଛି । ଜାମ୍ମୁ ଓ କାଶ୍ମୀରରେ ବିଜେପି କୌଣସି ଦଳ ସହିତ ମେଣ୍ଟ କରିବ ନାହିଁ ଏବଂ ଯେଉଁ ସିଟରେ ପ୍ରାର୍ଥୀ ଦେବନି, ସେଠାରେ ଟାଣୁଆ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବୋଲି ସ୍ପଷ୍ଟ କରିଛି ।
ଗତରାତିରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିଲା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରମୁଖ ଯୋଗ ଦେଇଥିବା ବେଳେ, ବୈଠକରେ କେବଳ ଜାମ୍ମୁ ଓ କାଶ୍ମୀର ନିର୍ବାଚନ ସଂପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।
ହରିୟାଣା ବିଧାନସଭା ନିର୍ବାଚନ ସଂପର୍କରେ ଆଲୋଚନା ପାଇଁ ପୁଣି ଅଗଷ୍ଟ ୨୯ରେ ବସିପାରେ ବିଜେପି ସିଇସି ବୈଠକ । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସେଠାରେ ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ, ମୋଟ ୩ଟି ପର୍ଯ୍ୟାୟରେ ମତଦାନ କରିବେ ଭୋଟର୍ । ଅକ୍ଟୋବର ୧ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହରିୟାଣା ଭୋଟ୍ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)